Advertisment

ସରକାରୀ ହାଇସ୍କୁଲରେ ହେଲା ଯାତ୍ରା, ଉଦ୍‌ଘାଟନ କଲେ ବିଜେଡି ବିଧାୟକ

ମର୍ଦ୍ଦମେଖ ହାଇସ୍କୁଲରେ ସାମାଜିକ ନାଟକ ପରିବେଷଣ ହୋଇଛି। ଆଉ ନାଟକ ଆରମ୍ଭ ପୂର୍ବରୁ ଉଦ୍‌ଘାଟନ କରିଥିଲେ କବିସୂର୍ଯ୍ୟନଗର ବିଜେଡି ବିଧାୟକ ଲତିକା ପ୍ରଧାନ।

author-image
Manoranjan Sial
Jatra

Jatra

ଶିକ୍ଷାର ମନ୍ଦିର ହେଉଛି ସ୍କୁଲ। ଯେଉଁଠି ବାଗଦେବୀ ମାଆ ସରସ୍ୱତୀଙ୍କ ବାସସ୍ଥାନ। ସେଠି ଆଜି ଶୁଣିବାକୁ ମିଳିଛି ଆଇଟମ୍‌ ଗୀତର ଧୂନ। ଆଉ ଦେଖିବାକୁ ମିଳିଛି ଉଦଣ୍ଡ ନୃତ୍ୟ! ଖାଲି ନାଚ ନୁହେଁ, ନାୟକ ଓ ନାୟିକାଙ୍କ ରୋମାଣ୍ଟିକ୍‌ ଡାଇଲଗ୍‌ ସ୍କୁଲରେ ତରଙ୍ଗାୟିତ ହୋଇଛି। ବାଗ୍‌ଦେବୀଙ୍କ ବାସସ୍ଥାନ ହାଇସ୍କୁଲରେ ହୋଇଥିବା ଯାତ୍ରାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି। ତେବେ ସ୍କୁଲରେ ଯାତ୍ରା ପାଇଁ କିଏ ଅନୁମତି ଦେଇଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। କିନ୍ତୁ ବିଜେଡି ବିଧାୟକ ଓ ତାଙ୍କ କର୍ମୀମାନେ ଯାତ୍ରାକୁ ଉଦ୍‌ଘାଟନ କରିଥିବା ଦେଖିବାକୁ ମିଳିଛି। ଏପରି ଚିତ୍ର ଗଞ୍ଜାମ ଜିଲ୍ଲାରୁ ଆସିଛି।

Advertisment

ବୁଧବାର କୋଦଳା ମର୍ଦ୍ଦମେଖ ହାଇସ୍କୁଲରେ ସାମାଜିକ ନାଟକ ପରିବେଷଣ ହୋଇଛି। ଆଉ ନାଟକ ଆରମ୍ଭ ପୂର୍ବରୁ ଉଦ୍‌ଘାଟନ କରିଥିଲେ କବିସୂର୍ଯ୍ୟନଗର ବିଜେଡି ବିଧାୟକ ଲତିକା ପ୍ରଧାନ। ଏହି ଉଦ୍‌ଘାଟନ ଉତ୍ସବରେ ବିଧାୟକଙ୍କ ସହ ବହୁ ବିଜେଡି ନେତା ଯୋଗଦେଇଥିଲେ। ଉଦ୍‌ଘାଟନ ପରେ ଆରମ୍ଭ ହୋଇଥିଲା ରଙ୍ଗାରଙ୍ଗା ସାଂସ୍କୃତିକ କାର୍ଯ୍ୟକ୍ରମ। ତା’ପରେ ହୋଇଥିଲା ନାଟକ ‘କଳିଯୁଗ ତତେ ଦୂରୁ ଯୁହାର’। ଆଉ ଆଖପାଖ ଅଞ୍ଚଳର ଲୋକେ ଯାତ୍ରାର ମଜା ନେଇଥିଲେ। ହେଲେ ଜଣେ କେହି ପ୍ରତିବାଦ କରିନଥିଲେ।

ତେବେ ଏଠି ପ୍ରଶ୍ନ ଉଠୁଛି, ଦେଶର ଭବିଷ୍ୟତ ଗଢ଼ୁଥିବା ଶିକ୍ଷା ରୂପକ ମନ୍ଦିରରେ ଯାତ୍ରା ପାଇଁ ଅନୁମତି ଦେଲା କିଏ? ସ୍କୁଲରେ ଯାତ୍ରା ପାଇଁ ପ୍ରଧାନଶିକ୍ଷକ ନା ବ୍ଲକ୍‌ ଶିକ୍ଷା ଅଧିକାରୀ ନା ଜିଲ୍ଲା ଶିକ୍ଷା ଅଧିକାରୀ ନା ଜିଲ୍ଲାପାଳ ଅନୁମତି ଦେଇଥିଲେ! ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ତେବେ ସ୍କୁଲରେ ଯାତ୍ରା ପରିବେଷଣକୁ ବିରୋଧ କରିଛନ୍ତି ରାଜ୍ୟ ବଜେପି ଉପସଭନେତ୍ରୀ ଅନିତା ପ୍ରିୟଦର୍ଶିନୀ।

Advertisment

ସେ ଟ୍ୱିଟ୍‌ କରି ଲେଖିଛନ୍ତି, ସରକାରୀ ବିଦ୍ୟାଳୟରେ ସାମାଜିକ ନାଟକ ପରିବେଷଣ ହେଉଛି। ଖୋଦ୍ କବିସୂର୍ଯ୍ୟନଗର ବିଧାୟିକା ଓ ଜନପ୍ରତିନିଧିମାନଙ୍କ ଉପସ୍ଥିତିରେ ନାଟକ ଉଦଘାଟନ ହୋଇଛି। କୋଦଳା ନିକଟସ୍ଥ ମର୍ଦ୍ଦମେଖ ହାଇସ୍କୁଲରେ ଏହି ନାଟକ ପରିବେଷଣ ହେଉଛି। ତେବେ ପ୍ରଶ୍ନ ଉଠୁଛି, ସରକାରୀ ବିଦ୍ୟାଳୟରେ ଯାତ୍ରା ଅନୁମତି ଦେଲା କିଏ? ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ ତୁରନ୍ତ ପଦକ୍ଷେପ ନେବେ କି ବୋଲି ରାଜ୍ୟ ବଜେପି ଉପସଭନେତ୍ରୀ ଅନିତା ପ୍ରିୟଦର୍ଶିନୀ ଟ୍ୱିଟ୍‌ରେ ଲେଖିଛନ୍ତି।

ସ୍କୁଲରେ ନାଟକ ପରିବେଷଣ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିଲେ ମଧ୍ୟ ପ୍ରଶାସନ ଚୁପ୍‌ ବସିଛି। ଯାତ୍ରା ପରିବେଷଣ ପାଇଁ କିଏ ଅନୁମତି ଦେଲେ, ସେନେଇ କେହି ମୁହଁ ଖୋଲୁନାହାନ୍ତି।

ରିପୋର୍ଟ-ବ୍ରହ୍ମପୁରରୁ ଅଶୋକ ବ୍ରହ୍ମା

BjD Ganjam Bjd Politics