ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଆସିକା ବ୍ଲକର ନୁଆ ଗାଁ ସୁଗର ଇଣ୍ଡଷ୍ଟ୍ରି ହାଇସ୍କୁଲର ଶିକ୍ଷାଦାନ ବ୍ୟବସ୍ଥା ଦିଗହରା ହୋଇଯାଇଛି। ଆବଶ୍ୟକ ଶିକ୍ଷକ ନାହାନ୍ତି। ସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ଅନୁପମା ଦାସ ସୁବ ବିଷୟରେ ପଢ଼ାଉଛନ୍ତି। ତାଙ୍କ ହାତରେ ବି ପ୍ରଧାନ ଶିକ୍ଷକ ଦାୟିତ୍ୱ । ଜଣେ ପିଅନକୁ ନେଇ ଅଫିସ କାମ କରୁଛନ୍ତି। ତାସହ ତାଙ୍କ ଉପରେ ୧୨୦ ପିଲାଙ୍କ ପଢା ଦାଇତ୍ୱ। ଏମିତିରେ ମାଟ୍ରିକ ପରୀକ୍ଷାରେ କେମିତି ପିଲାଏ ଭଲ କରିବେ ତାହା ଏବେ ଚିନ୍ତାର ବିଷୟ । ଅନ୍ୟପଟେ ମାଟ୍ରିକରେ ଜିରୋ ରିଜଲ୍ଟ ରହୁଥିବା ସ୍କୁଲ ଉପରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଚାପ ଥିବାରୁ ପରିସ୍ଥିତି ବଡ ଗମ୍ଭୀର ହୋଇଛି ।
କୋଭିଡ କଟକଣା କାରଣରୁ କେବଳ ଦଶମ ବୋଡ଼ ପରୀକ୍ଷାକୁ ଆଖି ଆଗରେ ରଖି ଶିକ୍ଷାଦାନ ପାଇଁ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ତଦନୁଯାୟୀ ଏହି ସ୍କୁଲରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ୪୭ ଜଣ ପିଲାଙ୍କୁ ହିନ୍ଦୀ ଶିକ୍ଷୟିତ୍ରୀ ପଢ଼ାଉଛନ୍ତି। ବିଷୟ ଭିତିକ ଶିକ୍ଷକଙ୍କ ଆବଶ୍ୟକତା ଥିବା ବେଳେ ଜଣେ ହିନ୍ଦୀ ଶିକ୍ଷୟିତ୍ରୀଙ୍କ ଦ୍ଵାରା ଦଶମ ଶ୍ରେଣୀର ସମସ୍ତ ବିଷୟ ପଢାଇବା ସମ୍ଭବ ହେଉନାହିଁ। ସ୍କୁଲରୁ ଅବସର ନେଇଥିବା ଜଣେ ଶିକ୍ଷକ ନିଜ ଆନ୍ତରିକତା ଦେଖାଇ ଜୀବ ବିଜ୍ଞାନ ବିଷୟ ପଢ଼ାଉଛନ୍ତି।ତେଣୁ ପିଲାମାନେ ହିନ୍ଦୀ ଓ ଜୀବବିଜ୍ଞାନ ବିଷୟ ବ୍ୟତୀତ ଅନ୍ୟ ବିଷୟ ସ୍କୁଲରେ ପଢିବାରୁ ବଞ୍ଚିତ ହେଉଛନ୍ତି। ଯାହା ଏବେ ଛାତ୍ରଛାତ୍ରୀଙ୍କ ଚିନ୍ତାକୁ ବଢ଼ାଇ ଦେଇଛି।
ଆଗାମୀ ଦିନରେ ଅଷ୍ଟମ ଓ ନବମ ଶ୍ରେଣୀ ଖୋଲିବାର ସମ୍ଭାବନା ଥିବା ବେଳେ ତିନୋଟି ଶ୍ରେଣୀରେ ପଢ଼ୁଥିବା ପିଲାଙ୍କୁ କିଭଳି ଏଠାରେ ପଢା ଯିବ ତାକୁ ନେଇ ମଧ୍ୟ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ୧୯୮୪ ମସିହାରୁ ପ୍ରତିଷ୍ଠିତ ଏହି ସ୍କୁଲ ପ୍ରତି ସରକାରଙ୍କ ଦୃଷ୍ଟି ଦେବାକୁ ଦାବି ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।