Advertisment

Police SI Exam Scam: ଫିଟୁଛି ଶଙ୍କର ପୃଷ୍ଟିର ପୃଷ୍ଠା ପୃଷ୍ଠା କଳାଫର୍ଦ୍ଦ

ସାର୍ଟିଫିକେଟ୍ କେଳେଙ୍କାରୀଠୁ ନିଯୁକ୍ତି ରାକେଟ୍, ଗାଁରେ ହିଂସାକାଣ୍ଡଠୁ ନେଇ ରାଜନୀତିକ ହତ୍ୟାକାଣ୍ଡ ଯାଏ, ପୁଲିସ ଡାଏରୀରେ ରହିଛି ଶଙ୍କରର କୁକର୍ମର ସାଂଘାତିକ କଳାଚିଠା।

author-image
Jitendra Garnayak
Shankar Prusty

ଶଙ୍କର ପୃଷ୍ଟି

ପୁଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀର ପ୍ରମୁଖ କିଙ୍ଗପିନ୍ କୁହାଯାଉଥିବା ଶଙ୍କର ପୃଷ୍ଟିର କଳାକାରନାମାର ଫିଟୁଛି ପୃଷ୍ଠା ପୃଷ୍ଠା ଫର୍ଦ୍ଦ। ସାର୍ଟିଫିକେଟ୍ କେଳେଙ୍କାରୀଠୁ ନିଯୁକ୍ତି ରାକେଟ୍, ଗାଁରେ ହିଂସାକାଣ୍ଡଠୁ ନେଇ ରାଜନୀତିକ ହତ୍ୟାକାଣ୍ଡ ଯାଏ, ପୁଲିସ ଡାଏରୀରେ ରହିଛି ଶଙ୍କରର କୁକର୍ମର ସାଂଘାତିକ କଳାଚିଠା। ୨୦୧୩ରୁ ଅଦ୍ୟାବଧି ରାଜ୍ୟବ୍ୟାପୀ ମାଳ ମାଳ କୋଚିଂ ସେଣ୍ଟର ଏବଂ ଅନଲାଇନ ପରୀକ୍ଷା କେନ୍ଦ୍ର ନାଁରେ ଚଳାଇଥିଲା ନିଜର କ୍ରାଇମ୍ ନେଟୱର୍କ। ତା’ମଧ୍ୟରୁ କ୍ରାଇମବ୍ରାଞ୍ଚ ଆଜି ଏକ ପ୍ରତିଷ୍ଠାନ ଉପରେ ଛାପା ମାରିଛି, ଯାହା ଭୁବନେଶ୍ୱରର ରଘୁନାଥପୁରରେ ରହିଛି। ଶ୍ରୀ ଲିଙ୍ଗରାଜ ଇନଫୋସଲ୍ ନାମକ ଏହି ଅନଲାଇନ ପରୀକ୍ଷା କେନ୍ଦ୍ର ଉପରେ ଆଜି ଚଢ଼ାଉ କରାଯାଇ ସର୍ଚ୍ଚ ଅପରେସନ୍ କରାଯାଇଛି। ସେଠାରୁ ବଳିଷ୍ଠ ତଥ୍ୟ ପ୍ରମାଣ କ୍ରାଇମବ୍ରାଞ୍ଚ ହାତେଇଥିବା ଜଣାପଡ଼ିଥିବାବେଳେ ପରୀକ୍ଷା କେନ୍ଦ୍ରକୁ ସିଲ୍ କରାଯାଇଛି। କ୍ରାଇମବ୍ରାଞ୍ଚ ଡିଏସପି କହିଛନ୍ତି, ଶଙ୍କର ପୃଷ୍ଟି ଏଠାକୁ ଆସି ଫିକ୍ସିଂ କରୁଥିଲା।

Advertisment

https://odishareporter.in/odisha/a-couple-and-the-son-of-former-jailed-dig-are-among-those-arrested-10525837

କେବଳ ଭୁବନେଶ୍ୱର କାହିଁକି, ରାଜ୍ୟବ୍ୟାପୀ ଶଙ୍କରର ରହିଛି ମାଳ ମାଳ ପରୀକ୍ଷା କେନ୍ଦ୍ର ସହ କୋଚିଂ ସେଣ୍ଟର। ସେଗୁଡ଼ିକର ଥିଲା ଘୋଟାଲାର ପ୍ରୟୋଗଶାଳା। ବାଲେଶ୍ୱର, ପୁରୀ, ପାରଳାଖେମୁଣ୍ଡି, ବ୍ରହ୍ମପୁର, କଟକ ଓ କଳାହାଣ୍ଡି ଆଦି ସ୍ଥାନରେ ତା’ର କୋଚିଂ ସେଣ୍ଟର ଓ ଅନ୍‌ଲାଇନ ପରୀକ୍ଷା କେନ୍ଦ୍ର ଥିବା ନେଇ ତଥ୍ୟ ଦେଇଛି କ୍ରାଇମବ୍ରାଞ୍ଚ। ୨୦୧୩ରେ ଗଜପତିରେ ସିପାହୀ ନିଯୁକ୍ତି ରାକେଟଠୁ ୨୦୨୩ ଏପ୍ରିଲରେ ବ୍ରହ୍ମପୁରର ଜାଲ୍ ସାର୍ଟିଫିକେଟ୍ ରାକେଟ ଯାଏ, ଶଙ୍କରର ଥିଲା ସଂପୃକ୍ତି।  ଜାଲ୍ ସାର୍ଟିଫିକେଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଜେଲ ଯାଇଥିବାବେଳେ ତାକୁ ସହଯୋଗ କରିଥିବା ଶଙ୍କର ପୃଷ୍ଟି ହାଇକୋର୍ଟରୁ ଜାମିନ ଆଣି ମୁକୁଳି ଯାଇଥିଲା। ତା’ର କେଳେଙ୍କାରୀର କ୍ୟାରିୟର ଆରମ୍ଭ ହୋଇଥିଲା ୨୦୧୨ରୁ, ଯେବେ ବ୍ରହ୍ମପୁର ଜଗନ୍ନାଥପୁରରେ ଆରମ୍ଭ କରିଥିଲା ଟ୍ରେନିଂ ଇନଷ୍ଟିଚ୍ୟୁଟ୍। ଆନ୍ଧ୍ର ବିଏଡଠୁ ଆରମ୍ଭ କରି ସେନାରେ ନିଯୁକ୍ତି ଲାଗି ଟ୍ରେନିଂ ଦେଉଥିଲା ସେ। ଏହାପରେ ବ୍ରହ୍ମପୁର ଡିଫେନ୍ସ କଲୋନୀରେ ସାମ୍ରାଜ୍ୟ ବିସ୍ତାର କରି ଆରମ୍ଭ କରିଥିଲା ପଞ୍ଚସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍।

Advertisment

https://odishareporter.in/odisha/who-prepared-the-question-paper-officers-and-the-investigation-process-are-under-suspicion-10526240

ଗଞ୍ଜାମ ଶେରଗଡ଼ ବ୍ଲକ ବ୍ରାହ୍ମଣଛାଇ ଗାଁ। ସାଧାରଣ ପରିବାରରେ ଜନ୍ମ ହୋଇଥିଲା ଶଙ୍କର ପୃଷ୍ଟି। ଗାଁ ସ୍କୁଲରେ ମାଟ୍ରିକ ପରେ ବ୍ରହ୍ମପୁର SMITରେ ପଢ଼ିଥିଲା। ତା’ପରେ କୋଚିଂ ସେଣ୍ଟର କରି ବହୁ ପିଲା ଓ ଶିକ୍ଷକଙ୍କ ସଂସ୍ପର୍ଶରେ ଆସି ଆରମ୍ଭ କରିଥିଲା ନିଜର କଳାଧନ୍ଧା। ଚାକିରି ଲୋଭ ଦେଇ ଆଶାୟୀଙ୍କଠାରୁ ନେଉଥିଲା ମୋଟା ଅଙ୍କର ଟଙ୍କା। କେବଳ ଏତିକି ନୁହେଁ, ଗାଁ ରାଜନୀତିର ଗୋଟି ଚାଳନାରେ ବି ଥିଲା ଧୂରନ୍ଧର। ୨୦୧୭ ପଞ୍ଚାୟତ ନିର୍ବାଚନରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ହତ୍ୟା ମାମଲାରେ ସେ ଥିଲା ମୁଖ୍ୟ ଅଭିଯୁକ୍ତ। ସେଦିନଠୁ ଫେରାର୍ ହେବା ପରେ ୨୦୨୨ରେ ହାଇକୋର୍ଟରୁ ଆଗୁଆ ଜାମିନ୍ ଆଣିଥିଲା। ଶଙ୍କରର ମା’ଙ୍କ କହିବା କଥା, ଗତ ୨/୩ ବର୍ଷ ହେଲାଣି ସେ ଆଉ ଗାଁକୁ ଫେରିନି। ତାକୁ ଏବେ ଫସାଇ ଦିଆଯାଇଛି। 

୨୦୨୩ରେ ବ୍ରହ୍ମପୁରରେ ଜାଲ୍ ସାର୍ଟିଫିକେଟ୍ ମାମଲା ହେଉ କି ୨୦୧୭ରେ ରାଜନୀତିକ ହତ୍ୟାକାଣ୍ଡ, ସବୁଥିରେ ଅଭିଯୁକ୍ତ ଥାଇ ବି ସେ ଫେରାର୍ ମାରି ଖସିଯାଉଥିଲା ବେଶ ଆରାମରେ। ଆଉ ଜାମିନ ଆଣି ପୁଲିସର ଗିରଫଦାରୀରୁ ବର୍ତ୍ତିଯାଉଥିଲା। ଆଉ ଏବେ ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲାରେ ଫେରାର ମାରିଥିବାବେଳେ କେବେ ବନ୍ଧା ହେଉଛି, ତାକୁ ଅପେକ୍ଷା।