ପ୍ରତିଶ୍ରୁତିକୁ ୩ ବର୍ଷ ପୂରିଲା? MKCGରେ କେବେ ଖୋଲିବ ବର୍ଣ୍ଣ ୟୁନିଟ୍‌

ଦକ୍ଷିଣ ଓଡ଼ିଶାବାସୀଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସିଲ୍‌କ ସିଟି ବ୍ରହ୍ମପୁରରେ ଖୋଲିଥିଲା ଏମ୍‌କେସିଜି ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌। ଏହି ମେଡ଼ିକାଲ୍‌ ଉପରେ ଦକ୍ଷିଣ ଓଡ଼ିଶାର ୧୦ରୁ ଊର୍ଦ୍ଧ୍ୱ ଜିଲ୍ଲା ଲୋକେ ଓ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ରୋଗୀମାନେ ନିର୍ଭର କରୁଛନ୍ତି।

MKCG ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ର ପ୍ରବେଶ ପଥ

  • Published: Saturday, 25 March 2023
  • , Updated: 25 March 2023, 06:15 PM IST

ଏମ୍‌କେସିଜି ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ ହେଉଛି ଦକ୍ଷିଣ ଓଡ଼ିଶାର ସବୁଠୁ ବଡ଼ ଡାକ୍ତରଖାନା। ଏଠାରେ ବର୍ଣ୍ଣ ୟୁନିଟ୍‌ ଖୋଲିବା ପାଇଁ ୩ ବର୍ଷ ତଳେ ସ୍ୱାସ୍ଥ୍ୟମନ୍ତ୍ରୀ ଦେଇଥିଲେ ପ୍ରତିଶ୍ରୁତି। ହେଲେ ଦୁଃଖର ବିଷୟ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ଖୋଲି ପାଲିପାରିଲାନି ବର୍ଣ୍ଣ ୟୁନିଟ୍‌। ଯେଉଁଥିପାଇଁ ଏମ୍‌କେସିଜି ମେଡ଼ିକାଲ୍‌ ଉପରେ ନିର୍ଭର କରୁଥିବା ପୋଡ଼ାଜଳା ରୋଗୀଙ୍କୁ କଟକ ଓ ବିଶାଖାପାଟଣାକୁ ସ୍ଥାନାନ୍ତରିତ କରାଯାଉଛି। ଏହାଦ୍ୱାରା ରୋଗୀମାନେ ଅଯଥାରେ ଖର୍ଚ୍ଚାନ୍ତ ହେବା ସହିତ ନାନା ଯନ୍ତ୍ରଣା ଭୋଗୁଛନ୍ତି।

ଦକ୍ଷିଣ ଓଡ଼ିଶାବାସୀଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସିଲ୍‌କ ସିଟି ବ୍ରହ୍ମପୁରରେ ଖୋଲିଥିଲା ଏମ୍‌କେସିଜି ମେଡ଼ିକାଲ୍‌ କଲେଜ ଓ ହସ୍ପିଟାଲ୍‌। ଏହି ଡାକ୍ତରଖାନା ଉପରେ ଦକ୍ଷିଣ ଓଡ଼ିଶାର ୧୦ରୁ ଊର୍ଦ୍ଧ୍ୱ ଜିଲ୍ଲା ଲୋକେ ଓ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ରୋଗୀମାନେ ନିର୍ଭର କରୁଛନ୍ତି। ହେଲେ ଦୁଃଖ ଓ ପରିତାପର ବିଷୟ ଦକ୍ଷିଣ ଓଡ଼ିଶାର ଏହି ବଡ଼ ମେଡ଼ିକାଲ୍‌ରେ ଆଜି ପର୍ଯ୍ୟନ୍ତ ଖୋଲି ପାରିନାହିଁ ବର୍ଣ୍ଣ ୟୁନିଟ୍‌। ଯେଉଁଥିପାଇଁ ବହୁ ରୋଗୀ ଚିକିତ୍ସା ନପାଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ହଜାର ହଜାର ପୋଡ଼ା ଜଳା ରୋଗୀଙ୍କୁ ଅନ୍ୟ ମେଡ଼ିକାଲ୍‌କୁ ରେଫର କରିଦିଆଯାଉଛି।

ଏମ୍‌କେସିଜି ମେଡ଼ିକାଲ୍‌ରେ ବର୍ଣ୍ଣ ୟୁନିଟ୍‌ ନଥିବାରୁ ବ୍ରହ୍ମପୁର ଗଜପତି ନଗରର ମମତା ସାହୁଙ୍କୁ କଟକ ବଡ଼ ମେଡ଼ିକାଲ୍‌କୁ ରେଫର କରାଯାଇଥିଲା। ମହାମାରୀ କରୋନା ସମୟରେ ସେ ଘରେ ରୋଷେଇ କରୁଥିବା ବେଳେ ଗ୍ୟାସ୍‌ ଲିକ୍‌ ହୋଇ ତାଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ମମତା ଓ ତାଙ୍କ କୁନି ଝିଅ ନିଆଁରେ ପୋଡ଼ିଯାଇ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏମ୍‌କେସିଜି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ମାଆ ଓ ଝିଅ ଗୁରୁତର ଥିବା ଦେଖି ଡାକ୍ତର ଅନ୍ୟତ୍ର ନେବା ପାଇଁ ପରାମର୍ଶ ଦେଇଥିଲେ। କାରଣ ଏମ୍‌କେସିଜି ମେଡିକାଲରେ ନାହିଁ ବର୍ଣ୍ଣିଂ କେୟାର ୟୁନିଟ୍। ପରେ ମମତା ଓ ତାଙ୍କ ନାବାଳିକା ଝିଅକୁ ପରିବାର ଲୋକେ କଟକ ବଡ଼ ମେଡ଼ିକାଲ୍‌କୁ ନେଇଥିଲେ। 

ସମାନ ଅଭିଯୋଗ ଆଣିଛନ୍ତି ପୂର୍ଣ୍ଣଚନ୍ଦ୍ର ମହାରଣା। ତାଙ୍କ ପୁଅ ଦେହରେ ନିଆଁ ଲାଗି ଯାଇଥିଲା। ସେ ତାଙ୍କୁ ଧରି ଏମ୍‌କେସିଜି ମେଡ଼ିକାଲ୍‌କୁ ଆସିଥିଲେ। ମାତ୍ର ମେଡ଼ିକାଲ୍‌ରେ ବର୍ଣ୍ଣ କେୟାର ୟୁନିଟ୍‌ ନଥିବାରୁ ତାଙ୍କୁ ଅନ୍ୟତ୍ର ନେବା ପାଇଁ କୁହାଯାଇଥିଲା। ତେଣୁ କିଛି ଉପାୟ ନପାଇ ଧାରଉଧାର କରି ପୁଅକୁ ଧରି କଟକ ବଡ଼ମେଡ଼ିକାଲ୍‌ ଆସିଥିଲେ ପୂର୍ଣ୍ଣଚନ୍ଦ୍ର। ମମତା ଓ ପୂର୍ଣ୍ଣଚନ୍ଦ୍ର ପରି ବହୁ ଲୋକ ଆଜି ମଧ୍ୟ ଏପରି ଯନ୍ତ୍ରଣା ଭୋଗୁଛନ୍ତି।

ମିଳିଥିବା ସୂଚନା ଅନୁସାରେ ୨୦୨୨ ମସିହା ଅକ୍ଟୋବରରେ ଏମ୍‌କେସିଜିକୁ ୨୭ଟି ପୋଡ଼ାଜଳା ମାମଲା ଆସିଥିଲା। ସେଥିରୁ ୧୩ ମାମଲାକୁ ସ୍ଥାନାନ୍ତରିତ କରାଯାଇଛି। ଠିକ୍‌ ସେହିପରି ନଭେମ୍ବରରେ ୨୯ଟି ମାମଲାରୁ ୧୨ଟି, ଡିସେମ୍ବରରେ ୩୪ରୁ ୧୯ ଓ ୨୦୨୩ ଜାନୁଆରୀରେ ୨୪ରୁ ୧୧ଟି ମାମଲାକୁ ରେଫର କରାଯାଇଛି। ଦକ୍ଷିଣ ଓଡ଼ିଶାର ୧୦ରୁ ଊର୍ଦ୍ଧ୍ୱ ଜିଲ୍ଲା ଏମ୍‌କେସିଜି ମେଡ଼ିକାଲ୍‌ ଉପରେ ନିର୍ଭର କରୁଥିବା ବେଳେ ଗଣ୍ଡା ଗଣ୍ଡା ଜଳାପୋଡ଼ା ରୋଗୀ ଆସୁଛନ୍ତି। ହେଲେ ଏଠାରୁ ଚିକିତ୍ସା ନପାଇ କଟକ ଓ ପଡ଼ୋଶୀ ରାଜ୍ୟ ବିଶାଖାପାଟଣାକୁ ଧାଉଁଛନ୍ତି। ଯଦି ଏମ୍‌କେସିଜିରେ ବର୍ଣ୍ଣ କେୟାର ୟୁନିଟ୍‌ ଥାଆନ୍ତା, ତାହାହେଲେ ଏ ଯନ୍ତ୍ରଣା ଭୋଗିବାକୁ ପଡ଼ନ୍ତା ନାହିଁ ବୋଲି ରୋଗୀମାନେ କ୍ଷୋଭ ପ୍ରକାଶ କରିଛନ୍ତି।

୨୦୨୦ ମସିହା ଫେବ୍ରୁଆରୀ ୯ ତାରିଖରେ ମେଣ୍ଡରାଜପୁରରେ ବିଦ୍ୟୁତ୍‌ ତାର ବସ୍‌ରେ ଲାଗି ଯାଇଥିଲା। ଫଳରେ ପୋଡ଼ିଯାଇ ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କ ଜୀବନ ଯାଇଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇଦେଇଥିଲା। ଏହି ଘଟଣା ପରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ, ସଚିବ, ଡିଏମ୍ଇଟି- ସମସ୍ତେ ମାଳ ମାଳ ପ୍ରତିଶ୍ରୁତି ଦେଇଥିଲେ। ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌ରେ ବର୍ଣ୍ଣ ୟୁନିଟ୍‌ ଖୋଲିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଦୁଇ ଦୁଇଟି ବଡ଼ ବଡ଼ ସୁପର ସ୍ପେଶାଲିଷ୍ଟ ଶୀତତାପ ନିୟନ୍ତ୍ରିତ କୋଠା ନିର୍ମାଣ କରାଯାଇଥିଲା। ପୋଡ଼ା ଜଳା ଓ ପ୍ଲାଷ୍ଟିକ ସର୍ଜରୀ ବିଭାଗ ଖୋଲିଥିଲା। କିନ୍ତୁ ବିଭାଗ ଏଯାଏ କାମ କରିପାରୁ ନାହିଁ।

ଅନ୍ୟପକ୍ଷରେ ଏମ୍‌କେସିଜି ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ ଅଧୀକ୍ଷକ କହିଛନ୍ତି, ବର୍ଣ୍ଣ ୟୁନିଟ୍‌ ଖୋଲିବା ନେଇ ଡାକ୍ତର ଓ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି। ସର୍ଜରୀ ଡାକ୍ତର ରହିଥିବା ବେଳେ ପ୍ଲାଷ୍ଟିକ ସର୍ଜରୀ, ନିଶ୍ଚେତକ ବିଭାଗ ସହ ଅନ୍ୟାନ୍ୟ ସହକର୍ମୀ ନିଯୁକ୍ତି ହେଲେ ୟୁନିଟ୍ ଆରମ୍ଭ ହେବ।

ରିପୋର୍ଟ- ବ୍ରହ୍ମପୁରରୁ ଜଗନ୍ନାଥ ସାହୁ

Related story