Advertisment

ରାତି ପାହିଲେ ଯାଇଥାଆନ୍ତେ କଟକ, ହେଲେ ତା’ପୂର୍ବରୁ ନେଲେ ଚରମ ନିଷ୍ପତ୍ତି

ଦୁଇ ଦିନ ତଳେ ଘରକୁ ଫେରିଥିଲେ କୃଷ୍ଣ। ଆଜି କଟକ ଯାଇଥାଆନ୍ତେ। ସେଥିପାଇଁ ରାତିରେ ବ୍ୟାଗପତ୍ର ପ୍ୟାକିଂ କରିଥିଲେ ଆରତୀ। ରାତି ପ୍ରାୟ ୧୦ଟା ବେଳେ ଖାଇ ପିଇ ପୂରା ପରିବାର ଶୋଇଥିଲେ।

ଅଦ୍ୟତନ ହୋଇଛି
Woman

Woman

Advertisment

ସ୍ୱାମୀଙ୍କ ସହିତ କଟକ ଯିବା ପାଇଁ ଚାହୁଥିଲେ ପତ୍ନୀ ଆରତୀ। ସେଥିପାଇଁ ଅନେକ ବାର ଅଳି କରୁଥିଲେ। ବାଦବିବାଦ ଭିତରେ ପତ୍ନୀଙ୍କ କଥାକୁ ରଖିଥିଲେ କୃଷ୍ଣ। କଟକରେ ଘର ଠିକ୍‌ ଆସିଥିଲେ ଗାଁକୁ। ଆଜି ପତ୍ନୀ ଆରତୀ ଓ ଦେଢ଼ ବର୍ଷର ଝିଅକୁ ଧରି ଯାଇଥା’ନ୍ତେ କଟକ। ହେଲେ ତା’ପୂର୍ବରୁ ରାତିରେ ଏମିତି କ’ଣ ହେଲା ଯେ ଚରମ ନିଷ୍ପତ୍ତି ନେଲେ ଆରତୀ? ସାଥୀରେ ଝିଅକୁ ଧରି ଚାଲିଗଲେ ଅଫେରା ପଥରେ। ଆଉ ଛାଡ଼ିଗଲେ ଅନେକ ଅକୁହା କଥା।

Advertisment

ଗଞ୍ଜାମ ଜିଲ୍ଲା ବାଲିପଦର ଫାଣ୍ତି ଅନ୍ତର୍ଗତ ପୋଚାଲୁଣ୍ତି ଗାଁର କୃଷ୍ଣଚନ୍ଦ୍ର ବିଷୋୟୀ କଟକରେ ଏକ ବ୍ରେଡ୍‌ ଫ୍ୟାକ୍ଟ୍ରୀରେ କାମ କରନ୍ତି। ସେ କଟକରେ ରହୁଥିବା ବେଳେ ତାଙ୍କ ପତ୍ନୀ ଆରତୀ ବିଷୋୟୀ ଓ ଦେଢ଼ବର୍ଷର ଝିଅ ଦୀସାଙ୍କିନ୍ତା ଗାଁରେ ରୁହନ୍ତି। କିନ୍ତୁ ଆରତୀ କଟକ ଯିବା ପାଇଁ ଚାହୁଁଥିଲେ। ସେଥିପାଇଁ ରଥଯାତ୍ରାରେ ସ୍ୱାମୀଙ୍କ ସହିତ କଟକ ଆସିଥିଲେ ଆରତୀ। ଏଠାରେ ବୁଲାବୁଲି କରିବା ପରେ ଗାଁକୁ ଫେରିଥିଲେ। ପତ୍ନୀ ଗାଁକୁ ଫେରିବା ପରେ କଟକରେ ଗୋଟିଏ ବଡ଼ ଘର ଭଡ଼ା ନେଇଥିଲେ। ଗାଁରୁ ପତ୍ନୀ ଓ ଝିଅକୁ ଆଣିବା ପାଇଁ ନିଷ୍ପତ୍ତି ନେଇଥିଲେ।

ଦୁଇ ଦିନ ତଳେ ଘରକୁ ଫେରିଥିଲେ କୃଷ୍ଣ। ଆଜି କଟକ ଯାଇଥାଆନ୍ତେ। ସେଥିପାଇଁ ରାତିରେ ବ୍ୟାଗପତ୍ର ପ୍ୟାକିଂ କରିଥିଲେ ଆରତୀ। ରାତି ପ୍ରାୟ ୧୦ଟା ବେଳେ ଖାଇ ପିଇ ପୂରା ପରିବାର ଶୋଇଥିଲେ। ତେବେ ବିଳମ୍ୱିତ ରାତିରେ ହଠାତ୍‌ କୃଷ୍ଣଙ୍କ ନିଦ ଭାଙ୍ଗିଗଲା। ଦେଖିଲା ବେଳକୁ ପାଖରେ କାନ୍ଦୁଛି ଝିଅ। ତାକୁ ବୁଝାଇ ପତ୍ନୀଙ୍କୁ ଡାକିଥିଲେ କୃଷ୍ଣ। ମାତ୍ର ସେ କୌଣସି ଉତ୍ତର ଦେଇନଥିଲେ। ତାଙ୍କର ଚେତା ନଥିଲା। ପରେ ଝିଅ ମଧ୍ୟ ସଜ୍ଞା ହରାଇ ପଡ଼ି ଯାଇଗଲା। ମାଆ ଓ ଝିଅଙ୍କ ଏପରି ଅବସ୍ଥା ଦେଖି କୃଷ୍ଣଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା। ସାହି ପଡ଼ିଶାଙ୍କ ସହଯୋଗରେ ମାଆ ଓ ଝିଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଝିଅ ଦୀସାଙ୍କିନ୍ତାଙ୍କ ମୃତ୍ୟୁ ଘଟିଥିଲା।

Advertisment

ପତ୍ନୀ ଆରତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଆସିକା ନିକଟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା। ତେଣୁ ଆମ୍ୱୁଲାନ୍ସ କର୍ମଚାରୀମାନେ ତାଙ୍କୁ ଆସିକା ମେଡ଼ିକାଲ୍‌କୁ ନେଇଥିଲେ। ସେଠାରେ ଆରତୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସ୍ୱାମୀ କୃଷ୍ଣଙ୍କ କହିବା ଅନୁସାରେ ଆରତୀ ବିଷ ପିଇବା ସହିତ ଝିଅକୁ ପିଆଇ ଦେଇଥିଲେ। ଯେଉଁଥିପାଇଁ ଉଭୟଙ୍କ ମୃତ୍ୟୁ ଘଟିଛି। ପାରିବାରିକ ସମ୍ପର୍କ ଯଦି ଠିକ୍‌ ଥିଲା, ତାହାହେଲେ କେଉଁ କାରଣରୁ ଆରତୀ ଏପରି ଚରମ ନିଷ୍ପତ୍ତି ନେଲେ, ସେ ସମ୍ପର୍କରେ କୃଷ୍ଣ କିଛି କହୁନାହାନ୍ତି। ସେପଟେ ଆରତୀଙ୍କ ବାପଘର ଲୋକ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଆରତୀ ଓ ତାଙ୍କ ଝିଅକୁ ବିଷ ଦେଇ ମାରି ଦେଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

ରିପୋର୍ଟ-ଆସିକାରୁ ମନୋଜ ମୁନୀ

Odisha Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe