ଘଙ୍ଗାପାଟଣା ଜମି ଦୁର୍ନୀତି: କ୍ରାଇମବ୍ରାଞ୍ଚକୁ ଲୋକାୟୁକ୍ତ ନୋଟିସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ଘଙ୍ଗାପାଟଣା ଜମି ଦୁର୍ନୀତି ମାମଲାରେ ରାଜ୍ୟ କ୍ରାଇମବ୍ରାଞ୍ଚକୁ ଓଡ଼ିଶା ଲୋକାୟୁକ୍ତ ନୋଟିସ୍ ଜାରି କରିଛନ୍ତି। ଘଙ୍ଗାପାଟଣା ଜମି ଦୁର୍ନୀତି ଉପରେ କ୍ରାଇମବ୍ରାଞ୍ଚ ତଦନ୍ତ କରି କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ସେ ନେଇ ବିସ୍ତୃତ ରିପୋର୍ଟ ଆସନ୍ତା ଅକ୍ଟୋବର ୧୭ତାରିଖ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକାୟୁକ୍ତ ଏହି ମାମଲାର ଶୁଣାଣି ଅକ୍ଟୋବର ୨୧ତାରିଖରେ କରିବେ। ଘଙ୍ଗାପାଟଣାରେ ସରକାରୀ ଜମିକୁ ବେଆଇନ ଭାବେ ବହୁ ରାଜନେତା ଓ ଅଫିସର ଜବରଦଖଲରେ ରଖିଥିବାର […]

crimebranch

Manoranjan Sial
  • Published: Saturday, 21 September 2019
  • , Updated: 21 September 2019, 07:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ଘଙ୍ଗାପାଟଣା ଜମି ଦୁର୍ନୀତି ମାମଲାରେ ରାଜ୍ୟ କ୍ରାଇମବ୍ରାଞ୍ଚକୁ ଓଡ଼ିଶା ଲୋକାୟୁକ୍ତ ନୋଟିସ୍ ଜାରି କରିଛନ୍ତି। ଘଙ୍ଗାପାଟଣା ଜମି ଦୁର୍ନୀତି ଉପରେ କ୍ରାଇମବ୍ରାଞ୍ଚ ତଦନ୍ତ କରି କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ସେ ନେଇ ବିସ୍ତୃତ ରିପୋର୍ଟ ଆସନ୍ତା ଅକ୍ଟୋବର ୧୭ତାରିଖ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକାୟୁକ୍ତ ଏହି ମାମଲାର ଶୁଣାଣି ଅକ୍ଟୋବର ୨୧ତାରିଖରେ କରିବେ। ଘଙ୍ଗାପାଟଣାରେ ସରକାରୀ ଜମିକୁ ବେଆଇନ ଭାବେ ବହୁ ରାଜନେତା ଓ ଅଫିସର ଜବରଦଖଲରେ ରଖିଥିବାର ଅଭିଯୋଗ ହୋଇଥିଲା। ଯାହାକି ୨୦୧୪ ମସିହାରେ ରାଜ୍ୟ ରାଜନୀତିରେ ଚହଳ ପକାଇଥିଲା।

ମିଳିଥିବା ସୂଚନା ଅନୁସାରେ, ସୂଚନାକର୍ମୀ ପ୍ରଦୀପ ପ୍ରଧାନଙ୍କ ଅଭିଯୋଗ ଉପରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଲୋକାୟୁକ୍ତ ଏହି ନୋଟିସ୍ ଜାରି କରିଛନ୍ତି। ସୂଚନା ଅଧିକାର ଆଇନ ବଳରେ ଘଙ୍ଗାପାଟଣା ଜମି କେଳେଙ୍କାରୀ ତଥ୍ୟ ପାଇବାରେ ବିଫଳ ହେବାପରେ ଶ୍ରୀ ପ୍ରଧାନ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗତ ୫ବର୍ଷ ଧରି ଘଙ୍ଗାପାଟଣା ଜମି ସମ୍ପର୍କିତ ସମସ୍ତ ଦସ୍ତାବିଜକୁ କ୍ରାଇମବ୍ରାଞ୍ଚ ଜବତ କରି ରଖିଥିବା ସହ ଏହାକୁ ଫେରସ୍ତ କରିନଥିବାରୁ ସୂଚନା ଅଧିକାର ଆଇନ ବଦଳରେ ଏହି ତଥ୍ୟ ଦେବାରେ ଭୁବନେଶ୍ୱର ତହସିଲ କାର୍ଯ୍ୟାଳୟ ବିଫଳ ହୋଇଥିଲା।

ସୂଚନାଯୋଗ୍ୟ, ଘଙ୍ଗାପାଟଣା ସରକାରୀ ଜମିରେ ବହୁ ପ୍ରଭାବଶାଳୀ ରାଜନେତା ଓ ଅଫିସର ସମ୍ପୃକ୍ତ ଥିବାର ଅଭିଯୋଗ ହେବା ସହ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୪ ଅଗଷ୍ଟ ୨୮ତାରିଖରେ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଜବରଦଖଲରେ ଥିବା ୭୬ଏକର ଜମିକୁ ଫେରସ୍ତ ଅଣାଯାଇଥିବା ନେଇ ସେହିବର୍ଷ ଅକ୍ଟୋବର ୧୫ତାରିଖରେ ରାଜସ୍ୱ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ମାତ୍ର କୌଣସି ପ୍ରଭାବଶାଳୀ ରାଜନେତା କିମ୍ବା ଅଫିସରଙ୍କ ବିରୁଦ୍ଧରେ ସାମାନ୍ୟତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା।

ଉଲ୍ଲେଖଯୋଗ୍ୟ, ସରକାରୀ ଉପମୁଖ୍ୟ ସଚେତକ ପ୍ରଣବ ବଳବନ୍ତରାୟଙ୍କ ଗୋକର୍ଣ୍ଣେଶ୍ୱର ଚାରିଟେବୁଲ ଟ୍ରଷ୍ଟ ନାଁରେ ବହୁ ସରକାରୀ ଜମି ଜବରଦଖଲ କରାଯାଇଥିବାବେଳେ ବିଜେପି ନେତା କନକବର୍ଦ୍ଧନ ସିଂହଦେଓଙ୍କ ଝିଅ ନିବୃତ୍ତି ସିଂହଦେଓଙ୍କ କମ୍ପାନୀ ନିବୃତ୍ତି ଏକ୍ସପର୍ଟ ପ୍ରାଃ ଲିଃ ମଧ୍ୟ ଏହି ଜମିକୁ ନେଇ ବିବାଦଘେରକୁ ଆସିଥିଲା। କେତେକ ବରିଷ୍ଠ ଆଇଏଏସ ଅଫିସରଙ୍କ ନାଁ ମଧ୍ୟ ଏହି କେଳେଙ୍କାରୀରେ ସମ୍ପୃକ୍ତ ରହିଛି।

Related story