google-Odia
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆମେରିକା ଭିତ୍ତିକ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ ଗୁଗଲ୍ର ଟ୍ରାନ୍ସଲେସନ୍ ବା ଅନୁବାଦ ଏବେ ଓଡ଼ିଆ ଭାଷା ମଧ୍ୟ ଯୋଡ଼ି ହୋଇଛି। ଗୁଗଲ ପକ୍ଷରୁ କରାଯାଇଥିବା ଘୋଷଣା ଅନୁଯାୟୀ ଓଡ଼ିଆ ସମେତ ମୋଟ ୫ଟି ନୂଆ ଭାଷାରେ ଏହି ସୁବିଧା ରହିଛି। ଏବେ ଇଂରାଜୀରୁ ହିନ୍ଦୀ, ବଙ୍ଗଳା ଏବଂ ଅନ୍ୟ ଭାରତୀୟ ଭାଷା ପରି ଓଡ଼ିଆରେ ମଧ୍ୟ ବିଭନ୍ନ ଶବ୍ଦ ଓ ବାକ୍ୟ ଅନୁବାଦ କରାଯାଇପାରିବ। ତେବେ ବର୍ତ୍ତମାନ ଏହା ପରୀକ୍ଷା ସ୍ତରରେ ରହିଥିବାରୁ ଆଗାମୀ କିଛି ଦିନରେ ଏହା ସମ୍ପୂର୍ଣ୍ଣ ଭାବେ ଉପଲବ୍ଧ ହେବ ବୋଲି କୁହାଯାଉଛି।
ବର୍ତ୍ତମାନ କେବଳ ବେଟା ଭର୍ସନ୍ ଆସିଥିବାରୁ ଓଡ଼ିଆ ସହ ବର୍ତ୍ତମାନ କିନ୍ୟାରୱାଣ୍ଡା, ଟାଟାର, ତୁର୍କମେନ୍ ଏବଂ ଉଇଘୁର ମଧ୍ୟ ଟ୍ରାନ୍ସଲେସନ୍ ବ୍ୟବସ୍ଥାର ସୁଯୋଗ ନେଇପାରିବେ।
ଏହି ଘୋଷଣା ବାବଦରେ ଗୁଗଲ ଟ୍ରାନ୍ସଲେସନ୍ର ସଫ୍ଟୱେର ଇଞ୍ଜିନିଅର୍ ଇଜାକ୍ କାସୱେଲ୍ କହିଛନ୍ତି, “ବ୍ୟାପକ ୱେବ୍ କଣ୍ଟେଣ୍ଟର ଅଭାବ କାରଣରୁ ଅନୁବାଦ କାମରେ ବିଳମ୍ବ ହେଉଥିଲା। ତେବେ ଆମର ମେସିନ୍ ଲର୍ଣ୍ଣିଂ ଟେକ୍ନୋଲୋଜି କାରଣରୁ ଏବଂ ଗୁଗଲ ଟ୍ରାନ୍ସଲେଟ୍ କମ୍ୟୁନିଟି ଜଡ଼ିତ ହୋଇ କାମ କରିବା କାରଣରୁ ୫ଟି ଭାଷା ଯୋଡ଼ିପାରିଛୁ। ଏହି ସବୁ ଭାଷା ଓଡ଼ିଆ, କିନ୍ୟାରୱାଣ୍ଡା, ଟାଟାର, ତୁର୍କମେନ୍ ଏବଂ ଉଇଘୁର।”
ଗୁଗଲ ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ସବୁ ଭାଷାଗୁଡ଼ିକ ବିଶ୍ୱର ୭୫ ମିଲିଅନ୍ ଲୋକ ବ୍ୟବହାର କରୁଛନ୍ତି। ଗତ ୪ ବର୍ଷରେ ୫ଟି ଭାଷା ଯୋଡ଼ାଯାଇଛି। ଗୁଗଲ ଟ୍ରାନ୍ସଲେଟ୍ରେ ୧୦୮ଟି ଭାଷା ଯୋଡ଼ାଯିବାର ଅଛି। ସୂଚନାଯୋଗ୍ୟ ଯେ, ଓଡ଼ିଆ ଭାରତୀୟ ରାଜ୍ୟ ଓଡ଼ିଶା ସହ ପଶ୍ଚିମବଙ୍ଗ, ଝାରଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶ ଆଦି ସ୍ଥାନରେ ବ୍ୟାପକ ଭାବେ ବ୍ୟବହାର କରାଯାଏ। ଏହାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମଧ୍ୟ ମିଳିଛି। ସେହିଭଳି ଉଇଘୁର ମୁଖ୍ୟତଃ ଚାଇନାର ମୁସଲିମ୍ ବହୁଳ ସିନ୍ଜିଆଙ୍ଗ ପ୍ରଦେଶରେ ବ୍ୟବହୃତ ହୁଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/02/google-Odia.jpg)