Advertisment

ବିଜେଡିର ଚାଷୀ ଦରଦ ନା ହଲିଡେ୍ ଟ୍ରିପ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଳର ଆଗଧାଡ଼ିର କର୍ମୀମାନଙ୍କୁ ବିଜେଡି ଏବେ ରାଜଧାନୀ ଦିଲ୍ଲୀ ବୁଲାଇ ସାଧାରଣ ନିର୍ବାଚନ ପାଇଁ ସେମାନଙ୍କୁ ମାନସିକସ୍ତରରେ ଫୂର୍ତ୍ତି କରାଉଛି ବୋଲି ଚର୍ଚ୍ଚା। ଶୁଣିବାକୁ ମିଳୁଛି, ଧାନର ଏମଏସପିକୁ କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା କରିବା ଦାବିରେ ଦିଲ୍ଲୀର ତାଲକୋଟରା ଷ୍ଟାଡ଼ିୟମର ଚାରିକାନ୍ଥ ଭିତରେ ବିଜେଡିର ପ୍ରସ୍ତାବିତ ଚାଷୀ ସମାବେଶ ଏବେ କେବଳ ପ୍ରହସନ ପାଲଟିବାକୁ ଯାଉଛି। ବିଜେଡି ନେତାମାନଙ୍କର ଆଚରଣ ହିଁ ରାଜ୍ୟର ଗରିବ ଚାଷୀଙ୍କ ପ୍ରତି ଦଳର କେତେ ଦରଦ ରହିଛି ତାକୁ […]

author-image
Sampad Mahapatra
ବିଜେଡିର ଚାଷୀ ଦରଦ ନା ହଲିଡେ୍ ଟ୍ରିପ୍

g

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଳର ଆଗଧାଡ଼ିର କର୍ମୀମାନଙ୍କୁ ବିଜେଡି ଏବେ ରାଜଧାନୀ ଦିଲ୍ଲୀ ବୁଲାଇ ସାଧାରଣ ନିର୍ବାଚନ ପାଇଁ ସେମାନଙ୍କୁ ମାନସିକସ୍ତରରେ ଫୂର୍ତ୍ତି କରାଉଛି ବୋଲି ଚର୍ଚ୍ଚା। ଶୁଣିବାକୁ ମିଳୁଛି, ଧାନର ଏମଏସପିକୁ କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା କରିବା ଦାବିରେ ଦିଲ୍ଲୀର ତାଲକୋଟରା ଷ୍ଟାଡ଼ିୟମର ଚାରିକାନ୍ଥ ଭିତରେ ବିଜେଡିର ପ୍ରସ୍ତାବିତ ଚାଷୀ ସମାବେଶ ଏବେ କେବଳ ପ୍ରହସନ ପାଲଟିବାକୁ ଯାଉଛି। ବିଜେଡି ନେତାମାନଙ୍କର ଆଚରଣ ହିଁ ରାଜ୍ୟର ଗରିବ ଚାଷୀଙ୍କ ପ୍ରତି ଦଳର କେତେ ଦରଦ ରହିଛି ତାକୁ ପଦାରେ ପକାଇଛି।

Advertisment

ଚର୍ଚ୍ଚା ହେଉଛି, ଦିଲ୍ଲୀ ଚାଷୀ ସମାବେଶରେ ସାମିଲ ହେବାକୁ ଭୁବନେଶ୍ୱରରୁ ସ୍ୱତନ୍ତ୍ର ଟ୍ରେନରେ ଯାଇଥିବା ୧୫୦୦ ଜଣଙ୍କ ମଧ୍ୟରେ ପ୍ରକୃତ ଚାଷୀଙ୍କ ସଂଖ୍ୟା ୫ ପ୍ରତିଶତ ବି ଟପିବନି। ଟ୍ରେନରେ ଯାଇଥିବା ଦଳର ମହିଳା, ଛାତ୍ର ଓ ଯୁବ ସଂଗଠନର କର୍ମୀ ଓ ଆଗଧାଡ଼ିର ନେତାମାନଙ୍କ ଆଚରଣ ଦେଖିଲେ ସେମାନେ ରାଜ୍ୟର ଚାଷୀଙ୍କ ସହ ଜଡ଼ିତ ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଦିଲ୍ଲୀ ଦରବାରରେ ଉତଥାପନ କରିବାକୁ ଯାଉଛନ୍ତି ବୋଲି କହିଲେ ବି କେହି ବିଶ୍ୱାସ କରିବେ ନାହିଁ। ସତେ ଯେମିତି ସେମାନେ ପିକନିକ୍ କରିବାକୁ ଯାଇଛନ୍ତି!

୫ତାରିଖ ରାତିରେ ଭୁବନେଶ୍ୱରରୁ ବାହାରିଥିବା ଟ୍ରେନ ୭ତାରିଖ ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିଛି। ଆଉ ଏହି ୪୦ ଘଣ୍ଟାର ଯାତ୍ରାକୁ ଦଳୀୟ କର୍ମୀମାନେ ସ୍ୱତନ୍ତ୍ର ଟ୍ରେନ ଭିତରେ କୁଆଡ଼େ ଭରପୂର ମଉଜମସ୍ତି କରିଛନ୍ତି। ଆଉ ଆଜି ରାତିରେ ସେମାନଙ୍କ ରହିବା ପାଇଁ ଯେଉଁ ବ୍ୟବସ୍ଥା ହୋଇଛି ତାହା ନକହିବା ଭଲ। ଚର୍ଚ୍ଚା ହେଉଛି, ଦଳର ଆଗଧାଡ଼ିର କିଛି ବିଧାୟକ ଓ ନେତା କୁଆଡ଼େ ଓଡ଼ିଶା ସରକାରଙ୍କ ଓଡ଼ିଶା ଭବନ କି ଓଡ଼ିଶା ସଦନରେ ନରହି ପଞ୍ଚତାରକା ହୋଟେଲକୁ ବାଛିଛନ୍ତି। ଗତକାଲି ରାତିଠୁ ସୁରାସାକିରେ ମଦମସ୍ତ ଥିବା ଏହି ନେତାମାନଙ୍କ ଆଚରଣ ବି ଦଳର କିଛି ବରିଷ୍ଠ ନେତାଙ୍କୁ କୁଆଡ଼େ ଅସନ୍ତୁଷ୍ଟ କରିଛି। ଓଡ଼ିଶାରୁ କୁଆଡ଼େ ଟ୍ରେନ ଓ ପ୍ଲେନରେ ପ୍ରାୟ ୨ହଜାର କର୍ମୀ ଓ ନେତା ଦିଲ୍ଲୀ ଯାଇଛନ୍ତି। ଏମାନଙ୍କ ମଧ୍ୟରେ ଦଳୀୟ ନେତ୍ରୀଙ୍କ ସଂଖ୍ୟା ପ୍ରାୟ ୨୦୦। ନିର୍ବାଚନୀ ବର୍ଷରେ ନିଜର ଗୁରୁତ୍ୱ ବଢ଼ାଇ ଟିକେଟ୍ ଖଣ୍ଡେ ହାସଲ କରିବା ଚକ୍କରରେ ବି ଏହି ନେତ୍ରୀମାନେ କୁଆଡ଼େ ଅଛନ୍ତି। ଯେଉଁଥିପାଇଁ ଦଳର ଆଗ ଧାଡ଼ିର ଯୁବନେତାମାନଙ୍କୁ ଭେଟିବାକୁ କୁଆଡ଼େ ଏହି ନେତ୍ରୀମାନଙ୍କ ଭିଡ଼ ଜମିଛି।

Advertisment

ଚର୍ଚ୍ଚା ହେଉଛି, ଦିଲ୍ଲୀ ଦରବାରରେ ବିଜୁ କୃଷକ ଜନତା ଦଳ ବ୍ୟାନରରେ ‘କୃଷକ ଅଧିକାର ଯାତ୍ରା’ କରିଥିବା ଓଡ଼ିଶାର ବିଜେଡି ନେତୃତ୍ୱ କ’ଣ ସତରେ ରାଜ୍ୟରେ କୌଣସି ଜଣେ ପ୍ରକୃତ ଚାଷୀଙ୍କୁ ପାଇଲେନି? ରାଜ୍ୟରେ ୧୯ବର୍ଷ ଧରି ଦୁର୍ଦ୍ଦଶା ପୀଡ଼ିତ ଚାଷୀଙ୍କୁ ଧରି ସମାବେଶ କରିଥିଲେ ହୁଏତ ଜାତୀୟ ଗଣମାଧ୍ୟମରେ ଏସବୁ ଆଲୋଚନାର ବିଷୟ ପାଲଟିଥାନ୍ତା। ତାହା ନକରି ଏନସିଆର ଅଞ୍ଚଳରେ ବସ୍ତିରେ ରହୁଥିବା ଓଡ଼ିଆ ଶ୍ରମିକଙ୍କୁ ଭଡ଼ାରେ ଆଣି ବିଜେଡି ସେଠାରେ ଚାଷୀ ଦୁର୍ଦ୍ଦଶାର ଛବି ଦେଖାଇବାକୁ କୁଆଡ଼େ ଯୋଜନା କରିଛି। ଓଡ଼ିଶାବାସୀଙ୍କ ଟିକସ ଅର୍ଥକୁ ହରିଲୁଟ୍ କରି ବିଜେଡି ନେତୃତ୍ୱ ଏବେ ଦଳୀୟ କର୍ମୀଙ୍କ ମଉଜମସ୍ତି ପାଇଁ ଦିଲ୍ଲୀରେ ଏଭଳି ସମାବେଶ ନକରି ଯଦି ଅନ୍ତତଃପକ୍ଷେ ୧୦୦ କିମ୍ବା ୨୦୦ଟଙ୍କାର ବୋନସ ଘୋଷଣା କରିଥାନ୍ତେ ହୁଏତ ତାହା ବିଜେଡିକୁ ନିର୍ବାଚନୀ ଫାଇଦା ଦେଇଥାନ୍ତା ବୋଲି ଚର୍ଚ୍ଚା।