Advertisment

New Tahasil ଆଉ ୪ଟି ନୂଆ ତହସିଲ ସ୍ଥାପନ ପାଇଁ ସରକାରଙ୍କ ନିଷ୍ପତ୍ତି: ୩ ଜିଲ୍ଲାପାଳଙ୍କୁ ମାଗିଲେ ପ୍ରସ୍ତାବ

ଭୁବନେଶ୍ୱର, କଟକ ଓ ସମ୍ବଲପୁର ସହରରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ୩ଟି ଜିଲ୍ଲାରେ ଅଧିକ ୪ଟି ତହସିଲ ଅଫିସ୍ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ୪ଟି ତହସିଲକୁ ମିଶାଇଲେ ରାଜ୍ୟରେ ତହସିଲ ସଂଖ୍ୟା ୩୨୧କୁ ବୃଦ୍ଧି ପାଇବ ।

author-image
Prakash Sethi
Lokseba-bhawan

ରାଜ୍ୟରେ ଆଉ ୪ଟି ନୂଆ ତହସିଲ ଅଫିସ୍ ଖୋଲିବ । ଭୁବନେଶ୍ୱର, କଟକ ଓ ସମ୍ବଲପୁର ସହରରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ୩ଟି ଜିଲ୍ଲାରେ ଅଧିକ ୪ଟି ତହସିଲ ଅଫିସ୍ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏନେଇ ସପ୍ତାହକ ମଧ୍ୟରେ ବିସ୍ତୃତ ପ୍ରସ୍ତାବ ଦାଖଲ କରିବାକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ୪ଟି ତହସିଲକୁ ମିଶାଇଲେ ରାଜ୍ୟରେ ତହସିଲ ସଂଖ୍ୟା ୩୨୧କୁ ବୃଦ୍ଧି ପାଇବ ।

Advertisment

ଖୋର୍ଦ୍ଧା, କଟକ ଓ ସମ୍ବଲପୁର ଜିଲ୍ଲାପାଳଙ୍କୁ ମଗାଗଲା ବିସ୍ତୃତ ପ୍ରସ୍ତାବ

ରାଜସ୍ୱ ବିଭାଗର ଅତିରିକ୍ତ ସଚିବ ଆଇଏଏସ୍ ମଧୁସ୍ମିତା ସାହୁ ଆଜି ଖୋର୍ଦ୍ଧା, କଟକ ଓ ସମ୍ବଲପୁର ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ନୂଆ ତହସିଲ ଅଫିସ୍ ସ୍ଥାପନ ନିମନ୍ତେ ନିର୍ଦ୍ଧାରିତ ଫର୍ମାଟରେ ପ୍ରସ୍ତାବ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସ୍ତାବକୁ ଅତ୍ୟନ୍ତ ଜରୁରୀ ଭାବେ ବିବେଚନା କରିବାକୁ ମଧ୍ୟ କହିଛନ୍ତି ।

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ମୁଖ୍ୟତଃ ଭୁବନେଶ୍ୱର, କଟକ ଓ ସମ୍ବଲପୁର ଭଳି ସହରରେ ଥିବା ତହସିଲ ଅଫିସ୍ ଉପରେ ଅତ୍ୟଧିକ କାର୍ଯ୍ୟଚାପ ଓ ଜମିଜମା ଓ ଅନ୍ୟାନ୍ୟ ସେବାକୁ ଅଧିକ ସୁଗମ କରିବା ଉଦ୍ଦେଶ୍ୟରେ ଏବେ ସୃଷ୍ଟି ହୋଇଥିବା ବିରାଟ ଆହ୍ୱାନକୁ ଦୃଷ୍ଟିରେ ରଖି ନିଆଯାଇଛି । ଏହି ତହସିଲଗୁଡ଼ିକରେ ସମ୍ପୃକ୍ତ ମହାନଗର ନିଗମ ଅଂଚଳରେ ହୋଇଥିବାବେଳେ ଏହାର ବିଶାଳ ଭୌଗୋଳିକ କ୍ଷେତ୍ର, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଘନତ୍ୱ ଓ ବହୁଳ ସେବା ଯୋଗାଣ କାର୍ଯ୍ୟ ଯୋଗୁଁ ଲୋକଙ୍କୁ ଅସୁବିଧା ହେଉଛି । ବିଶେଷକରି  ଭୁବନେଶ୍ୱର, କଟକ ଓ ସମ୍ବଲପୁର ମହାନଗର ନିଗମ ତଥା ପାଶ୍ୱର୍ବର୍ତ୍ତୀ ଅଂଚଳରେ ଜମିଜମା କିଣାବିକା ଅଧିକ ଭାବେ ବଢ଼ିଚାଲିଛି ।

Advertisment

ଏହି ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଭୁବନେଶ୍ୱର ତହସିଲକୁ ବିଭାଜନ କରି ୨ଟି ନୂଆ ତହସିଲ, କଟକ ତହସିଲକୁ ବିଭାଜନ କରି ଗୋଟିଏ ନୂଆ ତହସିଲ ଓ ସମ୍ବଲପୁର ତହସିଲକୁ ବିଭାଜନ କରି ଗୋଟିଏ ନୂଆ ତହସିଲ ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଛନ୍ତି ।


ସପ୍ତାହକ ସୁଦ୍ଧା ପ୍ରସ୍ତାବ ଦାଖଲ ପାଇଁ  ଜିଲ୍ଲାପାଳମାନଙ୍କୁ ନିର୍ଦେ୍‌ଦଶ

ରାଜସ୍ୱ ବିଭାଗ ପକ୍ଷରୁ ନିର୍ଦ୍ଧାରିତ ଫର୍ମାଟରେ ଆସନ୍ତା ୭ଦିନ ମଧ୍ୟରେ ବିସ୍ତୃତ ପ୍ରସ୍ତାବ ଦାଖଲ କରିବାକୁ ଖୋର୍ଦ୍ଧା, କଟକ ଓ ସମ୍ବଲପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପ୍ରସ୍ତାବରେ ନୂଆ ତହସିଲଗୁଡ଼ିକର ପ୍ରସ୍ତାବିତ ସ୍ଥାନ, ଆରଆଇ ସର୍କଲଗୁଡ଼ିକର ନାମ, ସେହି ତହସିଲରେ ସଂଯୁକ୍ତ ହେବାକୁ ଥିବା ଗ୍ରାମଗୁଡ଼ିକର ନାମ ଓ ସେଗୁଡ଼ିକର ପ୍ରାସଙ୍ଗିକ ଥାନା (ପୁଲିସ ଥାନା)ର ନାମ ଉଲ୍ଲେଖ କରିବାକୁ ପଡ଼ିବ । ପ୍ରସ୍ତାବ ପ୍ରସ୍ତୁତି ସମୟରେ ଭୌଗୋଳିକ ସୀମା ଓ ସାଧାରଣଙ୍କ ଲୋକଙ୍କ ପାଇଁ ପ୍ରଶାସନିକ ସୁବିଧାକୁ ଦୃଷ୍ଟିରେ ରଖିବାକୁ କୁହାଯାଇଛି । ସେହିପରି ଏହି ପ୍ରସ୍ତାବ ଚୂଡ଼ାନ୍ତ କରିବାବେଳେ ନିର୍ବାଚିତ ପ୍ରତିନିଧି ଓ ଅଂଶୀଦାରମାନଙ୍କ ସହ ଆଲୋଚନା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ।

ଆବଶ୍ୟକ କର୍ମଚାରୀ, ଆର୍ଥିକ ପ୍ରଭାବ ଏବଂ ଭିତ୍ତିଭୂମିର ତଥ୍ୟ ଦାଖଲ

ନୂଆ ତହସିଲଗୁଡ଼ିକ ପାଇଁ ଆବଶ୍ୟକ କର୍ମଚାରୀ ଓ ଆର୍ଥିକ ବିବରଣୀକୁ ସଂପୃକ୍ତ ରାଜସ୍ୱ ଡିଭିଜନାଲ୍ କମିଶନରଙ୍କ (ଆରଡିସି) ମାଧ୍ୟମରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି  । ବିଭାଗ ଦେଇଥିବା ନିର୍ଦ୍ଧାରିତ ଫର୍ମାଟରେ ନୂଆ ତହସିଲର ସ୍ଥାନ, କାର୍ଯ୍ୟକ୍ଷେତ୍ର, ଆରଆଇ ସର୍କଲ ଏବଂ ଗାଁର ତାଲିକା , ବିଭିନ୍ନ ରାଜସ୍ୱ ମାମଲାର ତଥ୍ୟ , ଆବଶ୍ୟକ କର୍ମଚାରୀଙ୍କ ତାଲିକା, ଦରମା ବାବଦ ବ୍ୟୟ , ନୂଆ କୋଠା ନିର୍ମାଣ, ଆଇଟି ଭିତ୍ତିଭୂମି ଓ କର୍ମଚାରୀ କ୍ୱାର୍ଟର୍ସ ପାଇଁ ଆବଶ୍ୟକ ଅର୍ଥ ବିବରଣୀ ଦାଖଲ କରିବାକୁ କୁହାଯାଇଛି ।