Advertisment

Exam Cancelled: ସବୁ ନିଯୁକ୍ତି ଓ ଚୟନ ବୋର୍ଡକୁ ପରୀକ୍ଷା ବାତିଲର ତଥ୍ୟ ମାଗିଲେ ସରକାର

ନୂଆ ବିଜେପି ସରକାର କ୍ଷମତାକୁ ଆସିବା ପରେ ଅର୍ଥାତ ୨୦୨୪ ଜୁନ୍ ମାସ ପରଠୁ ଆଜିସୁଦ୍ଧା କେତେ ନିଯୁକ୍ତି ପରୀକ୍ଷା ବାତିଲ ହୋଇଛି ତା’ର ତଥ୍ୟ ଦେବାକୁ କହିଛନ୍ତି ।  ନିର୍ଦ୍ଧାରିତ ଫର୍ମାଟରେ ବିଭାଗର ଇ-ମେଲ୍ ମାଧ୍ୟମରେ ଏହି ତଥ୍ୟ ବିସ୍ତୃତ ଭାବେ ଦେବାକୁ ସେ କହିଛନ୍ତି।

author-image
Prakash Sethi
Lokseba-bhawan

Lokaseba Bhawan

ପୁଲିସ ଏସଆଇ ପରୀକ୍ଷା ଅନିୟମିତତାକୁ ନେଇ ବିରୋଧୀ ଦଳର କଡ଼ା ସମାଲୋଚନା ଭିତରେ ରାଜ୍ୟ ସରକାର ସମସ୍ତ ନିଯୁକ୍ତି ଓ ଚୟନ ବୋର୍ଡକୁ ପରୀକ୍ଷା ବାତିଲ ସଂକ୍ରାନ୍ତ ତଥ୍ୟ ମାଗିଛନ୍ତି । ନୂଆ ବିଜେପି ସରକାର କ୍ଷମତାକୁ ଆସିବା ପରେ ଅର୍ଥାତ ୨୦୨୪ ଜୁନ୍ ମାସ ପରଠୁ କେଉଁ ସବୁ ପରୀକ୍ଷା ବାତିଲ ହୋଇଛି ତା’ର ତଥ୍ୟ ନିର୍ଦ୍ଧାରିତ ଫର୍ମାଟରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ଅତ୍ୟନ୍ତ ଜରୁରୀ ଭାବେ ଦର୍ଶାଇ ଆଜି ହିଁ ସାଧାରଣ ପ୍ରଶାସନ ବିଭାଗର ଇମେଲ୍ ମାଧ୍ୟମରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଆଜି କେଉଁ ସବୁ ଚୟନ ଓ ନିଯୁକ୍ତି ବୋର୍ଡ ଏହି ତଥ୍ୟ ଦେଇଛନ୍ତି ତାହା ଜଣାପଡ଼ିନାହିଁ ।

Advertisment

ସାଧାରଣ ପ୍ରଶାସନ ବିଭାଗର ଚିଠି, ଆଜି ହିଁ ତଥ୍ୟ ଦିଅ

ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଦେବବ୍ରତ ମଲ୍ଲିକ ଶନିବାର( ଅକ୍ଟୋବର ୪ତାରିଖ)ରେ ରାଜ୍ୟ ସରକାରଙ୍କ ସମସ୍ତ ନିଯୁକ୍ତି ଓ ଚୟନ ବୋର୍ଡ ମୁଖ୍ୟଙ୍କୁ ଚିଠି ଲେଖି ୨୦୨୪ ଜୁନ୍ ମାସ ପରଠୁ ଆଜିସୁଦ୍ଧା କେତେ ନିଯୁକ୍ତି ପରୀକ୍ଷା ବାତିଲ ହୋଇଛି ତା’ର ତଥ୍ୟ ଦେବାକୁ କହିଛନ୍ତି ।  ନିର୍ଦ୍ଧାରିତ ଫର୍ମାଟରେ ବିଭାଗର ଇ-ମେଲ୍ ମାଧ୍ୟମରେ ଏହି ତଥ୍ୟ ବିସ୍ତୃତ ଭାବେ ଦେବାକୁ ସେ କହିଛନ୍ତି। ଏହି ତଥ୍ୟକୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି । ବିରୋଧୀ ଦଳଗୁଡ଼ିକ ରାଜ୍ୟରେ ୧୫ମାସର ନୂଆ ସରକାର ୧୬ଥର ପରୀକ୍ଷା ବାତିଲ( odisha Job scam) କରିଥିବାର ଅଭିଯୋଗ ଆଣିବା ପରେ ବାସ୍ତବ ସ୍ଥିତି ଯାଂଚ ପାଇଁ ସରକାର ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି । ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ନିରବଚ୍ଛିନ୍ନ କରିବା ଉଦ୍ଦେଶ୍ୟରେ ଏହି ତଥ୍ୟ ସଂଗ୍ରହ କରାଯାଉଥିବା ଜଣାପଡ଼ିଛି ।

କେଉଁମାନଙ୍କୁ ମଗାଗଲା ତଥ୍ୟ

ସମସ୍ତ ସରକାରୀ ବିଭାଗ, ଓଡ଼ିଶା(Odisha) ପୁଲିସ ନିଯୁକ୍ତି ବୋର୍ଡ(ଓପିଆରବି)ଅଧ୍ୟକ୍ଷ, ଓଡ଼ିଶା ପୁଲିସ ରାଜ୍ୟ ଚୟନ ବୋର୍ଡ ଅଧ୍ୟକ୍ଷ, ଓଡ଼ିଶା ପୁଲିସ ମିନିଷ୍ଟ୍ରିଆଲ ଷ୍ଟାଫ ସିଲେକ୍ସନ ବୋର୍ଡ ଅଧ୍ୟକ୍ଷ, ସିଲେକ୍ସନ ବୋର୍ଡ(ପୁଲିସ) ଅଧ୍ୟକ୍ଷ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓସେପା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମେତ ଓଡ଼ିଶା ଲୋକସେବା ଆୟୋଗର ସଚିବ, ଓଡ଼ିଶା ଷ୍ଟାଫ ସିଲେକ୍ସନ ଆୟୋଗର ସଚିବ, ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ ଆୟୋଗର ସଚିବ ଓ ରାଜ୍ୟ ଚୟନ ବୋର୍ଡ(ଉଚ୍ଚଶିକ୍ଷା)ର ସଚିବଙ୍କୁ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

Odisha Odisha Job Scam