
ଆଜିଠୁ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟିଙ୍କ ନିଜର ପାରମ୍ପରିକ ଅଭିଭାଷଣ ରଖି ଓଡ଼ିଶାର ବିକାଶ ପାଇଁ ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛନ୍ତି। ‘ଜୟ ଜଗନ୍ନାଥ’ କହି ନିଜର ଅଭିଭାଷଣ ଆରମ୍ଭ କରି ରାଜ୍ୟପାଳ ଡଃ ହରିବାବୁ ଓଡ଼ିଶାକୁ ଭାରତର ବିକାଶର ‘ଗ୍ରୋଥ୍ ଇଞ୍ଜିନ’ ଭାବେ ଗଢ଼ିତୋଳିବାକୁ ସରକାରଙ୍କ ସଂକଳ୍ପର ସୂଚନା ଦେଇଛନ୍ତି। ଦେଶ ସ୍ୱାଧୀନତାର ୧୦୦ବର୍ଷ ପୂର୍ତ୍ତିବେଳକୁ ରାଜ୍ୟବାସୀଙ୍କ ମୁଣ୍ଡପିଛା ଆୟ ୩୨ଲକ୍ଷ ଟଙ୍କାରେ ପହଂଚାଇବାର ସରକାର ଲକ୍ଷ୍ୟ ରଖିଥିବା ରାଜ୍ୟପାଳ କହିଛନ୍ତି।ରାଜ୍ୟର ମୋହନ ମାଝୀ ସରକାର ଆଜି ରାଜ୍ୟପାଳଙ୍କ ମୁହଁରେ ୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟରେ ପରିଣତ କରିବାର ସଂକଳ୍ପ ପ୍ରକାଶ କରିଛନ୍ତି।
ତେବେ ରାଜ୍ୟପାଳଙ୍କ ଅଭିଭାଷଣକୁ ଦୁଇ ବିରୋଧୀ ଦଳ କଂଗ୍ରେସ ଓ ପରେ ବିଜେଡି ବର୍ଜନ କରିଥିବାବେଳେ ଦୁଇ ନିଲମ୍ବିତ ବିଜେଡି ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ ଶେଷପର୍ଯ୍ୟନ୍ତ ନିଜ ଆସନରେ ବସି ରହିବା ଚର୍ଚ୍ଚାର ବିଷୟ ପାଲଟିଛି। ଆଉ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ରାଜ୍ୟପାଳଙ୍କ ଅଭିଭାଷଣ କେବଳ "କଥାରେ ଲମ୍ବା କିନ୍ତୁ କାମରେ ଶୂନ’ ବୋଲି କହି ନବୀନ କଟାକ୍ଷ କରିଛନ୍ତି।
ବିକଶିତ ଭାରତର ସାରଥି ସାଜିବ ଓଡ଼ିଶା
ରାଜ୍ୟପାଳ ନିଜ ଅଭିଭାଷଣରେ କହିଛନ୍ତି ଯେ, ଓଡ଼ିଶା ଏକ ନୂତନ ଯୁଗରେ ପ୍ରବେଶ କରିଛି । ୨୦୩୬ ମସିହାରେ ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟକୁ ଏକ ସମୃଦ୍ଧ ଓ ସଶକ୍ତ ଓଡ଼ିଶା ଭାବେ ଗଢ଼ିବା ପାଇଁ ସରକାର ଏକ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିଛନ୍ତି । ଏହି ଡକ୍ୟୁମେଂଟକୁ ପ୍ରଧାନମନ୍ତ୍ରୀ ୨୦୨୫ ଜୁନ୍ ୨୦ତାରିଖରେ ଉନ୍ମୋଚନ କରିଥିଲେ।ଯାହା ଏକ ସୁସଂଗଠିତ ଦୀର୍ଘମିଆଦୀ ଭିଜନ ଢ଼ାଞ୍ଚା ଥିବା ରାଜ୍ୟ ଭାବେ ଓଡ଼ିଶାକୁ ଦେଶର ୩ଟି ରାଜ୍ୟ ମଧ୍ୟରେ ସ୍ଥାନିତ କରାଇଛି ।
୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିୟନ ଆମେରିକୀୟ ଡଲାରର ଅର୍ଥନୀତି ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଡଲାରର ଅର୍ଥନୀତିରେ ପରିଣତ କରିବାକୁ ଏହି ଭିଜନରେ ଲକ୍ଷ୍ୟ ରହିଛି। ଜାତୀୟ ମୋଟ ଘରୋଇ ଉତ୍ପାଦରେ ଓଡ଼ିଶାର ଅବଦାନକୁ ୩ରୁ ୫ପ୍ରତିଶତକୁ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି। ସେହିପରି ରାଜ୍ୟର ମୁଣ୍ଡପିଛା ଆୟକୁ ୧.୮ ଲକ୍ଷ ଟଙ୍କାରୁ ବୃଦ୍ଧି କରି ୨୦୪୭ ସୁଦ୍ଧା ୩୨ ଲକ୍ଷ ଟଙ୍କାରେ ପହଂଚାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ଓଡ଼ିଶା କେବଳ ଭାରତର ଏକ ଅଂଶ ହୋଇ ରହିବ ନାହିଁ, ବରଂ ‘ବିକଶିତ ଭାରତ' ଅଭିଯାନରେ ସବୁଠାରୁ ଆଗୁଆ ରାଜ୍ୟ ଭାବେ ଉଭା ହେବ ବୋଲି ସେ ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି। ଓଡ଼ିଶା ଆଗାମୀ ଦିନରେ ‘ବିକଶିତ ଭାରତ'ର ମୁଖ୍ୟ ଗ୍ରୋଥ୍ ଇଞ୍ଜିନ୍ ସାଜିବ ବୋଲି ରାଜ୍ୟପାଳ(Governor Of Odisha) କହିଛନ୍ତି।
ସେହିପରି ରାଜ୍ୟପାଳ କହିଛନ୍ତି ଯେ, ଓଡ଼ିଶାକୁ ଏକ ସେମିକଣ୍ଡକ୍ଟର ହବ୍ ଭାବେ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାରଙ୍କ ସହାୟତାରେ ବଡ଼ ଯୋଜନା କରାଯାଇଛି। ଏବେ ରାଜ୍ୟରେ ୫୫ଟି ଇସ୍ପାତ କାରଖାନା କାର୍ଯ୍ୟ କରୁଥିବା ବେଳେ ୨୦୩୦ ସୁଦ୍ଧା ୧୦୦ ମିଲିୟନ ଟନ୍ ଇସ୍ପାତ ଉତ୍ପାଦନ ପାଇଁ ପ୍ରସ୍ତୁତି ଚାଲିଛି। ଏଥିସହିତ ଭୁବନେଶ୍ୱର-ଖୋର୍ଦ୍ଧା-କଟକ ରିଙ୍ଗରୋଡ୍ ଓ ରାମେଶ୍ୱର-ପାରାଦୀପ କୋଷ୍ଟାଲ ହାଇୱେ ଭଳି ମେଗା ପ୍ରକଳ୍ପଗୁଡ଼ିକ ରାଜ୍ୟର ଯୋଗାଯୋଗ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିବ। ଏହି ସମସ୍ତ ଶିଳ୍ପାୟନ ମାଧ୍ୟମରେ ପ୍ରାୟ ୪.୬୫ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ରାଜ୍ୟପାଳ ସୂଚନା ଦେଇଛନ୍ତି ।
ସରକାରଙ୍କ କୃଷକ ଓ ମହିଳା ସଶକ୍ତିକରଣକୁ ପ୍ରଶଂସା
ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟି ରାଜ୍ୟ ସରକାରଙ୍କ କୃଷକ ଓ ମହିଳା ସଶକ୍ତିକରଣ ଯୋଜନାକୁ ପ୍ରଶଂସା କରିଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା କରାଯିବା ସହ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ପ୍ରାପ୍ୟ ପଠାଯାଉଛି। ମହିଳାମାନଙ୍କ ପାଇଁ ‘ସୁଭଦ୍ରା' ଯୋଜନା ଓ ‘ଲକ୍ଷପତି ଦିଦି' ଅଭିଯାନ ମାଧ୍ୟମରେ ସେମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବାକୁ ସରକାର ପ୍ରାଥମିକତା ଦେଇଛନ୍ତି। ରାଜ୍ୟରୁ ପୁଷ୍ଟିହୀନତା ଓ ରକ୍ତହୀନତା ଦୂର କରିବା ସହ ପ୍ରତ୍ୟେକ ବର୍ଗର ଲୋକଙ୍କ ନିକଟରେ ସୁବିଧା ପହଞ୍ଚାଇବା ପାଇଁ ସରକାର ବଦ୍ଧପରିକର ବୋଲି ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି ।
ନବୀନଙ୍କ କଟାକ୍ଷ: ଭାଷଣ ବହୁତ କାମ ଶୂନ
ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ପ୍ରତିକ୍ରିୟା ଦେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟପାଳଙ୍କ ଅଭିଭାଷଣ କେବଳ "କଥାରେ ଲମ୍ବା କିନ୍ତୁ କାମରେ ଶୂନ’। ସରକାର କେବଳ ପ୍ରଚାର ପ୍ରସାରରେ ବ୍ୟସ୍ତ ରହୁଛନ୍ତି କିନ୍ତୁ ବାସ୍ତବରେ କୌଣସି ଉଲ୍ଲେଖନୀୟ ବିକାଶ କାର୍ଯ୍ୟ ହେଉନାହିଁ। ସରକାରଙ୍କ ପାଖରେ ଓଡ଼ିଶାର ପ୍ରକୃତ ସମସ୍ୟା ସମାଧାନ ପାଇଁ କୌଣସି ଦୂରଦୃଷ୍ଟି ନାହିଁ। ଏବେ ଓଡ଼ିଶାରେ ଆଇନଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ସ୍ଥିତିରେ ପହଞ୍ôଚଛି। ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଓ ଅରାଜକତା ଦେଖାଦେଉଛି, ଯାହା ଭାରତର ଅନ୍ୟ କୌଣସି ରାଜ୍ୟରେ ଏଭଳି ଭାବେ ଦେଖିବାକୁ ମିଳେନାହିଁ ବୋଲି ନବୀନ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
