/odisha-reporter/media/media_files/2026/02/21/govt-quarter-2026-02-21-13-52-37.jpg)
ନିଜ ସମ୍ପତ୍ତି ପରି ଭଡ଼ାରେ ଲଗେଇ ଥିଲେ ସରକାରୀ କ୍ୱାର୍ଟର୍ସ। ତାହା ପୁଣି ଦୋକାନ ଘର ପାଇଁ। ବର୍ଷେ କି ଦୁଇ ବର୍ଷ ପାଇଁ ନୁହେଁ, କେହି କେହି ଦୀର୍ଘ ୨୦ ବର୍ଷ ହେଲା ସରକାରୀ କ୍ୱାର୍ଟର୍ସର ଗ୍ୟାରେଜକୁ ଦୋକାନ ଭାବେ ଭଡ଼ା ଦେଇଥିଲେ।
ଭୁବନେଶ୍ଵରର ୟୁନିଟ୍-୯ ଅଂଚଳରେ ଥିବା GA ବିଭାଗର ଏକ ସରକାରୀ କ୍ୱାର୍ଟର୍ସକୁ ଉଦହାରଣ ଭାବେ ନିଆଯାଉ। ଏଇଠି ଆଗରୁ ରହୁଥିବା କିଛି ସରକାରୀ କର୍ମଚାରୀଙ୍କ କାରନାମା ଶୁଣିଲେ ମୁଣ୍ଡରେ ହାତ ଦେବେ। ଏଇଭଳି କର୍ମଚାରୀଙ୍କ ପାଇଁ ହିଁ ସରକାର ବଦନାମ ହୁଅନ୍ତି। ବାବୁମାନେ କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ସରକାରୀ ଜାଗାରେ ଦୋକାନ ଘର ତିଆରି କରି ତାକୁ ୩୦ ହଜାର ଟଙ୍କାରେ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି। କ୍ୱାର୍ଟର୍ସ ଜାଗାକୁ ଭଡ଼ାରେ ଲଗାଇଥିବା ସରକାରୀ ବାବୁ ରିଟାୟାର୍ଡ ହୋଇ ଚାଲିଗଲେଣି। କିନ୍ତୁ ଦୋକାନ ଭଡ଼ାରେ ଚାଲିଛି। ଡେରିରେ ହେଉ ପଛେ, ଜିଏ ଆଉ ବିଡିଏ ଏନଫୋର୍ସମେଣ୍ଟ ଟିମ୍ ବେଆଇନ ଭାବେ ଏଠାରେ ଗଢି ଉଠିଥିବା ୧୪ଟି ଦୋକାନ ଘରକୁ ଉଚ୍ଛେଦ କରିଛି।
ସରକାରୀ କ୍ୱାର୍ଟର୍ସ ଜାଗାରେ କିଏ ଗ୍ରୋସରୀ ଦୋକାନ କରିଥିଲା ତ ଆଉ କିଏ ବୁଟିକ୍ କରିଥିଲା। ସେହିଭଳି କିଏ ଥଣ୍ଡା ପାନୀୟ ଦୋକାନ କରିଥିଲା ତ ଆଉ କିଏ ପାର୍ଲର କରିଥିଲା। ସ୍ଥାନୀୟ ଅଞ୍ଚଳରେ କିଛି କୁଜି ନେତାଙ୍କ ସାହସ ପାଇ ଏମାନେ ଦୋକାନ ଖୋଲିଥିଲେ। ସରକାରୀ କ୍ୱାର୍ଟର୍ସର ପାଚେରି ଭାଙ୍ଗି ତା’ଭିତରେ ଦୋକାନ କରି ଭଡ଼ାରେ ଲଗାଇଥିଲେ। ଏମିତିକି ଗୋଟିଏ ଲୋକର ୩/୪ଟି ଦୋକାନ ଭଡ଼ାରେ ଲାଗିଥିଲା। ଦୋକାନୀ ଏବେ କାନ୍ଦୁଛନ୍ତି। କହିଛନ୍ତି, ଆମେ ଗରିବ ଲୋକ। ଗାଁ ଛାଡି ପିଲାଙ୍କ ପାଠପଢା ପାଇଁ ଭୁବନେଶ୍ୱରରେ ଆସିରହିଛୁ। ସରକାରୀ ଜାଗାରେ ଦୋକାନ ଖଣ୍ଡେ କରି ଚଳୁଛୁ। ଏବେ ଆମେ କୁଆଡେ଼ ଯିବୁ।
ବିଧାନ ସଭାର ତଥ୍ୟ ଅନୁଯାୟୀ, ଭୁବନେଶ୍ୱରରେ ୫୦୦ଏକରରୁ ଅଧିକ ସରକାରୀ ଜମି ଜବରଦଖଲକାରୀଙ୍କ କବଜାରେ ରହିଛି।ଯାହାକୁ ଉଚ୍ଛେଦ କରିବା ପାଇଁ ଅଣ୍ଟା ଭିଡ଼ିଛି GA ବିଭାଗ।
ଭୁବନେଶ୍ୱରରୁ ସ୍ୱାତୀ ଜେନାଙ୍କ ରିପୋର୍ଟ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
