ଆଇଏଏସ କୋଚିଂ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ହେଲେ ଫଳ ଶୂନ। ତଥ୍ୟ କହୁଛି ୨୦୧୬ରୁ ୨୦୧୮ ଯାଏଁ ରାଜ୍ୟରେ ୫୦ରୁ ଅଧିକ ଡିଗ୍ରୀ କଲେଜ ଓ ୮ଟି ବିଶ୍ୱ ବିଦ୍ୟାଳୟରେ ମାଗଣା କୋଚିଂ ସେଣ୍ଟର ଖୋଲିଥିଲେ ସରକାର। ସେଥିପାଇଁ ଖର୍ଚ୍ଚ ହୋଇଥିଲା ୧ କୋଟି ୮୨ ଲକ୍ଷ ଟଙ୍କା। ପୁଣି ୨୦୧୯ ମସିହାରେ ଧ୍ୟେୟ ଇନ୍ୟୁଷ୍ଟିଚ୍ୟୁଟ ସହ ଚୁକ୍ତି ସ୍ୱାକ୍ଷର କରି ଭୁବନେଶ୍ୱରରେ କୋଚିଂ ହବ ମଧ୍ୟ ପ୍ରତିଷ୍ଠା କରି ୯୯ ଜଣ ପିଲାଙ୍କୁ କୋଚିଂ ଦେଇଥିଲେ। ମୋଟ୍ ଉପରେ କୋଚିଂ ବାବଦକୁ ୨ କୋଟି ୪୨ ଲକ୍ଷ ଖର୍ଚ୍ଚ ହୋଇଥିବା ତଥ୍ୟ କହୁଛି। ନିକଟରେ ACQ ଆଇଏଏସ ଏକାଡେମୀ ସହ ଚୁକ୍ତି କରି ପୁଣି ଆରମ୍ଭ କରିଛନ୍ତି ଆଇଏଏସ କୋଚିଂ। ଚଳିତ ଥର ୨୦୦ ପିଲା ଆଡ୍ମିଶନ ନେଇଛନ୍ତି।
ସେପଟେ ମଙ୍ଗଳବାର ପ୍ରକାଶ ପାଇଥିବା ସିଭିଲ ସର୍ଭିସ୍ ପରୀକ୍ଷାରେ ଓଡ଼ିଆ ପିଲାଙ୍କ ସଫଳତାକୁ ନେଇ ବଢିଛି ଚର୍ଚ୍ଚା। ହେଲେ ତା’ଠାରୁ ଅଧିକ ଆଲୋଚନା ଆଉ ସମାଲୋଚନା ସିଭିଲ ସର୍ଭିସ କୋଚିଂକୁ ନେଇ। କାହିଁକି ନା ଏଥର ୟୁପିଏସସିରେ ସଫଳ ହୋଇଥିବା ଅଧିକାଂଶ ରାଜ୍ୟ ବାହାରେ କୋଚିଂ ନେଇଛନ୍ତି।
ତେଣୁ ଏବେ ପ୍ରଶ୍ନ ଉଠିଲାଣି, ରାଜ୍ୟ ଭିତରେ ଦିଆଯାଉଥିବା କୋଚିଂ ଫଳପ୍ରଦ ହେଉନି ନା ଆଶାୟୀଙ୍କ ଭରସା ପାଉନି? କାହିଁକି ବାହାର ମୁହାଁ ହେଉଛନ୍ତି ସିଭିଲ ସର୍ଭିସ ଆଶାୟୀ? ଭିତ୍ତିଭୂମିର ଅଭାବ ନା ଗୁଣାତ୍ମକ ଶିକ୍ଷାର ଅଭାବ? ଏହା ବାଦ ଓଡ଼ିଶା ସରକାର ଦେଉଥିବା ସିଭିଲ ସର୍ଭିସ କୋଚିଂ ଖାଲି ଭେଳିକି କି? ଘରୋଇ କଥା ଛାଡନ୍ତୁ ଖୋଦ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି କୋଚିଂ କରୁଥିବା ବେଳେ କିନ୍ତୁ ଜଣେ ବି କ୍ଲିୟର କରିପାରି ନାହାନ୍ତି। ତେଣୁ ଖାଲି ଭିତ୍ତିଭୂମି ନୁହଁ, କ୍ୱାଲିଟି ଟିଚିଂ ଓ ଉତ୍ତମ ବାତାବରଣ ଉପରେ ଧ୍ୟାନ ଦେବାକୁ କହିଛନ୍ତି ଆଶାୟୀ ଛାତ୍ରଛାତ୍ରୀ।