ବଲାଙ୍ଗିର(ଘଟେଶ୍ୱର ମିଶ୍ର): ପରିବାର ଉଜାଡ଼ି ଦେଉଛି ଝାଡ଼ାବାନ୍ତି । ଗତକାଲି ରାତିରେ ଜେଜେମା’ ଓ ଆଜି ସକାଳେ ଆଖି ବୁଜିଲେ ନାତି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୋଟିଏ ପରିବାରର ୨ ଜଣ ଆଖି ବୁଜିବା ପରେ ଗାଁରେ ଖେଳି ଯାଇଛି ଶୋକର ଛାୟା। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦେଦର୍ହ ଗାଁରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଥିବା ବେଳେ ପରିସ୍ଥିତି ଧୀରେ ଧୀରେ ଅଣାୟତ୍ତ ହେବାରେ ଲାଗିଛି। ମୃତକଦ୍ୱୟ ହେଲେ ୫୫ ବର୍ଷୀୟ କୁନି ମେହେର ଓ ତାଙ୍କ ୧୧ ବର୍ଷୀୟ ନାତି ବବଲୁ ।
ଗତକାଲି ରାତିରେ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ବେଳେ କୁନିଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ସକାଳୁ ଆଖି ବୁଜିଛନ୍ତି ବବଲୁ । ଗତ ଗଣେଶ ପୂଜା ଦିନଠୁ ଦେଦର୍ହ ଗାଁରେ ଝାଡାବାନ୍ତି ବ୍ୟାପିବାରେ ଲାଗିଥିବା ବେଳେ ପରିସ୍ଥିତି ଏବେ ସଙ୍ଗିନ ହେବାରେ ଲାଗିଛି।
ଏହି ଗାଁର ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଗତ ଦୁଇଦିନ ହେଲା ଆକ୍ରାନ୍ତମାନେ ଗୁରୁତର ହେବାରେ ଲାଗିଛନ୍ତି । ଏବେ ଗାଁରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଡେଇଁଲାଣି। ଏବେ ବି ୨୦ ଜଣ ଆକ୍ରାନ୍ତ ଗାଁରେ ଚିକିତ୍ସିତ ହେଉଥିବା ବେଳେ ୧୦ ଗୁରୁତରଙ୍କୁ ପାଟଣାଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗାଁରେ ସ୍ୱତନ୍ତ୍ର ମେଡିକାଲ ଟିମ୍ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା ଜାରୀ ରଖିଛନ୍ତି ।