
ହାଇକୋର୍ଟଙ୍କ କଡ଼ା ତାଗିଦ ପରେ ରାଜ୍ୟ ସରକାର ଶେଷରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରର ଗଣତିମଣତି ପାଇଁ ଗ୍ରୀନ୍ ସିଗନାଲ ଦେଇଛନ୍ତି । ରତ୍ନଭଣ୍ଡାର ଗଣତି ନିମନ୍ତେ ଆବଶ୍ୟକ SOP ଏସଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର)କୁ ନେଇ ଆଜି ଦୁଇଟି ପର୍ଯ୍ୟାୟ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି ଓ ଏହି ଏସଓପିକୁ ରାଜ୍ୟ ସରକାରଙ୍କ ଅନୁମତି ମିଳିବା ପରେ ରତ୍ନଭଣ୍ଡାର ଖୋଲିବା ଓ ଗଣତି ପାଇଁ ତାରିଖ ଧାର୍ଯ୍ୟ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।
SOP ଅନୁସାରେ ହେବ ଗଣତି, ସହଯୋଗ କରିବେ ଆରବିଆଇ ବିଶେଷଜ୍ଞ
ଆଜି ଉଚ୍ଚସ୍ତରୀୟ ବୈଠକ ପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ଓ ଗଣତିମଣତି ପାଇଁ ଉଚ୍ଚସ୍ତରୀୟ କମିଟି ଦ୍ୱାରା ପ୍ରସ୍ତୁତ ଓ ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ଅନୁମୋଦିତ ଏସଓପି ଏବେ ରାଜ୍ୟ ସରକାରଙ୍କ ବିଚାରାଧୀନ ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ ମିଳିବା ପରେ ରତ୍ନଭଣ୍ଡାର ଖୋଲିବା ଓ ଗଣତି ନିମନ୍ତେ ତାରିଖ ଧାର୍ଯ୍ୟ କରାଯିବ।
ଗଣତି ପ୍ରକ୍ରିୟାକୁ ଅତ୍ୟନ୍ତ ସ୍ୱଚ୍ଛ କରିବା ପାଇଁ ଏହି କାର୍ଯ୍ୟରେ ରିଜର୍ଭ ବ୍ୟାଙ୍କର ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ ନିୟୋଜିତ ହେବେ। ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ରତ୍ନର ଓଜନ ତଥା ମାନ ପରୀକ୍ଷା ପାଇଁ ଏହି ବିଶେଷଜ୍ଞମାନେ ସହାୟତା ଯୋଗାଇ ଦେବେ। ଏସଓପି ଅନୁମୋଦନ ପରେ ତୁରନ୍ତ ଏହି ଟିମ୍ ସହ ଯୋଗାଯୋଗ କରାଯାଇ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ରତ୍ନଅଳଙ୍କାରର ହେବ ଫଟୋଗ୍ରାଫି ଓ ଡିଜିଟାଲ୍ କାଟାଲଗ୍
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତିମଣତି ଖୁବଶୀଘ୍ର ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଛି । ବୈଠକରେ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏକ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରି ଗଣତିମଣତିର ସମସ୍ତ ପୂର୍ବ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ସମାପ୍ତ ହୋଇଥିବାର ସୂଚନା ଦେଇଥିଲେ । ବାହାର ଓ ଭିତର ରତ୍ନଭଣ୍ଡାରର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଶେଷ ହୋଇସାରିଛି । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସମଗ୍ର ପ୍ରକ୍ରିୟା ୯୫ ଦିନରେ ଓ ୩୩୩ ଘଂଟାର କାମ ଦ୍ୱାରା ସମ୍ପନ୍ନ ହୋଇଛି ।
Jagannath Temple ରତ୍ନଭଣ୍ଡାରର ଗଣତିମଣତି ଶେଷଥର ପାଇଁ ୧୯୭୮ମସିହାରେ ହୋଇଥିଲା । ତେଣୁ ଏବେ ସମ୍ପତ୍ତିର ଗଣତି ସମୟରେ ଏହାକୁ ୧୯୭୮ର ତାଲିକା ସହିତ ମେଳକ କରାଯାଇ ଚୁଡାନ୍ତ ତାଲିକା ପ୍ରସ୍ତୁତ କରାଯିବ । ପ୍ରକ୍ରିୟାରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସମସ୍ତ ଅଳଙ୍କାରର ଉଚ୍ଚମାନର ଫଟୋଗ୍ରାଫି କରାଯିବ ଓ ଏକ ଡିଜିଟାଲ୍ କାଟାଲଗ୍ ପ୍ରସ୍ତୁତ ହେବ, ଯାହାଦ୍ୱାରା ଭବିଷ୍ୟତ ପାଇଁ ଏକ ସ୍ଥାୟୀ ତଥ୍ୟ ରହିପାରିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ସୂଚନାଯୋଗ୍ୟ, ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବା ନିମନ୍ତେ ଗ୍ରୀନ୍ ସିଗନାଲ ଦେଇଥିଲେ ମଧ୍ୟ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ କମିଶନଙ୍କ ତଦନ୍ତ ରିପୋର୍ଟକୁ ଉପସ୍ଥାପନ କରିବେ କି ନାହିଁ ତାକୁ ନେଇ ସଂଶୟ ଲାଗି ରହିଛି । ଯଦିଓ ହାଇକୋର୍ଟ ଏହି ରିପୋର୍ଟ ଉପସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
