Advertisment

Green Sticker Chaos: ପଲ୍ୟୁସନ୍ ସାର୍ଟଫିକେଟ୍ ଥାଇ ବି ଲମ୍ବାଧାଡ଼ିରେ ଛିଡ଼ା ହେବେ ଗାଡ଼ି ମାଲିକ

ପଲ୍ୟୁସନ୍ ସାର୍ଟିଫିକେଟ୍ ଥିବା ଗାଡ଼ିମାଲିକମାନଙ୍କୁ ‘ଗ୍ରୀନ୍ ଷ୍ଟିକର’ ପାଇବା ପାଇଁ ଆରଟିଓର ଚକ୍କର କାଟିବା ଓ ଘଣ୍ଟାଘଣ୍ଟା ଧରି ପୁଣିଥରେ ଲମ୍ବାଧାଡ଼ିରେ ଛିଡ଼ା ହେବେ । ନିଜର ପଲ୍ୟୁସନ୍ ସାର୍ଟିଫିକେଟ୍ ଅପଡେଟ୍ ଥାଇ ସେମାନଙ୍କୁ କାହିଁକି ଲମ୍ବାଧାଡ଼ିରେ ଛିଡ଼ା ହେବାକୁ ବାଧ୍ୟ କରାଯାଉଛି?

ଅଦ୍ୟତନ ହୋଇଛି
No-PUC-No-fuel
Advertisment

ପ୍ରଦୂଷଣ ନିୟନ୍ତ୍ରଣ ନାଁରେ ରାଜ୍ୟ ପରିବହନ ବିଭାଗର ନିୟମ ଏବେ ସାଧାରଣ ଲୋକଙ୍କ ପାଇଁ ବୋଝ ପାଲଟିଛି । ପଲ୍ୟୁସନ୍ ସାର୍ଟିଫିକେଟ୍ ନଥିବା ଗାଡ଼ି ଚାଳକମାନେ ଏବେ ବିଭିନ୍ନ ପଲ୍ୟୁସନ୍ କେନ୍ଦ୍ରଗୁଡ଼ିକ ଆଗରେ ଲମ୍ବା ଧାଡ଼ି ଲଗାଇଥିବାବେଳେ ରାଜ୍ୟ ସରକାରଙ୍କ ‘ଗ୍ରୀନ ଷ୍ଟିକର’ ନିୟମ ଯୋଗୁ ଏବେ ପଲ୍ୟୁସନ୍ ସାର୍ଟିଫିକେଟ୍ ଅପଡେଟ୍ ରଖିଥିବା ଗାଡ଼ି ମାଲିକ ଓ ଚାଳକଙ୍କୁ ବି ଅନୁରୂପ ଲମ୍ବାଧାଡ଼ିରେ ଛିଡ଼ା ହେବାକୁ ବାଧ୍ୟ କରାଯାଉଥିବା ଜଣାପଡ଼ିଛି ।

Advertisment

ନୂଆବର୍ଷରୁ ପଲ୍ୟୁସନ୍ ସାର୍ଟିଫିକେଟ ବାଧ୍ୟତାମୂଳକ କରାଯିବାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ରାଜ୍ୟ ସରକାର ଏହି ଅବଧିକୁ ପ୍ରଥମେ ଜାନୁୟାରୀ ୩୧ ଓ ପରେ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । କିନ୍ତୁ ପଲ୍ୟୁସନ୍ ସାର୍ଟିଫିକେଟ୍ ଥିବା ଗାଡ଼ିମାଲିକମାନଙ୍କୁ ‘ଗ୍ରୀନ୍ ଷ୍ଟିକର’ ପାଇବା ପାଇଁ ଆରଟିଓର ଚକ୍କର କାଟିବା ଓ ଘଣ୍ଟାଘଣ୍ଟା ଧରି ପୁଣିଥରେ ଲମ୍ବାଧାଡ଼ିରେ ଛିଡ଼ା କରାଇବାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ପ୍ରଦୂଷଣ ନିୟନ୍ତ୍ରଣ ନାଁରେ ଲୋକଙ୍କୁ ହଇରାଣ, ପୁଣି ନୂଆ ନିୟମ

ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇବା ପାଇଁ ଏବେ ରାଜ୍ୟରେ ବିଭିନ୍ନ ପଲ୍ୟୁସନ୍ କେନ୍ଦ୍ରଗୁଡ଼ିକ ଆଗରେ ଲମ୍ବାଧାଡ଼ି ଲାଗିଛି । ଲୋକେ ନିଜର କାମଧନ୍ଦା ଛାଡ଼ି ଘଣ୍ଟାଘଣ୍ଟା ଧରି ଏହି ସାର୍ଟିଫିକେଟ୍ ପାଇଁ ଅପେକ୍ଷା କରି ରହୁଛନ୍ତି । ପଲ୍ୟୁସନ୍ ସାର୍ଟିଫିକେଟ୍ ନାହିଁ ତ ପେଟ୍ରୋଲ ପମ୍ପରେ ତେଲ ମିଳିବ ନାହିଁ ବୋଲି ସରକାରଙ୍କ ଡିସେମ୍ବର ୨୨ତାରିଖର ନିଷ୍ପତ୍ତିକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ପରିବହନ ମନ୍ତ୍ରୀ ବିଭୂତି ଜେନା ପ୍ରଥମେ ଜାନୁୟାରୀ ୩୧ ଓ ପରେ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଏହି ଅବଧିକୁ ବୃଦ୍ଧି କରିଛନ୍ତି ।

Advertisment

ମନ୍ତ୍ରୀଙ୍କ ଏହି ବୟାନକୁ ନେଇ ସାଧାରଣ ଗାଡ଼ିଚାଳକ ସାମାନ୍ୟ ଆଶ୍ୱସ୍ତି ଥିବାବେଳେ ଡିସେମ୍ବର ୨୯ତାରିଖରେ ରାଜ୍ୟ ପରିବହନ କମିଶନରଙ୍କ ଦ୍ୱାରା ‘ଗ୍ରୀନ୍ ଷ୍ଟିକର ପାଇଁ ନୂଆ ଏସଓପି ଜାରି ହୋଇଛି । ଜାନୁୟାରୀ ୧୦ତାରିଖରୁ ରାଜ୍ୟର ଆରଟିଓ ଓ ପଲ୍ୟୁସନ୍ କେନ୍ଦ୍ରଗୁଡ଼ିକରେ ଏହି ଗ୍ରୀନ୍ ଷ୍ଟିକର ମିଳିବ । ମାତ୍ର ଯେଉଁମାନଙ୍କର ବୈଧ ପଲ୍ୟୁସନ୍ ସାର୍ଟିଫିକେଟ୍ ରହିଛି ସେମାନେ ଆରଟିଓରୁ ଏହି ଗ୍ରୀନ୍ ଷ୍ଟିକର ସଂଗ୍ରହ କରିବାକୁ କୁହାଯାଇଥିବାବେଳେ ଯେଉଁମାନେ ଜାନୁୟାରୀ ୧୦ ପରେ ନିଜର ପଲ୍ୟୁସନ୍ ସାର୍ଟିଫିକେଟ୍ କରିବେ ସେମାନେ ପଲ୍ୟୁସନ୍ କେନ୍ଦ୍ରରୁ ଏହି ଗ୍ରୀନ୍ ଷ୍ଟିକରକୁ ପଲ୍ୟୁସନ୍ ସାର୍ଟିଫିକେଟ୍ ସହ ପାଇପାରିବେ ।

ତେବେ ପ୍ରଶ୍ନ ଉଠିଛି, ଯେଉଁ ଗାଡ଼ିମାଲିକମାନେ ନିଜର ପଲ୍ୟୁସନ୍ ସାର୍ଟିଫିକେଟ୍ ଅପଡେଟ୍ ରଖିଛନ୍ତି ସେମାନଙ୍କୁ କାହିଁକି ଲମ୍ବାଧାଡ଼ିରେ ଛିଡ଼ା ହେବାକୁ ବାଧ୍ୟ କରାଯାଉଛି?

ଦଲାଲମୁକ୍ତ ହୋଇପାରିନି ଆରଟିଓ ଅଫିସ, ଏବେ ଲୋକେ ଭୋଗିବେ

ପରିବହନ କମିଶନରଙ୍କ ଡିସେମ୍ବର ୨୯ତାରିଖର ନିର୍ଦ୍ଦେଶାନୁସାରେ, ଯେଉଁମାନେ ୨୦୨୬ ଜାନୁୟାରୀ ୯ତାରିଖ ପୂର୍ବରୁ ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଛନ୍ତି, ସେମାନେ ଆରଟିଓ ଅଫିସରେ ଥିବା ସ୍ୱତନ୍ତ୍ର କାଉଣ୍ଟରରୁ ଏହି ଗ୍ରୀନ୍ ଷ୍ଟିକର ପାଇପାରିବେ । ରାଜ୍ୟର ଯେକୌଣସି ସ୍ଥାନରେ ଗାଡ଼ି ପଞ୍ଜିକରଣ ହୋଇଥିଲେ ମଧ୍ୟ ଗାଡ଼ି ଚାଳକ ଯେଉଁଠି ରହୁଛନ୍ତି ସେଠାରେ ଥିବା ଆରଟିଓରୁ ଏହି ଗ୍ରୀନ୍ ଷ୍ଟିକର ପାଇବେ । ତେବେ ଜଣେ ଗାଡ଼ିମାଲିକ ନିଜ ଗାଡ଼ିର ସମସ୍ତ କାଗଜପତ୍ର ବୈଧ ରଖିବା ପରେ ମଧ୍ୟ କାହିଁକି ଆରଟିଓ ଅଫିସରେ ନିଜର ଦିନଟିଏ ନଷ୍ଟ କରିବେ? ଷ୍ଟିକର ପାଇଁ ଆରସି ବୁକ୍‌, ପଲ୍ୟୁସନ ସାର୍ଟିଫିକେଟ୍ ଓ ଆଧାର କାର୍ଡ ଭଳି ପରିଚୟ ପତ୍ରର ଯାଂଚ କରିବା ପ୍ରକ୍ରିୟା କେବଳ ଆରଟିଓଗୁଡ଼ିକରେ ମାମଲାତି କରୁଥିବା ଦଲାଲମାନଙ୍କୁ ପ୍ରୋତ୍ସାହିତ କରିବ । ସରକାର ଏପର୍ଯ୍ୟନ୍ତ ଆରଟିଓଗୁଡ଼ିକୁ ଦଲାଲମୁକ୍ତ କରିବାରେ ସଫଳ ହୋଇନଥିବାବେଳେ ଜାନୁୟାରୀ ୧୦ ତାରିଖରୁ ଏହି ବ୍ୟବସ୍ଥା ଲାଗୁ କରି ଗାଡ଼ି ମାଲିକ ଓ ଚାଳକଙ୍କ ଉପରେ ଏକ ଅଯଥା ବୋଝ ଲଦି ଦେଇଛନ୍ତି  ।

ଅତିରିକ୍ତ ପରିବହନ କମିଶନରଙ୍କ ବୟାନ: କେବଳ କାଗଜ କଲମରେ ଆଶ୍ୱସ୍ତି

ଅତିରିକ୍ତ ପରିବହନ କମିଶନର ଦୀପ୍ତି ରଞ୍ଜନ ପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ, ଗ୍ରୀନ୍ ଷ୍ଟିକର କେବଳ ଏକ "ଭିଜୁଆଲ୍ ଇଣ୍ଡିକେଟ’ ଓ ଏହା ନଥିଲେ ମଧ୍ୟ ଜୋରିମାନା କଟାଯିବ ନାହିଁ । ଯଦି ଷ୍ଟିକରର କୌଣସି ଆଇନଗତ ଆବଶ୍ୟକତା ନାହିଁ ଓ ଜୋରିମାନା ଭୟ ନାହିଁ, ତେବେ ଏହି ପ୍ରକ୍ରିୟା ପାଇଁ ପଲ୍ୟୁସନ୍ ସାର୍ଟିଫିକେଟ୍ ଅପଡେଟ୍ ରଖିଥିବା ଗାଡ଼ିମାଲିକମାନଙ୍କୁ ହଇରାଣ କରାଯିବାର କ’ଣ ଆବଶ୍ୟକତା ରହିଛି । ସରକାର ଗୋଟିଏପଟେ ଅବଧି ବୃଦ୍ଧି କରୁଛନ୍ତି ଓ ଅନ୍ୟପଟେ ଷ୍ଟିକର ନାଁରେ ନୂଆ ନିୟମ ଲାଗୁ କରି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ।

ପରିବହନ କମିଶନରଙ୍କ ଏସଓପି ଅନୁସାରେ, ଗ୍ରୀନ୍ ଷ୍ଟିକରଟି ଟାମ୍ପରପ୍ରୁଫ୍ ଓ ସିକ୍ୟୁରିଟି ହୋଲୋଗ୍ରାମ ବିଶିଷ୍ଟ ହେବା ଆବଶ୍ୟକ । ପଲ୍ୟୁସନ କେନ୍ଦ୍ରଗୁଡ଼ିକ ଏହାକୁ ନିଜେ ପ୍ରସ୍ତୁତ କରି ମାଗଣାରେ ଗାଡ଼ି ମାଲିକଙ୍କୁ ଦେବେ ବୋଲି କୁହାଯାଇଛି। ଏଭଳି ସୁରକ୍ଷିତ ଷ୍ଟିକର ସାଧାରଣ ପଲ୍ୟୁସନ୍ କେନ୍ଦ୍ରଗୁଡ଼ିକ କିପରି ଏତେ କମ୍ ଅବଧି ମଧ୍ୟରେ ବିନା ମୂଲ୍ୟରେ ଯୋଗାଇବେ, ତାହା ଏକ ବଡ଼ ପ୍ରଶ୍ନବାଚୀ । ପଲ୍ୟୁସନ୍ ସାର୍ଟିଫିକେଟ୍ ଅପଡେଟ୍ ଥିବା ଲୋକେ ଏହି ଜଟିଳ ନିୟମ ଯୋଗୁଁ ଅଧିକ ହନ୍ତସନ୍ତ ହେଉଥିବାବେଳେ ପ୍ରଶାସନ କେବଳ ନିର୍ଦ୍ଦେଶନାମା ଜାରି କରି ନିଜ ଦାୟିତ୍ୱ ସାରିଦେଇଛି।

ପ୍ରଦୂଷଣ ନିୟନ୍ତ୍ରଣ ଆଳରେ ରାଜ୍ୟ ସରକାରଙ୍କ ଏହି ଅଧାପନ୍ତରିଆ ନିୟମ ଓ କଟ୍‌-ଅଫ୍ ଡେଟ ବାରମ୍ବାର ପରିବର୍ତ୍ତନ ଲୋକଙ୍କୁ ସାହାଯ୍ୟ କରିବା ବଦଳରେ ଅତିଷ୍ଠ କରିଦେଇଛି । ଲୋକଙ୍କ ସରକାର ଏହି ପ୍ରକ୍ରିୟାକୁ ସାଧାରଣ ଲୋକଙ୍କ ନିମନ୍ତେ ସହଜ କରିବାକୁ ସାଧାରଣରେ ଦାବି ଜୋର ଧରିଲାଣି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe