ଏପ୍ରିଲରେ ୫୦୩୬ କୋଟି ଟଙ୍କାର ଜିଏସଟି ଆଦାୟ, ଓଡ଼ିଶାରେ ସର୍ବକାଳୀନ ସଂଗ୍ରହ

ତେବେ ୨୦୨୨-୨୩ ଆର୍ଥିକ ବର୍ଷର ଏପ୍ରିଲ ମାସରେ ଏହି ମୋଟ୍ ଜିଏସଟି ପରିମାଣ ୪୯୧୦.୨୩ କୋଟି ଟଙ୍କା ଥିଲା । ଚଳିତ ଆର୍ଥିକ ବର୍ଷରେ ଏଥିରେ ମାତ୍ର ୧୨୫.୫୦ କୋଟି ଟଙ୍କା ବୃଦ୍ଧି ହୋଇଛି ।

Representative image

  • Published: Monday, 01 May 2023
  • , Updated: 01 May 2023, 10:34 PM IST

୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ମାସ ଅର୍ଥାତ୍ ଏପ୍ରିଲରେ ଜିଏସଟି ବାବଦରେ ଓଡ଼ିଶା ୫୦୩୫.୭୪କୋଟି ଟଙ୍କା ସଂଗ୍ରହ କରିଛି, ଯାହାକି ସର୍ବକାଳୀନ ସର୍ବାଧିକ ସଂଗ୍ରହ ବୋଲି ଜିଏସଟି ଓ ବାଣିଜ୍ୟକର କମିଶନର ସଞ୍ଜୟ ସିଂ ସୂଚନା ଦେଇଛନ୍ତି । ତେବେ ୨୦୨୨-୨୩ ଆର୍ଥିକ ବର୍ଷର ଏପ୍ରିଲ ମାସରେ ଏହି ମୋଟ୍ ଜିଏସଟି ପରିମାଣ ୪୯୧୦.୨୩ କୋଟି ଟଙ୍କା ଥିଲା । ଚଳିତ ଆର୍ଥିକ ବର୍ଷରେ ଏଥିରେ ମାତ୍ର ୧୨୫.୫୦ କୋଟି ଟଙ୍କା ବୃଦ୍ଧି ହୋଇଛି ।

ଜିଏସଟି କମିଶନରଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ ରାଜ୍ୟ ଜିଏସଟି ଓ ସମନ୍ୱିତ ଜିଏସଟି ଫଇସଲା ବାବଦକୁ ୨୦୨୩ ଏପ୍ରିଲ ମାସରେ ଓଡ଼ିଶାକୁ ମିଳିବାକୁ ଥିବା ଜିଏସଟି ସଂଗ୍ରହ ପରିମାଣ ୨୩୯୫.୧୭କୋଟି ଟଙ୍କା ଥିବାବେଳେ ଗତବର୍ଷର ଏପ୍ରିଲ ମାସର ସଂଗ୍ରହ ରାଶି ୧୬୮୦କୋଟି ଟଙ୍କା ରହିଥିଲା । ସେବା କ୍ଷେତ୍ରରେ ଅଭିବୃଦ୍ଧି ଓ କିଛି ମାତ୍ରାରେ କାରବାର କ୍ଷେତ୍ର ଯୋଗୁ ଏହି ବୃଦ୍ଧି ହୋଇଛି । ସେହିପରି ଏପ୍ରିଲ ମାସରେ ପେଟ୍ରୋଲ ଓ ମଦରୁ ୨୬୪.୪୨କୋଟି ଟଙ୍କାର ଭ୍ୟାଟ୍ ରାଜସ୍ୱ ସଂଗ୍ରହ ହୋଇଛି । ଗତବର୍ଷ ଏପ୍ରିଲ ମାସରେ ଏହା ୨୩୨.୯୨କୋଟି ଟଙ୍କା ଥିଲା । ଗତବର୍ଷ ତୁଳନାରେ ୧୩.୫୨% ଅଧିକ ରାଜସ୍ୱ ସଂଗ୍ରହ ହୋଇଛି ।

ଚଳିତବର୍ଷ ଏପ୍ରିଲ ମାସରେ ରାଜ୍ୟ ବାଣିଜ୍ୟକର ଓ ଜିଏସଟି ବିଭାଗ ଦ୍ୱାରା ସଂଗ୍ରହ କରାଯାଇଥିବା ବିଭିନ୍ନ ଟିକସ ଓ ଜିଏସଟିରେ ମିଶିଥିବା ସମସ୍ତ ଟିକସର ବକେୟା ରାଶି ସଂଗ୍ରହ କ୍ଷେତ୍ରରେ ଗତବର୍ଷ ତୁଳନାରେ ୩୬.୭୦ ପ୍ରତିଶତ ଅଭିବୃଦ୍ଧି ହେବା ସହ ଏଥ୍ୟିରେ ୨୬୬୧.୯୨କୋଟି ଟଙ୍କା ସଂଗ୍ରହ ହୋଇଛି । ସେହିପରି ଇ-ୱେବିଲ୍ ବାବଦରେ ୧୫.୧୨ ପ୍ରତିଶତ ଅଭିବୃଦ୍ଧି ହୋଇଛି । ୨୦୨୩ ଏପ୍ରିଲ ମାସରେ ୨୦.୨୧ଲକ୍ଷ ସଂଖ୍ୟକ ଇ-ୱେବିଲ୍ ନିର୍ଗମନ କରାଯାଇଥିବାବେଳେ ୨୦୨୨ ମସିହା ଏପ୍ରିଲ ମାସରେ ଏହି ସଂଖ୍ୟା ୧୭.୫୭ଲକ୍ଷ ଇ-ୱେବିଲ୍ ନିର୍ଗମନ କରାଯାଇଥିବା ଜିଏସଟି କମିଶନରଙ୍କ ପକ୍ଷରୁ ଜାରି ସୂଚନାରେ ଉଲ୍ଲେଖ ରହିଛି ।

Related story