/odisha-reporter/media/post_attachments/uploadimage/library/16_9/16_9_0/IMAGE_1680096069.jpg)
Subrat and Pranab
ବିଜେଡି ଆଇଟି ସେଲ୍ ପୂର୍ବତନ ମୁଖ୍ୟ ତଥା ବିଜେଡି ସଂଗଠନ ସମ୍ପାଦକଙ୍କ ଖାସ୍ ଅନୁଗତ ସୁବ୍ରତ କୁମାର ଛାଟୋଇଙ୍କ ‘ବଣିକ୍’ କୋଚିଂ ସେଣ୍ଟର ଉପରେ କେନ୍ଦ୍ରୀୟ ଜିଏସଟି ଚଢ଼ଉ କରିବା ପରେ ଶାସକ ବିଜେଡିରେ କମ୍ପନ ସୃଷ୍ଟି ହୋଇଛି। ସୁବ୍ରତ ଓ ସୀତା ଲତା ଛାଟୋଇଙ୍କ ମାଲିକାନାରେ ଥିବା ‘ବଣିକ୍’ ଏଜୁକେସନ୍ ପ୍ରାଇଭେଟ୍ ଲିମିଟେଡ୍ ଓ ‘ବଣିକ୍’ ପବ୍ଲିକେସନ୍ ପ୍ରାଃ ଲିମିଟେଡ ନାମକ ଦୁଇଟି କମ୍ପାନୀ ଉପରେ ଜିଏସଟି ଫାଙ୍କିବାର ସନ୍ଦେହ କରି ଏହି ଚଢ଼ଉ ହୋଇଥିବା ଜଣାପଡ଼ିଛି। ତେବେ ସୁବ୍ରତଙ୍କ ବ୍ୟବସାୟିକ ସମ୍ପୃକ୍ତି ସିଧାସଳଖ ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ଓ ତାଙ୍କ ବ୍ୟକ୍ତିଗତ କର୍ମଚାରୀମାନଙ୍କ ସହ ରହିଥିବାରୁ ଏହା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଜିଏସଟି ଇଣ୍ଟେଲିଜେନ୍ସ ଅତିରିକ୍ତ ମହାନିର୍ଦ୍ଦେଶକ ଦେବାଶୀଷ ସାହୁ ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଗତକାଲି ‘ବଣିକ୍ କୋଚିଂ ସେଣ୍ଟର’ ସହ ଜଡିତ ୨ଟି ସ୍ଥାନରେ କେନ୍ଦ୍ରୀୟ ଜିଏସଟି ଟିମ୍ ଦ୍ୱାରା ଚଢ଼ଉ ହୋଇଥିଲା। ଏଭଳି ପ୍ରାୟ ୧୦ଟି ଚଢ଼ଉ ନିୟମିତ ଭାବେ ପ୍ରତିମାସରେ ହୁଏ। ବିଭିନ୍ନ ସୂତ୍ରରୁ ମିଳୁଥିବା ଗୁଇନ୍ଦା ତଥ୍ୟ (କମ୍ପ୍ୟୁଟର ସିଷ୍ଟମରୁ ମିଳୁଥିବା ତଥ୍ୟ ବି ସାମିଲ)କୁ ଆଧାର କରି ଏହି ଚଢ଼ଉ କରାଯାଇଥାଏ। ଏବେ ସମ୍ପୃକ୍ତ ସଂସ୍ଥା କ’ଣ ନିର୍ଦ୍ଦିଷ୍ଟ ଭାବେ ଠକେଇ କରିଛି ତାହା କହିବା ସମ୍ଭବପର ନୁହେଁ। ଦସ୍ତାବିଜ ଜବତ କରାଯାଇଛି ଓ ସେସବୁକୁ ଅନୁଧ୍ୟାନ କରାଯିବା ପରେ ହିଁ ଯାହାକିଛି ସଠିକ୍ ତଥ୍ୟ ଦେଇହେବ। ଯେଉଁଠି କିଛି ଟିକସ ଫାଙ୍କିର ସନ୍ଦେହ ଥାଏ ସେଠାରେ ଚଢ଼ଉ କରାଯାଉଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶାରେ ପ୍ରାୟ ୧୦ ହଜାର କୋଟି ଟଙ୍କାର କଳା କାରବାର ହୋଇଛି। ଯେଉଁଥିରେ ୨୨୦୦କୋଟି ଟଙ୍କାର ଜିଏସଟି ଫାଙ୍କିବା ରହିଛି। ସେହିପରି ଛତିଶଗଡ଼ରେ ପ୍ରାୟ ୫-୬ ହଜାର କୋଟି ଟଙ୍କାର କଳା କାରବାର ହୋଇଛି ଓ ସେଥିରେ ପ୍ରାୟ ୧୨୦୦କୋଟି ଟଙ୍କା ଜିଏସଟି ଫାଙ୍କି ସାମିଲ ରହିଛି। ତେଣୁ ଏହି ସଂସ୍ଥା ସହ ଜଡ଼ିତ ଜିଏସଟି ତଥ୍ୟକୁ ସମ୍ପୂର୍ଣ୍ଣ ଯାଞ୍ଚ ପରେ ଆବଶ୍ୟକ ସୂଚନା ଦିଆଯିବ ବୋଲି ଶ୍ରୀ ସାହୁ କହିଛନ୍ତି ।
ଏପଟେ ‘ବଣିକ୍ କୋଚିଂ ସେଣ୍ଟର’ ଉପରେ ଜିଏସଟି ଚଢ଼ଉକୁ ନେଇ ଆଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ବିଧାନସଭାରେ ତାଙ୍କ ଦଳ ଏହି କୋଚିଂ ସେଂଟରକୁ ତଦନ୍ତ ପରିସରଭୁକ୍ତ କରିବା କଥା ଉଠାଇବ। ରାଜ୍ୟରେ ସମସ୍ତ ନିଯୁକ୍ତି ଜାଲିଆତିରେ ବିଜେଡି ନେତାମାନଙ୍କ ସମ୍ପୃକ୍ତି ରହିଛି। ସୁବ୍ରତ ଛାଟୋଇ ହେଉଛି ବିଜେଡି ଆଇଟି ସେଲ୍ ସଦସ୍ୟ । ତାଙ୍କ ପଛରେ ବିଜେଡିର ବଡ଼ବଡ଼ ଲୋକ ଅଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ନିଯୁକ୍ତି ଯାହା ଓପିଏସସି ଓ ଓଡ଼ିଶା ଷ୍ଟାଫ ସିଲେକ୍ସନ୍ ଦ୍ୱାରା ହେଉଛି ଅବା ଅନ୍ୟାନ୍ୟ ସରକାରୀ ଚାକିରି ଯାହା ବାହାରୁଛି ସେଥିରେ ସେମାନଙ୍କୁ ଶତପ୍ରତିଶତ ନିଯୁକ୍ତି ମିଳିବ ବୋଲି ଭାନିକ୍ କୋଚିଂ ସେଂଟରରେ ପଢ଼ୁଥିବା ପିଲାମାନଙ୍କୁ ପ୍ରତିଶ୍ରୁତି ଦିଆଯାଇ ଆଡମିଶନ କରାଯାଉଛି । ଏସବୁ ପ୍ରସଙ୍ଗକୁ ତାଙ୍କ ଦଳ ପକ୍ଷରୁ ବିଧାନସଭାରେ ଉତଥାପନ କରାଯିବ।
ସେହିପରି କଂଗ୍ରେସ ନେତା ସୌମ୍ୟକାନ୍ତ ଖୁଂଟିଆ କହିଛନ୍ତି ଯେ, ସୁବ୍ରତ ଛାଟୋଇ କୋଟିକୋଟି ପରିମାଣର କଳାଟଙ୍କା ଉପାର୍ଜନ କରୁଛି। ଗତ ପଂଚାୟତ ନିର୍ବାଚନରେ କାକଟପୁର ବ୍ଲକରେ ନିଜର ଭାଉଜଙ୍କୁ ପ୍ରାର୍ଥୀ କରିବାବେଳେ ସେ ଯେଉଁ ହାରରେ ଟଙ୍କା ଖର୍ଚ୍ଚ କରିଥିଲା ସେଥିରୁ ଜଳଜଳ ହୋଇ ଜଣାପଡ଼ୁଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଆଡ଼େ ଯାଉଛନ୍ତି ସେ ତାଙ୍କ ପଛେ ପଛେ ଯାଉଛି। ଯେଉର୍ମାନେ ସରକାର ଚଳାଉଛନ୍ତି ସେମାନଙ୍କ ସହ ସମ୍ପର୍କ ରଖି ସେ ଏଭଳି ବିପୁଳ କଳାଟଙ୍କା ଉପାର୍ଜନ କରିଛି ବୋଲି ଶ୍ରୀ ଖୁଂଟିଆ କହିଛନ୍ତି।
ଅନ୍ୟପକ୍ଷରେ ଖୋଳତାଡ଼ରୁ ଜଣାପଡ଼ିଛି ଯେ, ସୁବ୍ରତ ଛାଟୋଇ ମୋଟ ୮ଟି କମ୍ପାନୀରେ ନିର୍ଦ୍ଦେଶକ ଅଛନ୍ତି। ଆଉ ଗତ କରୋନା କାଳରେ ୨୦୨୧ ମସିହାରେ ସେ ୨ଟି ନୂଆ କମ୍ପାନୀ ଖୋଲିଥିବାବେଳେ ଗତ ୩ମାସ ତଳେ ମଧ୍ୟ ଆଉ ଏକ ନୂଆ କମ୍ପାନୀ ଖୋଲିଛନ୍ତି। ୨୦୨୧ ଅଗଷ୍ଟ ୩୧ତାରିଖରେ ସେ ଖୋଲିଥିବା ନୂଆ କମ୍ପାନୀ ଓରିଭିଲା ପ୍ରପର୍ଟିଜ୍ ପ୍ରାଇଭେଟ୍ ଲିମିଟେଡରେ ତାଙ୍କର ସହଭାଗୀ ପ୍ରକାଶ ଚନ୍ଦ୍ର ମହାନ୍ତି ଅଛନ୍ତି। ଶ୍ରୀ ମହାନ୍ତି ଏବେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଖାସ୍ ଅନୁଗତ ଭାବେ କାର୍ଯ୍ୟ କରୁଛନ୍ତି ଓ କରୋନା କାଳରେ ଗତ ୨୦୨୧ ମସିହାରେ ଶ୍ରୀ ମହାନ୍ତି ମୋଟ ୩ଟି ନୂଆ କମ୍ପାନୀ ଯଥା ରାଇଡର୍ସ ମିନେରାଲ ପ୍ରାଇଭେଟ୍ ଲିମିଟେଡ , ରାଇଡର୍ସ ଲଜିଷ୍ଟିକ ଲିମିଟେଡ ଓ ଓରିଭିଲା ପ୍ରର୍ପଟିଜ୍ ପ୍ରାଃ ଲିଃ ଖୋଲିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
