Advertisment

Puri: ଗୁଣ୍ଡିଚା ମନ୍ଦିର ପ୍ରବେଶ ଟିକେଟ୍ ୧୦ ଟଙ୍କା

ଗୁଣ୍ଡିଚା ମନ୍ଦିର ପ୍ରତ୍ୟେକ ଦିନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଖୋଲା ରହିବ। ତେବେ ଶୀତ ଦିନେ ନଭେମ୍ବର ମାସରୁ ଫେବ୍ରୁଆରୀ ପର୍ଯ୍ୟନ୍ତ ମନ୍ଦିର ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ।

author-image
Jitendra Garnayak
Puri Temple

ଆଉ ଚାରି ଦିନ ପରେ ଅର୍ଥାତ୍ ଡିସେମ୍ବର ୧ ତାରିଖରୁ ପରୀକ୍ଷାମୂଳକ ଭାବେ ଖୋଲିବ ଗୁଣ୍ଡିଚା ମନ୍ଦିର। ତେବେ ମନ୍ଦିର ଭିତରେ ପ୍ରବେଶ କରିବାକୁ କରାଯାଇଛି ଟିକେଟ୍ ବ୍ୟବସ୍ଥା। ପ୍ରତିଟି ଟିକେଟ୍‌ର ମୂଲ୍ୟ ୧୦ ଟଙ୍କା ରଖାଯାଇଛି। ବୁଧବାର ଗୁଣ୍ଡିଚା ମନ୍ଦିରରେ ଚାଲିଥିବା ଉନ୍ନତିକରଣ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିବା ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

Advertisment

ସେ କହିଛନ୍ତି, ୧ ତାରିଖରୁ ପରୀକ୍ଷାମୂଳକ ଭାବେ ଗୁଣ୍ଡିଚା ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ଖୋଲାଯିବ। ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି। ମନ୍ଦିର ପରିସରରେ ଉନ୍ନତିକରଣ କାର୍ଯ୍ୟ ଏବେ ବି ଜାରି ରହିଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଉଛି। ୧ ତାରିଖରୁ ପରୀକ୍ଷାମୂଳକ ଭାବେ ଖୋଲାଯିବା ପରେ ଯେଉଁ ସବୁ ତ୍ରୁଟି ବା ସମସ୍ୟା ସାମ୍ନାକୁ ଆସିବ, ସେହି ଅନୁସାରେ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବ୍ୟବସ୍ଥା କରାଯିବ।

ଶ୍ରୀ ପାଢ଼ୀ କହିଛନ୍ତି ଯେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିବା ପାଇଁ ଟିକେଟ ବ୍ୟବସ୍ଥା କରାଯାଇଛି। ଟିକେଟର ମୂଲ୍ୟ ୧୦ ଟଙ୍କା ରଖାଯାଇଛି। ତେବେ ୫ ବର୍ଷରୁ କମ୍ ଶିଶୁ, ୮୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଓ ଦିବ୍ୟାଙ୍ଗମାନଙ୍କ ପାଇଁ ଟିକେଟ ବ୍ୟବସ୍ଥା କରାଯାଇନାହିଁ। ଦିବ୍ୟାଙ୍ଗମାନଙ୍କ ପାଇଁ କାଠ ରାମ୍ପର ବ୍ୟବସ୍ଥା କରାଯାଇଛି। ମନ୍ଦିର ବାହାରେ ସିଂହଦ୍ୱାର ସାମ୍ନାରେ ନିଃଶୁଳ୍କ ମୋବାଇଲ ଓ ଜୋତା ଷ୍ଟାଣ୍ଡର ବ୍ୟବସ୍ଥା କରାଯିବ। ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ବ୍ୟବସ୍ଥା କରାଯିବ। 

Advertisment

ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରତ୍ୟେକ ଦିନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଖୋଲା ରହିବ। ତେବେ ଶୀତ ଦିନେ ନଭେମ୍ବର ମାସରୁ ଫେବ୍ରୁଆରୀ ପର୍ଯ୍ୟନ୍ତ ମନ୍ଦିର ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ସେହିପରି ବିଭିନ୍ନ ନୀତିକାନ୍ତି ଥିବାରୁ ରଥଯାତ୍ରା ସମୟରେ ଦେବ ସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ମନ୍ଦିର ବନ୍ଦ ରହିବ ବୋଲି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢ଼ୀ କହିଛନ୍ତି।

କୋଭିଡ୍ ପରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତ ପାଇଁ ବନ୍ଦ ରହିଛି। କେବଳ ରଥଯାତ୍ରା ସମୟରେ ୯ ଦିନ ଗୁଣ୍ଡିଚା ମନ୍ଦିର ଖୋଲାଯାଇଥାଏ। ତେବେ ପୁଣି ଥରେ ଏହା ଖୋଲିବାକୁ ଯାଉଥିବାରୁ ଶ୍ରଦ୍ଧାଳୁମାନେ ଖୁସି ପ୍ରକଟ କରିଛନ୍ତି।