Advertisment

HC Slams Govt: ନବୀନ ନିବାସ ସମ୍ମୁଖ ରାସ୍ତା ଅବରୋଧ, ସତ୍ୟପାଠ’ ଦାଖଲ ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ, କ’ଣ ରହିଛି ମାମଲା

ହାଇକୋର୍ଟ ପୂର୍ବରୁ ଏହି ମାମଲାରେ ନୋଟିସ୍ ଜାରି କରିଥିଲେ ମଧ୍ୟ ରାଜ୍ୟ ସରକାର ପକ୍ଷ ନରଖି ଅଧିକ ସମୟ ଲୋଡ଼ିବାରୁ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଖଣ୍ଡନ ଓ ଜଷ୍ଟିସ ଏମ.ଏସ. ରମଣଙ୍କ ଖଣ୍ଡପୀଠ ବିରକ୍ତି ପ୍ରକାଶ କରିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଫେବୃୟାରୀ ୨୪ତାରିଖକୁ ଧାର୍ଯ୍ୟ କରିଛନ୍ତି।

author-image
Prakaash Sethi
Naveen-Nivas-1

ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ‘ନବୀନ ନିବାସ' ସମ୍ମୁଖସ୍ଥ ସର୍ବସାଧାରଣ ରାସ୍ତା ଅବରୋଧ ମାମଲାରେ ଓଡ଼ିଶା ହାଇକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ତିନି ସପ୍ତାହ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ସତ୍ୟପାଠ ଦାଖଲ ପାଇଁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ପୂର୍ବରୁ ଏହି ମାମଲାରେ ନୋଟିସ୍ ଜାରି କରିଥିଲେ ମଧ୍ୟ ରାଜ୍ୟ ସରକାର ପକ୍ଷ ନରଖି ଅଧିକ ସମୟ ଲୋଡ଼ିବାରୁ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଖଣ୍ଡନ ଓ ଜଷ୍ଟିସ ଏମ.ଏସ. ରମଣଙ୍କ ଖଣ୍ଡପୀଠ ବିରକ୍ତି ପ୍ରକାଶ କରିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଫେବୃୟାରୀ ୨୪ତାରିଖକୁ ଧାର୍ଯ୍ୟ କରିଛନ୍ତି।

Advertisment


ସୁରକ୍ଷା ବ୍ୟବସ୍ଥା ଆଳରେ ସାଧାରଣ ଜନତାଙ୍କୁ ହଇରାଣ? କୋର୍ଟରେ ଉଠିଲା ପ୍ରଶ୍ନ


ଭୁବନେଶ୍ୱରର ଗୁରୁତ୍ୱପୂର୍ଣ୍ଣ ପୁରୁଣା ଏୟାରପୋର୍ଟ ରାସ୍ତା ବା ଏକାମ୍ର ମାର୍ଗରେ ହେଉଥିବା ଟ୍ରାଫିକ୍ ସମସ୍ୟାକୁ ନେଇ ଓଡ଼ିଶା ହାଇକୋର୍ଟ ଉଦବେଗ ବ୍ୟକ୍ତ କରିଛନ୍ତି। ସୂଚନାକର୍ମୀ ପ୍ରକାଶ ଚନ୍ଦ୍ର ଦାସଙ୍କ ଦ୍ୱାରା ହାଇକୋର୍ଟରେ ଦାଏର ଆବେଦନରେ ଦର୍ଶାଯାଇଛି ଯେ, ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ନିଜ କ୍ଷମତାର ଅପବ୍ୟବହାର କରି ସୁରକ୍ଷା ପ୍ରୋଟୋକଲ୍ ନାମରେ ଏହି ବ୍ୟସ୍ତବହୁଳ ରାସ୍ତାର ଗୋଟିଏ ପଟକୁ ବନ୍ଦ କରିଦେଇଥିଲେ । ଏହି କଟକଣା ଯୋଗୁଁ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଓ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଯାଉଥିବା ହଜାର ହଜାର ଯାତ୍ରୀ ପ୍ରତିଦିନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। 

ରାସ୍ତା ସଙ୍କୁଚିତ ହେବା ଯୋଗୁ ସ୍କୁଲ ବସ୍‌, ଆମ୍ବୁଲାନ୍ସ ଓ ଦମକଳ ଗାଡ଼ି ମଧ୍ୟ ଟ୍ରାଫିକ୍ ଜାମରେ ଫସି ରହୁଛି, ଯାହା ଅନେକ ସମୟରେ ଦୁଘଟର୍ଣା ଓ ଧନଜୀବନ ହାନିର କାରଣ ସାଜୁଛି। ଏବେ ନବୀନ ପଟ୍ଟନାୟକ ଏବେ ମୁଖ୍ୟମନ୍ତ୍ରୀ ନଥିବାରୁ ଏହି ଅବରୋଧ ଜାରି ରଖିବାର କୌଣସି ଯଥାଥର୍ତା ନାହିଁ ଓ  ଅବରୋଧ ହଟାଯାଇ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିଲେ ଜନସାଧାରଣ ଉପକୃତ ହେବେ ବୋଲି ଆବେଦନକାରୀ ଶ୍ରୀ ଦାସଙ୍କ ଓକିଲ ପି.କେ. ମିଶ୍ର କୋର୍ଟରେ ଯୁକ୍ତି ବାଢ଼ିଥିବା ଜଣାପଡ଼ିଛି ।

Advertisment

ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଅବରୋଧ ହୋଇ ରହିଛି ନବୀନ ନିବାସ ସମ୍ମୁଖ ରାସ୍ତା

ସୂଚନା ଅନୁସାରେ, ନବୀନ ନିବାସ ସମ୍ମୁଖ ରାସ୍ତାରେ ସୁରକ୍ଷା ବ୍ୟବସ୍ଥାକୁ ୨୦୧୨ ମସିହା ପରେ ଅଧିକ କଡ଼ାକଡ଼ି କରାଯାଇଥିଲା । ୨୦୧୨ ଡିସେମ୍ବର ୧୭ ତାରିଖରେ ପ୍ରାୟ ୫୦ରୁ ଅଧିକ ଚାଷୀ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନବୀନ ନିବାସ ଭିତରକୁ ପ୍ରବେଶ ନିମନ୍ତେ ଉଦ୍ୟମ କରିଥିଲେ । ଯାହାପରେ ପୁଲିସ ନବୀନ ନିବାସର ଦୁଇ ପାଶ୍ୱର୍ରେ ସ୍ଥାୟୀ ବ୍ୟାରିକେଡ୍ ଲଗାଇଥିଲା । ପରବର୍ତ୍ତୀ ସମୟରେ ସୁରକ୍ଷା ଆଳ ଦେଖାଇ ୨୦୧୭ ମସିହାରେ ଏହି ରାସ୍ତାକୁ ସମ୍ପୂର୍ଣ୍ଣ ସିଲ୍ କରିଦିଆ ଯାଇଥିଲା । ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ସହ ସରକାରୀ ଜମି ଅଦଳବଦଳ କରି ନବୀନ ନିବାସ ସମ୍ମୁଖ ଗୋଟିଏ ପାଶ୍ୱର୍ରେ ଏବେ ରାସ୍ତା ବିକଶିତ କରି ଯାତାୟତର ବ୍ୟବସ୍ଥା ହୋଇଛି ।

ନବୀନଙ୍କ ସୁବିଧା ପାଇଁ ୧.୬ଏକର ସରକାରୀ ଜମି ହୋଇଛି ଅଦଳବଦଳ

ନବୀନ ପଟ୍ଟନାୟକ ସରକାରଙ୍କ ଅନୁରୋଧ ଓ ପ୍ରସ୍ତାବ ଆଧାରରେ ୨୦୧୬ ମସିହାରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଭୁବନେଶ୍ୱର ବିମାନ ବନ୍ଦର ନିକଟସ୍ଥ ରାସ୍ତା ପ୍ରଶସ୍ତିକରଣ ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା । ଏହି ପ୍ରସ୍ତାବ ଅନୁସାରେ ଏକାମ୍ର ମାର୍ଗ ବା ପଳାସପଲ୍ଲୀ ରାସ୍ତାର ପ୍ରଶସ୍ତିକରଣ ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷ ନିଜର ପ୍ରାୟ ୧.୬ଏକର ଜମି ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବେ ଓ ରାଜ୍ୟ ସରକାର ଭୀମପୁର ମୌଜାରେ ଥିବା ସମାନ ପରିମାଣର ନିଜସ୍ୱ ଜମି ବଦଳ କରିବା ସହ ବିମାନ ବନ୍ଦର ପରିସରରେ ଥିବା ସମସ୍ତ ଭିତ୍ତିଭୂମିକୁ ନିଜ ଖର୍ଚ୍ଚରେ ସ୍ଥାନାନ୍ତର କରିବାକୁ ପ୍ରତିଶ୍ରୁତି ଦେଇଥିଲେ । 

ବିମାନ ବନ୍ଦର କର୍ତ୍ତୃପକ୍ଷ ନିଜର ପ୍ଲଟ ନମ୍ବର ୬୫୯(୮୦ ଡିସିମିଲ) ଓ ପ୍ଲଟ ନମ୍ବର ୧୦୩୫(୧.୫୨ଏକର) ଜମିକୁ ଓଡ଼ିଶା ସରକାରଙ୍କୁ ହସ୍ତାନ୍ତର କରିଥିଲେ। ଆଉ ବଦଳରେ ଭୀମପୁର ମୌଜାରେ ଥିବା ସରକାରୀ ପ୍ଲଟ ୪୫୯/୧୬୬୪(୩୦୭ ଡିସିମିଲ) ଓ ପ୍ଲଟ ନମ୍ବର ୪୯୩(୧.୨୯ଏକର) ଜମିକୁ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଥିଲା।


କ୍ୟାବିନେଟ୍ ଅନୁମୋଦନ ପରେ, ୨୦୧୭ ଏପ୍ରିଲ ୧୦ତାରିଖରେ  ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଓ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା। ଏହି ରାଜିନାମା ଅନୁସାରେ ନବୀନ ନିବାସ(Naveen Nivas) ନିକଟସ୍ଥ ପ୍ଲଟ୍ ନମ୍ବର ୬୫୯ ଓ ୧୦୩୫ରୁ ଜମି ହସ୍ତାନ୍ତର କରାଯାଇଥିଲା। ମାତ୍ର ରାସ୍ତା ପ୍ରଶସ୍ତିକରଣ ନାଁରେ ତତକାଳୀନ ବିଜେଡି ସରକାର ଚତୁରତାର ସହ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ବାସଭବନର ପରିସୀମା ବୃଦ୍ଧି କରିଥିଲେ । ସମ୍ପୂର୍ଣ୍ଣ ରାସ୍ତାର ପ୍ରଶସ୍ତିକରଣ କରିବା ପରିବର୍ତ୍ତେ କେବଳ ନବୀନ ନିବାସ ସମ୍ମୁଖ ଭାଗକୁ ମୁକ୍ତ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିଲା ବୋଲି ବିରୋଧୀ ଦଳ ଅଭିଯୋଗ କରିଆସୁଛନ୍ତି ।

Naveen Nivas