/odisha-reporter/media/post_attachments/uploads/2022/01/hospitals.jpg)
hospitals
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ଗତ ୬ ମାସ ପରେ ଆଜି ପ୍ରଥମଥର ପାଇଁ ୧୦ହଜାର ଟପିବା ପରେ ରାଜ୍ୟ ସରକାର ସମସ୍ତ ସ୍ୱାସ୍ଥ୍ୟସେବା ବା ହସ୍ପିଟାଲଗୁଡ଼ିକୁ କୋଭିଡ୍ ପ୍ରୋଟୋକଲ ପାଳନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ହସ୍ପିଟାଲଗୁଡ଼ିକରେ କୋଭିଡ୍ ସଂକ୍ରମଣ ମାମଲା ନିୟନ୍ତ୍ରଣ କରିବା ଓ ଅଣକୋଭିଡ୍ ରୋଗୀଙ୍କ ସୁରକ୍ଷା ନିମନ୍ତେ ଜରୁରୀ ନଥିଲେ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ଓ ଅସ୍ତ୍ରୋପଚାରକୁ ଏଡ଼ାଇବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗଣମାଧ୍ୟମକୁ ହସ୍ପିଟାଲର ଓପିଡି ଓ ଆଇପିଡିରେ ପ୍ରବେଶ ପାଇଁ ଅନୁମତି ନଦେବାକୁ କୁହାଯାଇଛି। ତେବେ କୋଭିଡ୍ ଆଳରେ କୌଣସି ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇବାକୁ ହସ୍ପିଟାଲଗୁଡ଼ିକ ମନା କରିପାରିବେ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଜି ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ଅଧୀକ୍ଷକ, କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲା ସରକାରୀ ହସ୍ପିଟାଲର ନିର୍ଦ୍ଦେଶକଙ୍କ ସମେତ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକାରୀଙ୍କୁ ରୋଗୀଙ୍କ ଚିକିତ୍ସା ସଂକ୍ରାନ୍ତ ଏକ ଗାଇଡଲାଇନ୍ ଜାରି କରିଛନ୍ତି । ରାଜ୍ୟର ସରକାରୀ ହସ୍ପିଟାଲ ଓ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ନିୟନ୍ତ୍ରଣ ଓ ଅନ୍ୟ ଗୁରୁତର ରୋଗୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୪ଟି ପଏଣ୍ଟକୁ ପାଳନ ନିମନ୍ତେ କୁହାଯାଇଛି। କୋଭିଡ୍ ସଂକ୍ରମଣ ମାମଲା ରାଜ୍ୟରେ ବୃଦ୍ଧି ପାଇଥିବାରୁ ହସ୍ପିଟାଲଗୁଡ଼ିକରେ ଭିଡ଼ ନକରିବା ଓ ସାମାଜିକ ଦୂରତ୍ୱକୁ ପାଳନ ଉପରେ ଗୁରତୁ୍ବ ଦେବାକୁ କୁହାଯାଇଛି। ଅଣ କୋଭିଡ୍ ରୋଗୀ ଓ ସ୍ୱାସ୍ଥ୍ୟକର୍ମୀମାନେ ଯେଭଳି ସଂକ୍ରମିତ ନହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଯେଉଁ ୧୪ଟି ଦିଗକୁ ପାଳନ କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି ସେଥିରେ ହସ୍ପିଟାଲଗୁଡ଼ିକରେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବା, ଜରୁରୀ ନଥିବା ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି ନକରିବା, କେବଳ ଜରୁରୀ ଅସ୍ତ୍ରୋପଚାର କରିବା, ରୋଗୀମାନେ ରହୁଥିବା ୱାର୍ଡରେ ଗୁରୁତର ରୋଗୀଙ୍କ ପାଇଁ ଜଣେ ଆଟେଣ୍ଡାଣ୍ଟଙ୍କୁ ରହିବା ପାଇଁ ଅନୁମତି ଦେବା, ଅପେକ୍ଷାକୃତ ସୁସ୍ଥ ରୋଗୀଙ୍କୁ ୱାର୍ଡରେ ଆଟେଣ୍ଡାଣ୍ଟ ରଖିବାର ସୁବିଧା ନଦେବାକୁ କୁହାଯାଇଛି ।
ସେହିପରି ଓପିଡି ଆସୁଥିବା ରୋଗୀଙ୍କୁ ବାରମ୍ବାର ନଆସିବା ପାଇଁ ମେଡିକାଲ ଅଫିସରମାନେ ପରାମର୍ଶ ଦେବା, ଗଣମାଧ୍ୟମକୁ ଆଉଟ ପେସେଣ୍ଟ ଡିପାର୍ଟମେଣ୍ଟ(ଓପିଡି) ଓ ଆଇପିଡି(ଇନପେସେଣ୍ଟ ଡିପାର୍ଟମେଣ୍ଟ) ଭିତରକୁ ଗଣମାଧ୍ୟମକୁ ପ୍ରବେଶର ଅନୁମତି ଉପରେ କଟକଣା ଜାରି ହୋଇଛି । ଔଷଧ ବିତରଣ କେନ୍ଦ୍ର ସଂଖ୍ୟା ବୃଦ୍ଧି କରି ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ପାଳନ ପାଇଁ ପରାମର୍ଶ ଦିଆଯାଇଛି ।
ହସ୍ପିଟାଲଗୁଡ଼ିକ ମଧ୍ୟରେ ଫିଭର କ୍ଲିନିକ, ଆଇସୋଲେସନ ୱାର୍ଡ ଓ ଟେଷ୍ଟିଂ ସୁବିଧାକୁ ପୂର୍ବ ଗାଇଡଲାଇନ ଅନୁସାରେ ସ୍ଥାପନ କରିବା ନିମନ୍ତେ କୁହାଯାଇଛି ।
କୋଭିଡ୍ ପ୍ରତିରୋଧକ ପ୍ରୋଟୋକଲ ପାଳନ କରି ପ୍ରସବ ଓ ଶିଶୁ ଯତ୍ନ ସଂକ୍ରାନ୍ତ ଚିକିତ୍ସା ସେବା ଏବଂ ଅନ୍ୟ ଜରୁରୀକାଳୀନ ସେବା ଯୋଗାଇବାକୁ ନିଶ୍ଚିତ ଭାବେ ଆବଶ୍ୟକ ସୁବିଧା ରଖିବାକୁ କୁହାଯାଇଛି ।
ସାଧାରଣ ଲୋକଙ୍କୁ ନିଜର ଅସୁସ୍ଥତା ପାଇଁ ପ୍ରଚଳିତ ଟେଲିମେଡିସିନ୍ ସେବାର ଉପଯୋଗ ପାଇଁ ପ୍ରୋତ୍ସାହିତ କରିବାକୁ ପରାମର୍ଶ ଦିଆଯାଇଛି । କୋଭିଡ୍ ଗାଇଡଲାଇନ ପାଳନ ନିମନ୍ତେ ହସ୍ପିଟାଲର ପ୍ରମୁଖ ସ୍ଥାନଗୁଡ଼ିକରେ ଯଥେଷ୍ଟ ପରିମାଣର ସାଇନବୋର୍ଡ ଲେଖି ସାଧାରଣ ଜନତା ଓ ରୋଗୀଙ୍କୁ ସଚେତନ କରିବାକୁ ପରାମର୍ଶ ଦିଆଯାଇଛି । ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ସ୍ଥାନୀୟ ପରିସ୍ଥିତିକୁ ଦେଖି ହସ୍ପିଟାଲ କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେଇପାରିବେ । ସଂକ୍ରମଣ ବ୍ୟାପିବାକୁ ନିୟନ୍ତ୍ରଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ଜାନୁୟାରୀ ୧୧ ଓ ୧୨ତାରିଖରେ ଜାରି ହୋଇଥିବା ପରାମର୍ଶକୁ ହସ୍ପିଟାଲଗୁଡ଼ିକ ପାଳନ କରିବାକୁ ରାଜ୍ୟ ଡିଏମଇଟି ପରାମର୍ଶ ଦେଇଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
