Advertisment

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼

କାର୍ଯ୍ୟକ୍ରମ ସ୍ଥଳରେ ସେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
Naba Das

Naba Das

‍ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଉପରକୁ ହୋଇଛି ଗୁଳିମାଡ଼। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକରେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଛି। ତାଙ୍କ ଛାତିର ବାମ ପାର୍ଶ୍ୱରେ ଗୁଳି ବାଜିଛି। ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଏୟାର ଲିଫ୍ଟ ଯୋଗେ ଭୁବନେଶ୍ୱର ଆଣି ଆପୋଲୋ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।  

Advertisment

ଶ୍ରୀ ଦାସ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବ୍ରଜରାଜନଗର ଯାଇଥିଲେ। ଦିନ ପ୍ରାୟ ସାଢ଼େ ୧୧ଟା ବେଳେ କାର୍ଯ୍ୟକ୍ରମ ସ୍ଥଳରେ ସେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା। ହଠାତ୍ କେହି କିଛି ଜାଣି ପାରି ନଥିଲେ। କିନ୍ତୁ ଶ୍ରୀ ଦାସ ପଡ଼ିଯିବା ପରେ ସମସ୍ତେ ଜାଣିଲେ ଯେ ଗୁଳି ମାଡ଼ ହୋଇଛି ଓ ଗୁଳି ଶ୍ରୀ ଦାସଙ୍କ ଦେହରେ ବାଜିଛି। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା।

ସବୁଠୁ ଆଶ୍ଚର୍ଯ୍ୟର କଥା ଜଣେ ପୁଲିସ୍ କର୍ମଚାରୀ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉପରକୁ ଗୁଳି ଚଲାଇଥିଲେ। ଏଏସ୍‌ଆଇ ଗୋପାଳ ଦାସ ତାଙ୍କ ଉପରକୁ ଗୁଳି କରିଥିଲେ। ବ୍ରଜରାଜନଗର ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇ ଏହି ସୂଚନା ଦେଇଛନ୍ତି। ଏଏସ୍‌ଆଇ ଗୋପାଳ ଦାସ ତାଙ୍କ ଉପରକୁ କାହିଁକି ଗୁଳି ଚଳାଇଲେ ତାହା ଜଣାପଡ଼ିନି। ଏନେଇ ତାଙ୍କୁ ପଚରାଉଚରା କରାଯାଉଛି।  

Advertisment

ଏସ୍‌ଡିପିଓଙ୍କ ସୂଚନା ଅନୁଯାୟୀ, ଗୋପାଳ ଦାସ ବ୍ରଜରାଜନଗରର ଗାନ୍ଧି ଛକ ପୁଲିସ ଆଉଟପୋଷ୍ଟରେ ନିଯୁକ୍ତ ହୋଇଥିଲେ। 

ବ୍ୟକ୍ତିଗତ ଆକ୍ରୋଶରୁ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି। ଏହି ଘଟଣାରେ ଆଉ ଜଣେ ବ୍ୟକ୍ତି ଓ ଜଣେ ପୁଲିସ୍ ଆଇଆଇସି ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ନବ ଦାସଙ୍କ ଦେହରେ ଗୁଳି ବାଜିବା ପରେ ଆଉ ୪/୫ ରାଉଣ୍ଡ ଗୁଳି ଫୁଟିଥିବାର କୁହାଯାଉଛି।  ଏହି ଘଟଣା ପରେ ବ୍ରଜରାଜନଗରରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ପୁଲିସ୍ ସ୍ଥିତିକୁ ନିୟନ୍ତ୍ରଣରେ ରଖିଛି।  

ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି, ମନ୍ତ୍ରୀଙ୍କୁ ଗାଡ଼ିରୁ ପାଛୋଟି ନେବା ବେଳେ ଗୁଳି ଫୁଟିଥିଲା। ଜଣେ ପୁଲିସ୍ କର୍ମଚାରୀ ତାଙ୍କ ଉପରକୁ ଗୁଳି କରିଥିଲେ। ସେ ୨ ରାଉଣ୍ଡ ଗୁଳି କରିବା ପରେ ଉପସ୍ଥିତ ଅନ୍ୟ ପୁଲିସ୍ କର୍ମଚାରୀମାନେ ତାଙ୍କୁ କାବୁ କରି ଥିଲେ। ସେ ବନ୍ଧୁକ ଧରିଥିବା ହାତଟିକୁ ଅନ୍ୟ ପୁଲିସ୍ କର୍ମଚାରୀମାନେ ଉପରକୁ କରି ଦେଇଥିଲେ। 

ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିନ୍ଦା କରିଛନ୍ତି। ସେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହା ସହିତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କ୍ରାଇମବ୍ରାଞ୍ଚର ବରିଷ୍ଠ ଅଧିକାରୀଙ୍କୁ ଘଟଣାସ୍ଥଳ ଯିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। 

Odisha Health Minister Naba Das