ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅବପାତର ରୂପ ନେଇଛି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ୱେଲମାର୍କ ଲୋପ୍ରେସର । ଏହା ଆଗାମୀ କିଛି ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଅବପାତ ବିଶାଖାପାଟଣାଠୁ ୩୧୦ କିଲୋମିଟର ଦକ୍ଷିଣପୂର୍ବ ଦିଗରେ ରହିଛି । ଆଜି ମଧ୍ୟରାତ୍ରିରେ ଏହା ବିଶାଖାପାଟଣା ଓ ନର୍ସାପୁର ମଧ୍ୟରେ ଅତିକ୍ରମ କରିପାରେ । ଏବେ ଘଣ୍ଟା ପ୍ରତି ୪ କିଲୋମିଟର ବେଗରେ ଗତି କରୁଛି ଅବପାତ।
ଏହା ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ୧୩ ତାରିଖ ଯାଏଁ ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ଆଜି ସକାଳ ୮ଟା ଯାଏଁ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୩ ତାରିଖ ସକାଳ ଯାଏଁ ୫ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଦେଇଛି ପାଣିପାଗ କେନ୍ଦ୍ର । ଓ୍ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଦକ୍ଷିଣ ଉପକୂଳ ଓଡିଶାରେ ଆଜି ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫କିଲୋମିଟର ରହିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ସେପଟେ ରାଜ୍ୟରେ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଚିଠି ଲେଖିଛନ୍ତି SRC ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।