Advertisment

Flood Alert: ଓଡ଼ିଶାରେ ପ୍ରବଳ ବର୍ଷା ସହ ମହାନଦୀରେ ବନ୍ୟା ଆଶଙ୍କା: ଜିଲ୍ଲାପାଳମାନଙ୍କୁ ଆଲର୍ଟ

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ସମ୍ଭାବ୍ୟ ବର୍ଷା ଓ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ସମ୍ବନ୍ଧରେ ଆଲୋଚନା କରିଛନ୍ତି ।

author-image
OR Desk
Hirakud Dam

ହୀରାକୁଦ ବନ୍ଧ Photograph: ((ଫାଇଲ ଫଟୋ))

କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ଥିବାବେଳେ ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ସେପଟେ ହୀରାକୁଦର ଆଜି ଆଉ ୪ଟି ଗେଟ୍ ସମେତ ମୋଟ ୨୦ଟି ଗେଟ୍ ଖୋଲାଯାଇଥିବାରୁ ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ସମ୍ଭାବ୍ୟ ବର୍ଷା ଓ ବନ୍ୟା ସ୍ଥିତିର ମୁକାବିଲା ଆଜି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ଜିଲ୍ଲାପାଳମାନଙ୍କ ସହ ଆଲୋଚନା କଲେ ରିଲିଫ କମିଶନର

ସୂଚନା ଅନୁସାରେ, ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ସମ୍ଭାବ୍ୟ ବର୍ଷା ଓ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ସମ୍ବନ୍ଧରେ ଆଲୋଚନା କରିଛନ୍ତି । ଏହି ବୈଠକରେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ପାଣିପାଗ ବିଭାଗର ନିର୍ଦ୍ଦେଶିକା, ଓସଡମା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ସମେତ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ନୂଆପଡ଼ାର ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ କରିଥିଲେ । ବିଶେଷ ଭାବେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା କୋରାପୁଟ ଓ ମାଲକାନଗିରି ସମେତ ଅନ୍ୟାନ୍ୟ ଜିଲ୍ଲାର ଜିଳ୍ଲାପାଳମାନଙ୍କୁ ନିଜ ଜିଲ୍ଲାରେ ଉପସ୍ଥିତ ରହି ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ପଡ଼ିଲେ ଅଗ୍ନିଶମ ସେବା ଓ ଓଡ୍ରାଫ ଟିମଗୁଡ଼ିକୁ ନିୟୋଜିତ କରିବା ସହିତ ଯେକୌଣସି ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ଡ୍ରେନେଜ୍ ଇଞ୍ଜିନିୟର ଓ ପଦାଧକାରୀମାନଙ୍କୁ ଯନ୍ତ୍ରପାତି ସହ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି ।

ପାଣିପାଗ ବିଭାଗର ସତର୍କତା

ଭାରତୀୟ ପାଣିପାଗ ବିଭାଗ (IMD)ର ସତର୍କ ସୂଚନା ଅନୁସାରେ ଆଗାମୀ ୧୨ଘଣ୍ଟା ମଧ୍ୟରେ ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ସେପ୍ଟେମ୍ବର ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ୨୭ତାରିଖ ସକାଳେ ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିବ । ଏହାର ପ୍ରଭାବରେ କୋରାପୁଟ ଓ ମାଲକାନଗିରି ସମେତ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Advertisment

ହୀରାକୁଦର ୨୦ଟି ଗେଟ୍ ଖୋଲିଲା

ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ଆଉ ୪ଟି ଗେଟ୍ ଆଜି ଖୋଲାଯାଇଛି । ଏହାସହିତ ଏବେ ମୋଟ ୨୦ଟି ଗେଟ୍ ଦେଇ ୩.୬ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଜଳସଂପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି ଯେ, ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ବନ୍ୟା ଆଶଙ୍କା ରହିଛି ।  ମୁଣ୍ଡଳିରେ ଜଳ ନିଷ୍କାସନ ଯୋଗୁଁ ଜଳସ୍ତର ବୃଦ୍ଧି ପାଇବ । ଜଳସମ୍ପଦ ବିଭାଗର ଆକଳନ ଅନୁସାରେ ଆସନ୍ତାକାଲି ଶୁକ୍ରବାର ସକାଳ ୮ରୁ ୧୧ଟା ମଧ୍ୟରେ ମୁଣ୍ଡଳି ନିକଟରେ ମହାନଦୀରେ ୬ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ । ଯଦିଓ ଅନ୍ୟ ନଦୀଗୁଡ଼ିକରେ ବନ୍ୟା ଆଶଙ୍କା ନାହିଁ, ତଥାପି ମହାନଦୀ କୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ପାଇଁ ଉଚ୍ଚ ସତର୍କତା ଜାରି କରାଯାଇଛି ଏବଂ ସ୍ଥାନୀୟ ବାସିନ୍ଦାମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଯଦିଓ ଶାଖାନଦୀଗୁଡ଼ିକରେ ଜଳସ୍ତର ବଢ଼ିବାର ସମ୍ଭାବନା ରହିଛି, ତଥାପି ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି ।

IMD