କେନ୍ଦ୍ର ସରକାର ଯେତେବେଳେ ୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ ପକ୍କା ଘରର ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାର ତାହା ପୂର୍ବରୁ ରାଜ୍ୟରେ ଚାଳଘର ରହିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ସହିତ ବିଜୁ ଜନତା ଦଳର ପ୍ରତିଶ୍ରୁତି ମଧ୍ୟ ରାଜ୍ୟରେ ବେଶ୍ ପ୍ରଚାରିତ ହୋଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଁ ଗୃହ ଯୋଗାଣ ହେଲା ତା’ର ୬୦ ଭାଗ କେନ୍ଦ୍ର ସରକାର ଦେଉଥିବା ସମୟରେ ଅନ୍ୟସବୁ କେନ୍ଦ୍ରୀୟ ସ୍କିମ୍ ପରି ରାଜ୍ୟ ସରକାର ୪୦ ଭାଗ ଦେବାର ବ୍ୟବସ୍ଥା ରହିଛି। ଯେହେତୁ ରାଜ୍ୟ ସରକାର ୪୦ ଭାଗ ଦେଉଛନ୍ତି ଓ ପ୍ରଶାସନିକ ଖର୍ଚ୍ଚ ବହନ କରୁଛନ୍ତି, ତେଣୁ ରାଜ୍ୟ ସରକାର ପ୍ରାୟ ୫୦ ଭାଗ ବ୍ୟୟବରାଦ କରୁଛନ୍ତି ବୋଲି ଦାବି କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରଗୁଡ଼ିକୁ ବିଜୁ ପକ୍କା ଘର ଭାବରେ ମଧ୍ୟ ପ୍ରଦର୍ଶନ କରାଯାଇଛି।
ଏହି ସମସ୍ତ ପ୍ରତିଯୋଗିତା ଭିତରେ ୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ ପକ୍କା ଘର ସୁବିଧା ରାଜ୍ୟରେ ହୋଇପାରିଲା ନାହିଁ। ପ୍ରଥମ ଅବସ୍ଥାରୁ କେନ୍ଦ୍ର ସରକାର ରାଜ୍ୟରେ ୨୭ ଲକ୍ଷ ଲୋକଙ୍କୁ ପକ୍କା ଘର ଯୋଗାଇ ଦେବାର ଆବଶ୍ୟକତା ରହିଥିବା ରାଜ୍ୟ ସରକାରଙ୍କ ସହିତ କଥାବାର୍ତ୍ତା କରି ସ୍ଥିର କରିଥିଲେ। ଯଦିଓ ରାଜ୍ୟ ସରକାର କହୁଛନ୍ତି ଯେ ବାସ୍ତବରେ ପକ୍କାଘର ଶୂନ୍ୟ ପରିବାର ସଂଖ୍ୟା ୪୧ ଲକ୍ଷ ହେବ। କିନ୍ତୁ କେନ୍ଦ୍ର ସରକାର ଏହିସବୁ ଘର ଯୋଗାଣ ପାଇଁ ଯେଉଁ ମାନଦଣ୍ଡ ସ୍ଥିର କରିଛନ୍ତି, ସେହି ଅନୁସାରେ ରାଜ୍ୟରେ ୨୭ ଲକ୍ଷ ବାସଗୃହ ପାଇଁ ଚୂଡ଼ାନ୍ତ ହୋଇଥିଲା। ସେଥିରୁ ପୂର୍ବରୁ ଦିଆଯାଇଥିବା ବାସଗୃହକୁ ବାଦ୍ ଦେଇ ଚଳିତ ପର୍ଯ୍ୟାୟରେ ଫନି କ୍ଷତିଗ୍ରସ୍ତଙ୍କୁ ମିଶାଇ ମୋଟ ୯ ଲକ୍ଷ ୫୦ ହଜାର ଘର କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି। ଏହି ଘରଗୁଡ଼ିକ ପାଇଁ ପଂଚାୟତଗୁଡ଼ିକରେ ଯୋଗ୍ୟ ହିତାଧିକାରୀଙ୍କ ନାମ ଅଫିସ୍ ବୋର୍ଡରେ ଲଗାଇ ଦିଆଯିବା ପରେ ସାରା ରାଜ୍ୟରେ ଏକ ଆଲୋଡ଼ନ ପରିସ୍ଥିତି ସୃଷ୍ଟି ହୋଇଛି। ଯଦିଓ ଆପତ୍ତି ଅଭିଯୋଗ ବିଷୟରେ ୨୪ ତାରିଖ ସୁଦ୍ଧା ଜଣାଇବା ପାଇଁ କୁହାଯାଇଛି, କିନ୍ତୁ ପ୍ରଥମେ ଟଙ୍ଗା ଯାଇଥିବା ତାଲିକାରୁ ଦେଖିଲେ ଏହି ତାଲିକା କିଏ ପ୍ରସ୍ତୁତ କଲା, ତାହା ନେଇ ପ୍ରଶ୍ନ ଉଠିବା ସ୍ୱଭାବିକ। କାରଣ ଏହି ତାଲିକାଗୁଡିକରେ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ବ୍ୟାପକ ଅନିୟମିତତା ରହିଛି ଓ ଅନେକ ଯୋଗ୍ୟ ହିତାଧିକାରୀ ପୂରାପୂରି ବାଦ୍ ପଡ଼ିଯାଇଛନ୍ତି।
ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର କାର୍ଯ୍ୟକ୍ରମରେ ଯେଉଁ ଧରଣର ଅନିୟମିତତା ହୋଇଛି, ଏବେ ମଧ୍ୟ ତାହାଠାରୁ ଅଧିକ ଅନିୟମିତତା ଦେଖାଦେଇଛି। ଅନେକ ପରିବାର ଏକାଧିକ ଘର ଅତୀତରେ ପାଇଥିବା ସମୟରେ ଯେଉଁମାନେ ଅତ୍ୟଧିକ ଗରିବ ଓ ମୂଲ ଲାଗି ଚଳୁଛନ୍ତି, ସେମାନଙ୍କ ପାଇଁ ଗୃହ ଯୋଗାଣ ହୋଇନାହିଁ। ଏପରିକି ତଥ୍ୟ ଅଛି ଯେ ଏହି ଯୋଜନାରେ ଏକାଧିକ ଘର କରି ଲୋକମାନେ ତାହାକୁ ଭଡ଼ାରେ ମଧ୍ୟ ଦେଇଛନ୍ତି। ୨୪ ତାରିଖ ପରେ ଏହି ତାଲିକାରେ କି ସଂଶୋଧନ ହେବ ତାହା ଦେଖିବା ପରେ ଯେଉଁ ଯୋଗ୍ୟ ବ୍ୟକ୍ତିମାନଙ୍କୁ ଏଥିରୁ ବଂଚିତ କରାଯାଇଛି ଓ ପାଇଥିବା ବ୍ୟକ୍ତିମାନଙ୍କ ଭିତରେ କେଉଁମାନେ ସ୍ୱଚ୍ଛଳ ବା ସେମାନଙ୍କର ପକ୍କା ଘର ରହିଛି କି ନାହିଁ ସେ ତଥ୍ୟ ପଦାକୁ ଆସିବ। ବିଜେପି ଏହାକୁ ଏକ ରାଜନୀତିକ ପ୍ରସଂଗ ଭାବେ ନେବା ସ୍ୱଭାବିକ। କିନ୍ତୁ ସରକାରୀ ଦଳର ଯୁକ୍ତି ହେଲା ଯେ କେନ୍ଦ୍ର ସରକାର ଏହି ଗୃହ ଯୋଗାଣ ପାଇଁ ଯେଉଁମାନଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି, ତାହା ଠିକ୍ ମାନଦଣ୍ଡ ଉପରେ ପର୍ଯ୍ୟବେସିତ ନୁହେଁ। କାହାର ଗୋଟିଏ ମୋଟର ସାଇକେଲ୍ ଥିଲେ ବା ଫ୍ରିଜ୍ଟିଏ ଥିଲେ ସେ ଆବାସରୁ ବଂଚିତ ହେବ ବୋଲି ଦିଆଯାଇଥିବା ମାନଦଣ୍ଡ ଗ୍ରହଣୀୟ ନୁହେଁ ବୋଲି ସରକାରୀ ଦଳ ଯୁକ୍ତି କରିଛନ୍ତି। କିନ୍ତୁ କଥା ହେଉଛି, ପ୍ରଥମେ କେଉଁମାନେ ପାଇବା ଦରକାର? ଯେଉଁମାନେ ଅତ୍ୟଧିକ ଗରିବ ଓ ଚେଷ୍ଟା କଲେ ମଧ୍ୟ ଗୋଟିଏ ପକ୍କା ଘର କରିପାରିବେ ନାହିଁ, ସେମାନଙ୍କୁ ପ୍ରଥମେ ପ୍ରାଥମିକତା ଦିଆଯିବା ଉଚିତ୍। କେବଳ ଗ୍ରାମସଭା ଜରିଆରେ କିମ୍ବା ଏକ ସର୍ଭେ ଜରିଆରେ ଏହି ସିଦ୍ଧାନ୍ତ ଆସିପାରିବ। କିନ୍ତୁ ପଂଚାୟତର ସରକାରୀ ଅଫିସର ମନମୁଖି ଭାବରେ ଏହି ସିଦ୍ଧାନ୍ତ କରିପାରିବେ କି?
ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ରାଜ୍ୟରେ ବିବାଦ ଚାଲିଥିବା ସମୟରେ ରାଜ୍ୟରେ ହକି ବିଶ୍ୱକପ୍ ପାଇଁ ପ୍ରାୟ ୧୫୦୦ କୋଟି ଟଙ୍କା ରାଜ୍ୟ ଖର୍ଚ୍ଚ କରିଛି। ନୂଆ ଷ୍ଟାଡିୟମରୁ ଆରମ୍ଭ କରି ଲୋକମାନଙ୍କ ଭିତରେ ଏକ ଉତ୍ସବ ମୁଖର ପରିବେଶ ଆଣିବା ପାଇଁ ନାଚଗୀତର ଆୟୋଜନ କରାଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଭାରତୀୟ ହକି ଦଳର ଓଡ଼ିଶା ପ୍ରାୟୋଜକ ଭାବରେ କାମ କରୁଛି। ବାସ୍ତବରେ ହକି ଖେଳକୁ ନେଇ ଓଡ଼ିଶାରେ ଯେଉଁ ମାହୋଲ୍ ସୃଷ୍ଟି କରାଯାଇଛି ସେହି ରାଜ୍ୟରେ ଗରିବ ଲୋକମାନଙ୍କୁ ଆବାସ ଯୋଜନାକୁ ନେଇ ରାଜନୀତି ବିତର୍କକୁ ବୁଝିବା କଷ୍ଟକର ହୋଇପଡ଼ିଛି। ଯେଉଁ ରାଜ୍ୟରେ ଏତେ ଆର୍ଥିକ ଶକ୍ତି ଅଛି ଯେ ଦୁଇ ଦୁଇଥର ଏହା ବିଶ୍ୱକପ୍ ହକି ବିଶ୍ୱ କପ୍ ଆୟୋଜନ କରିପାରୁଛି ଓ ଶହ ଶହ କୋଟି ଟଙ୍କା ଏଥିରେ ଖର୍ଚ୍ଚ ହୋଇପାରୁଛି, ସେହି ରାଜ୍ୟ ପ୍ରଥମେ କାହିଁକି ସେହି ଗରିବ ଲୋକମାନଙ୍କୁ ବାସଗୃହ ଯୋଗାଉନାହିଁ ବୋଲି ଯେ କେହି ପ୍ରଶ୍ନ କରିବ। ଦେଖାଗଲା ଯେ ଓଡ଼ିଶା ହକିରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି ହକିଦଳର ପ୍ରାୟୋଜକ ହୋଇଥିଲେ ମଧ୍ୟ ଭାରତୀୟ ହକି ଦଳର ଯେଉଁ ଷ୍ଟାଣ୍ଡାର୍ଡ ଗତ ବିଶ୍ୱକପ୍ ସମୟରେ ଥିଲା, ଏଥିରେ ମଧ୍ୟ ସେହି ଅବସ୍ଥାରେ ରହିଛି। କ୍ୱାର୍ଟର ଫାଇନାଲ୍ ଖେଳିବା ପାଇଁ ଏଥର ମଧ୍ୟ ଭାରତ ଯୋଗ୍ୟ ବିବେଚିତ ହେଲା ନାହିଁ। ଭାରତୀୟ ହକି ଦଳରେ ଓଡ଼ିଶାର ପ୍ରତିନିଧିତ୍ୱ ମଧ୍ୟ ବଢ଼ିନାହିଁ।
ଏପରି ଅବସ୍ଥାରେ ଆବାସ ଗୃହକୁ ନେଇ ରାଜ୍ୟରେ ଏକ ତିକ୍ତ ବାତାବରଣ ସୃଷ୍ଟି ହେବା ସ୍ପଷ୍ଟ କରୁଛି ଯେ ରାଜ୍ୟ ସରକାରଙ୍କର ପ୍ରାଥମିକତାରେ ବାସଗୃହ ଯୋଗାଣକୁ ଅଗ୍ରାଧିକାର ଦିଆଯାଇନାହିଁ। କାରଣ ଯେଉଁ ପରିମାଣରେ ଅର୍ଥ ହକି କ୍ଷେତ୍ରରେ ଓଡ଼ିଶା ଖର୍ଚ୍ଚ କରିଛି ଓ ଯୁଦ୍ଧକାଳୀନ ଭିତ୍ତିରେ ଓଡ଼ିଶା ପ୍ରଶାସନ ଏକ ଖୁସିର ମାହୋଲ୍ ସୃଷ୍ଟି କରିବା ପାଇଁ କାର୍ଯ୍ୟ କରିଛନ୍ତି, ସେହି ପରିମାଣ ଦୃଷ୍ଟି ଯଦି ବାସଗୃହ ଯୋଗାଣ ପ୍ରତି ଦିଆଯାଇଥାନ୍ତା, ତେବେ କେନ୍ଦ୍ର ସରକାରଙ୍କ ସହାୟତା ସହିତ ରାଜ୍ୟ ସରକାର ସମସ୍ତ ଗରିବ ଲୋକଙ୍କୁ ସହଜରେ ବାସଗୃହ ଯୋଗାଇ ଦେଇପାରିବେ। ଯେଉଁ ଜିଲ୍ଲା ଖଣି ପାଣ୍ଠିରୁ ଅର୍ଥ ଆଣି ସଉକ ଖର୍ଚ୍ଚ କରାଯାଉଛି ସେଥିରେ ରାଜ୍ୟର ଖଣି ଥିବା ଜିଲ୍ଲାଗୁଡ଼ିକ ଯଥା- କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, ଯାଜପୁର, କୋରାପୁଟ, ରାୟଗଡ଼ା, କଳାହାଣ୍ଡି ପ୍ରଭୃତି ଖଣି କ୍ଷତିଗ୍ରସ୍ତ ଅଂଚଳଗୁଡିକରେ ବାସଗୃହ ଓ ପାନୀୟ ଜଳଯୋଗାଣ କାର୍ଯ୍ୟକ୍ରମ ଅଗ୍ରାଧିକାର ଭିତ୍ତିରେ ହୋଇପାରିଥାନ୍ତା। କେବଳ ଖଣି ରାଜସ୍ୱରୁ ଏବେ ଓଡ଼ିଶା ବାର୍ଷିକ ୫୦ ହଜାର କୋଟି ଟଙ୍କା ପାଉଥିବା ସମୟରେ ରାଜ୍ୟର ସବୁ ଲୋକମାନଙ୍କ ପାଇଁ ବାସଗୃହ ବ୍ୟବସ୍ଥା କରାଯାଇନପାରିବା ରାଜ୍ୟ ପ୍ରତି ଏକ ଅପମାନ। ଓଡ଼ିଶା ଖଣିଜ ସଂପଦରୁ ଯେଉଁ କମ୍ପାନୀମାନେ ହଜାର ହଜାର କୋଟି ଟଙ୍କା ଲାଭବାନ ହେଉଛନ୍ତି ସେମାନଙ୍କ ସିଏସ୍ଆର୍ ପାଣ୍ଠିରେ ବାସଗୃହ ଯୋଗାଣକୁ କାହିଁକି ଗୁରୁତ୍ୱ ଦିଆଯାଉ ନାହିଁ? ବରଂ ସେହି ପାଣ୍ଠିକୁ ଆଣି ମଉଜ ମଜଲିସରେ ଓ ସରକାରୀ ଅଧିକାରୀମାନଙ୍କ ଖୁସି ପାଇଁ ବ୍ୟବହାର କରାଯାଉଛି।
ବାସ୍ତବରେ ରୋଟି, କପଡ଼ା ଓ ମକାନର ଯେଉଁ ମୌଳିକ ସ୍ଲୋଗାନ୍ ରହିଥିଲା, ତାହା ଏବେବି ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ରହିଛି। ସେହି ଦୃଷ୍ଟିରୁ ୨୪ ତାରିଖ ପରେ କେଉଁମାନଙ୍କୁ ବର୍ତ୍ତମାନ ପର୍ଯ୍ୟାୟରେ ଦିଆଯାଉଥିବା ବାସଗୃହ ଯୋଗାଣରେ ହିତାଧିକାରୀ ଭାବେ ରଖାଯାଉଛି ତାହାକୁ ସମସ୍ତେ ତୀକ୍ଷ୍ଣ ଦୃଷ୍ଟିରେ ଅନାଇଛନ୍ତି। ଅତୀତରେ ଏହି କାର୍ଯ୍ୟକ୍ରମଗୁଡ଼ିକରେ ଯେଉଁ ବେନିୟମ କାର୍ଯ୍ୟକଳାପକୁ ସମସ୍ତେ ସହି ଆସିଛନ୍ତି, ଏଥର ବୋଧହୁଏ ସେକଥା ହେବନାହିଁ। ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି ହକି ନାମରେ ଯେଉଁ ଖୁସିର ମାହୋଲ୍ ରାଜ୍ୟରେ କରାଯାଉଛି ତାହା ଲୋକମାନଙ୍କର ବାସ୍ତବ ଅବସ୍ଥାକୁ ଲୁଚାଇ ଦେବା ପାଇଁ ଏକ ପ୍ରୟାସ ବୋଲି ଜନସାଧାରଣଙ୍କର ହୃଦବୋଧ ହୋଇଯିବ। ୨୦୨୪ ନିର୍ବାଚନ ପାଇଁ ଏହି ପ୍ରସଂଗଟି ଏକ ସାଙ୍ଘାତିକ ପ୍ରସଂଗ ଭାବରେ ଲୋକଙ୍କ ନିକଟରେ ଛିଡ଼ା ହେବ। ରାଜ୍ୟରେ ସରକାରୀ ବ୍ୟବସ୍ଥା ଓ ନିଷ୍ପତି ପ୍ରକ୍ରିୟାରେ କିପରି ପ୍ରୀୟାପ୍ରୀତି ତୋଷଣ ଚାଲିଛି ଓ କେଉଁ ଧରଣର ଦୁର୍ନୀତି ହେଉଛି, ତାହା ଏହି ଘଟଣାରେ ସାରା ରାଜ୍ୟବାସୀ ଦେଖିପାରିବେ। ତେଣୁ ମୁଖ୍ୟମନ୍ତ୍ରୀ ଏବେଠାରୁ ଘୋଷଣା କରିବା ଦରକାର ଯେ ଯେଉଁ ଯୋଗ୍ୟ ହିତାଧିକାରୀ ବାସଗୃହରୁ ବଂଚିତ ହେବେ ସେମାନଙ୍କୁ ରାଜ୍ୟ ସରକାର ବର୍ଷକ ଭିତରେ ଘର ଯୋଗାଇ ଦେବେ। ଯଦି ଏହା ନହୁଏ, ତେବେ ରାଜ୍ୟ ସରକାରଙ୍କ ବିରୋଧରେ ଯେଉଁ ଅସନ୍ତୋଷ ହେବ ତାହା ବିଭିନ୍ନ ଭାବରେ ପ୍ରତ୍ୟେକ ଘଟଣାରେ ପ୍ରତିଫଳିତ ହେବ।
ରବି ଦାସ, ବରିଷ୍ଠ ସାମ୍ବାଦିକ
ଫୋ- ୮୦୧୮୦୯୪୪୫୫