Advertisment

IT Dept Exposed: ‘ସିଲିକନ୍ ଟେକଲାବ୍‌’କୁ ୫ବର୍ଷ ବ୍ୟାନ୍ କଲେ ହାଇକୋର୍ଟ: ସନ୍ଦେହଘେରରେ ରାଜ୍ୟ ସରକାର, ଗଳାବାଟ ରଖିଛି କି ଆଇଟି ବିଭାଗ

ହାଇକୋର୍ଟଙ୍କ ଏଭଳି କଡ଼ା ଆଭିମୁଖ୍ୟ ପରେ ମଧ୍ୟ ରାଜ୍ୟ ସରକାରଙ୍କ ଚେତା ପଶିନାହିଁ । ମୁଖ୍ୟ ଅଭିଯୁକ୍ତ ‘ସିଲିକନ୍‌’ ପ୍ରେମରେ ଥିବା ରାଜ୍ୟ ସରକାର ଏବେବି ତାକୁ ବ୍ୟବସାୟିକ ସ୍ୱାର୍ଥ ଦେବା ପାଇଁ ଗଳାବାଟକୁ ସୁରକ୍ଷିତ ରଖିଥିବା ଜଣାପଡ଼ିଛି ।

Lokseba-bhawan
Advertisment

ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ କଳଙ୍କିତ କରିଥିବା ‘ସିଲିକନ୍ ଟେକଲାବ’କୁ ଓଡ଼ିଶା ହାଇକୋର୍ଟ ଆଗାମୀ ୫ବର୍ଷ ପାଇଁ ବ୍ୟାନ୍ କରିଛନ୍ତି । ହାଇକୋର୍ଟରେ ଏଏସଓ ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଗୋପନୀୟତା ଭଙ୍ଗର ଅଭିଯୋଗରେ ଏହି ସଂସ୍ଥାକୁ ୫ବର୍ଷ ପାଇଁ ସମ୍ପୂର୍ଣ୍ଣ ‘ବ୍ଲାକଲିଷ୍ଟ’ କରାଯାଇଥିବା ନେଇ ଡିସେମ୍ବର ୨୩ତାରିଖରେ ଏକ ନିର୍ଦ୍ଦେଶନାମା ହାଇକୋର୍ଟ ଜାରି କରିଛନ୍ତି । ହାଇକୋର୍ଟଙ୍କ ଏଭଳି କଡ଼ା ଆଭିମୁଖ୍ୟ ପରେ ମଧ୍ୟ ରାଜ୍ୟ ସରକାରଙ୍କ ଚେତା ପଶିନାହିଁ ।

Advertisment

ରାଜ୍ୟରେ ବହୁଚର୍ଚ୍ଚିତ ପୁଲିସ ଏସଆଇ ନିଯୁକ୍ତି ଅନିୟମିତତାର ମୁଖ୍ୟ ଅଭିଯୁକ୍ତ ‘ସିଲିକନ୍‌’ ପ୍ରେମରେ ଥିବା ରାଜ୍ୟ ସରକାର ଏବେବି ‘ସିଲିକନ୍‌’କୁ ବ୍ୟବସାୟିକ ସ୍ୱାର୍ଥ ଦେବା ପାଇଁ ଗଳାବାଟକୁ ସୁରକ୍ଷିତ ରଖିଥିବା ଜଣାପଡ଼ିଛି । ବିଶେଷକରି ‘ସିଲିକନ ଟେକଲାବ’କୁ ନେଇ ଡିସେମ୍ବର ୩ତାରିଖରେ ରାଜ୍ୟ ଇଲୋକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ବିଜ୍ଞପ୍ତି ଓ ଆଭିମୁଖ୍ୟ ଏବେ ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରିଛି ।

ହାଇକୋର୍ଟ ଯେଉଁ ସଂସ୍ଥାକୁ ସମ୍ପୂର୍ଣ୍ଣ ବ୍ୟାନ୍ ଓ ବ୍ଲାକଲିଷ୍ଟ କରି  ଦୂରେଇ ରଖିଥିବାକୁ ନିର୍ଦ୍ଦେଶ ଦେଉଛନ୍ତି ସେହି ସଂସ୍ଥା ପ୍ରତି ରାଜ୍ୟ ଆଇଟି ବିଭାଗ କାହିଁକି କୋହଳ ଆଭିମୁଖ୍ୟ ଗ୍ରହଣ କରିଛି ଓ ତା’ର ବ୍ୟବସାୟିକ ସ୍ୱାର୍ଥରକ୍ଷା ପାଇଁ ‘ଗଳାବାଟ’କୁ ସୁରକ୍ଷିତ ରଖିଛି ତାହା ଏବେ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Advertisment

ହାଇକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି: ସିଲିକନ୍ ପାଇଁ ସବୁ କବାଟ ବନ୍ଦ

ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ କଳଙ୍କିତ କରିବାର ଅଭିଯୋଗ ଆସିବା ପରେ ହାଇକୋର୍ଟ ଏଏସଓ ପରୀକ୍ଷାର ପରିଚାଳନା ଦାୟିତ୍ୱରୁ ‘ସିଲିକନ’କୁ ତତ୍କାଳ ପ୍ରଭାବରୁ ହଟାଇ ଦିଆଯାଇଥିଲା । ଡିସେମ୍ବର ୨୩ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରି ହାଇକୋର୍ଟ ଏହି ‘ସିଲିକନ ଟେକଲାବ’କୁ ଆଗାମୀ ୫ବର୍ଷ ପାଇଁ ସମ୍ପୂର୍ଣ୍ଣ ‘ବ୍ଲାକଲିଷ୍ଟ’ ବା କଳାତାଲିକାଭୁକ୍ତ କରିଛନ୍ତି । ଏଏସଓ ମେନ୍ ପରୀକ୍ଷା- ୨୦୨୪ ପରିଚାଳନାରେ ଗୋପନୀୟତା ରକ୍ଷା କରିବାରେ ବଡ଼ ଧରଣର ବିଫଳତା ପାଇଁ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ଏହି ଅବଧି ମଧ୍ୟରେ ସିଲିକନ୍ କିମ୍ବା ଏହା ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ ଥିବା କୌଣସି ବ୍ୟକ୍ତି ଓ ସଂସ୍ଥା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ କୋର୍ଟ କିମ୍ବା ଏହାର ଅଧୀନରେ ଥିବା କୌଣସି କାର୍ଯ୍ୟରେ ସାମିଲ ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।

ରାଜ୍ୟ ଆଇଟି ବିଭାଗର ‘ସିଲିକନ’ ପ୍ରୀତି, ଗଳାବାଟରେ ସୁରକ୍ଷା

ନିଯୁକ୍ତି ପରୀକ୍ଷା ଦୁର୍ନୀତିରେ ‘ସିଲିକନ ଟେକଲାବ’ ବିବାଦୀୟ ଓ ମୁଖ୍ୟ ଅଭିଯୁକ୍ତ ହେବାପରେ ମଧ୍ୟ ଏହି କମ୍ପାନୀ ପ୍ରେମରୁ ରାଜ୍ୟ ଆଇଟି ବିଭାଗ ମୁକୁଳିପାରିନାହିଁ । ହାଇକୋର୍ଟ ଯେଉଁ ସଂସ୍ଥାକୁ ସମ୍ପୂର୍ଣ୍ଣ ବ୍ୟାନ୍ କରିଛନ୍ତି ସେହି ସଂସ୍ଥା ପ୍ରତି ରାଜ୍ୟ ଆଇଟି ବିଭାଗର ଆଭିମୁଖ୍ୟ ହିଁ ସରକାରଙ୍କ ଦାୟିତ୍ୱହୀନତାକୁ ପଦାରେ ପକାଇ ଦେଇଛି । ରାଜ୍ୟ ଇଲେକ୍ଟୋନିକ୍ସ ଆଣ୍ଡ ଆଇଟି ବିଭାଗ ଡିସେମ୍ବର ୩ ତାରିଖରେ ବିଜ୍ଞପ୍ତି ଜାରି କରି ‘ସିଲିକନ ଟେକଲାବ’କୁ ବିଭାଗ ସହ ହୋଇଥିବା ଏମ୍ପାନେଲମେଂଟକୁ ରଦ୍ଦ କରାଗଲା ବୋଲି ସୂଚନା ଦିଆଗଲା ।

ଏହି ବିଜ୍ଞପ୍ତିରେ ଅତ୍ୟନ୍ତ ଚତୁରତାର ସହ ଗୋଟିଏ ଧାଡ଼ି "ଅନ୍ୟ ସମସ୍ତ ସର୍ତ୍ତାବଳୀ ଅପରିବର୍ତ୍ତିତ ରହିବ’ ବୋଲି ବିଭାଗ ଉଲ୍ଲେଖ କରିବାକୁ ପଛାଇଲା ନାହିଁ । ଆଇଟି ବିଭାଗର ଏହି ଆଭିମୁଖ୍ୟ ହିଁ ‘ସିଲିକନ୍ ଟେକଲାବ’ ପାଇଁ ଅନ୍ୟ ବିଭାଗରେ କାମ କରିବାକୁ ପରୋକ୍ଷରେ ବାଟ ଖୋଲା ରଖିଛି । ଏହି ସଂସ୍ଥାକୁ ‘ବ୍ଲାକଲିଷ୍ଟ’ ନକରିବା ପଛରେ ଆଇଟି ବିଭାଗର କେଉଁ ବାଧ୍ୟବାଧକତା ରହିଛି ତାହା ଏବେବି ଅସ୍ପଷ୍ଟ । ଯେଉଁଠି ଦୁର୍ନୀତିର ପରିସର ଏତେ ବ୍ୟାପକ ସେଠାରେ କେଉଁ ଉଦ୍ଦେଶ୍ୟରେ ଏଭଳି କୋହଳ କାର୍ଯ୍ୟାନୁଷ୍ଠାନ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । 

ଗୃହ ବିଭାଗ, ପୁଲିସ ମୁଖ୍ୟାଳୟ ଓ ଓପିଆରବିର ନିରବତା

ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ‘ସିଲିକନ୍ ଟେକଲାବ’ ହୋଇଥିଲେ ମଧ୍ୟ ଏହି ସଂସ୍ଥାକୁ ଏପର୍ଯ୍ୟନ୍ତ ବ୍ଲାକଲିଷ୍ଟ ଘୋଷଣା କରିବାରେ ରାଜ୍ୟ ପୁଲିସ ମୁଖ୍ୟାଳୟ, ଓପିଆରବି କିମ୍ବା ଗୃହ ବିଭାଗ କୌଣସି ପଦକ୍ଷେପ ନେଇନଥିବା ଜଣାପଡ଼ିଛି । ସିଲିକନ୍ ଟେକଲାବ ମୁଖ୍ୟ ସୁରେଶ ନାୟକଙ୍କୁ ଗିରଫ କରାଯିବା ପରେ ମଧ୍ୟ ଏହି ସଂସ୍ଥା ପ୍ରତି କାହିଁକି ପ୍ରଶାସନିକ ଅଫିସରମାନଙ୍କ ମୋହ ଭଙ୍ଗ ହେଉନାହିଁ ତାକୁ ନେଇ ସାଧାରଣରେ ସନ୍ଦେହ ବଢ଼ିବାରେ ଲାଗିଛି । ଏହି ସଂସ୍ଥାର ମାଲିକ ଗିରଫ ହୋଇ ଜେଲ୍‌ରେ ଥିଲେ ମଧ୍ୟ ଅନିୟମିତତା ପାଇଁ ପୁଲିସ ଓ ଗୃହ ବିଭାଗ ଏହି ସଂସ୍ଥାକୁ ବ୍ଲାକଲିଷ୍ଟ କରିବାକୁ ଆଗ୍ରହ ଦେଖାଇନାହାନ୍ତି । ସିଲିକନ୍ ବିରୁଦ୍ଧରେ ଏତେ ସବୁ ଅଭିଯୋଗ ଓ ପ୍ରମାଣ ଥାଇ ମଧ୍ୟ ଏହି ସଂସ୍ଥାକୁ ‘ବ୍ଲାକଲିଷ୍ଟ’ କରାନଯିବା ରାଜ୍ୟ ପୁଲିସ ମୁଖ୍ୟାଳୟ ଓ ଗୃହ ବିଭାଗର କାର୍ଯ୍ୟଦକ୍ଷତା ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe