Advertisment

High Court ଙ୍କ ଶକ୍ତ ଝଟକା: ଅଫିସରଙ୍କ ଅବହେଳା ପାଇଁ ଲକ୍ଷେ ଟଙ୍କା ତଣ୍ଡ ଗଣିବେ ସରକାର

ସରକାରୀ କାର୍ଯ୍ୟପ୍ରଣାଳୀରେ ବିଳମ୍ବ ହେବା ସ୍ୱାଭାବିକ ହୋଇପାରେ, କିନ୍ତୁ ଏହା ଦ୍ୱାରା ଆଇନଗତ ପ୍ରକ୍ରିୟାରେ ବାଧା ସୃଷ୍ଟି ହେବା ଉଚିତ୍ ନୁହେଁ । ଯଦିଓ ବିଳମ୍ବ ପଛରେ କୌଣସି ଉଦ୍ଦେଶ୍ୟମୂଳକ କାରଣ ନଥିଲା, ତଥାପି ଅବହେଳା ପାଇଁ ସରକାରଙ୍କୁ ଦାୟୀ କରାଯାଇଛି ।

author-image
Prakash Sethi
High-court

ଅଫିସରମାନଙ୍କ ଖାମଖିଆଲି ନୀତି ଯୋଗୁ ରାଜ୍ୟ ସରକାର ଏବେ ୧ଲକ୍ଷ ଟଙ୍କାର ତଣ୍ଡ ଗଣିବେ । ଗୋଟିଏ ମାମଲାରେ ରିଟ୍ ଅପିଲ୍ ଦାଏର କରିବା ପାଇଁ ୩୫୪ଦିନ ସମୟ ନେବା ସରକାରଙ୍କୁ ମହଙ୍ଗା ପଡ଼ିଛି ଓ ହାଇକୋର୍ଟଙ୍କ କଠୋର ଆଭିମୁଖ୍ୟକୁ ଦେଖି ସରକାର ଏହି ୧ଲକ୍ଷ ଟଙ୍କା ଦାଖଲ କରିବାକୁ ପ୍ରସ୍ତୁତି କରୁଥିବା ଜଣାପଡ଼ିଛି । ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ମିଳିବା ବିଳମ୍ବିତ ହେଉଥିବାବେଳେ ସରକାର ନିଜେ କିପରି ଆଇନଗତ ପ୍ରକ୍ରିୟାକୁ ହାଲକା ଭାବେ ଗ୍ରହଣ କରିଛନ୍ତି ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇଯାଇଛି ।

Advertisment

ଅପିଲ ପାଇଁ ଲାଗିଲା ୩୫୪ଦିନ, କୋର୍ଟଙ୍କ କଡ଼ା ଆଭିମୁଖ୍ୟ

ରାଜ୍ୟ ସରକାରଙ୍କ ଏକ ଆବେଦନ ଉପରେ ଶୁଣାଣି କରି ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ବିଚାରପତି ଜଷ୍ଟିସ ମୁରହରି ଶ୍ରୀରମଣଙ୍କ ଖଣ୍ଡପୀଠ  ଡିସେମ୍ବର ୨ତାରିଖରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠଙ୍କ ରାୟ ଉପରେ ନିର୍ଦ୍ଧାରିତ ଅବଧିଠୁ ୩୫୪ଦିନ ବିଳମ୍ବରେ ରାଜ୍ୟ ସରକାର ଦାଖଲ କରିଥିବା ରିଟ୍ ଅପିଲକୁ ନେଇ ଖଣ୍ଡପୀଠ ନାପସନ୍ଦ କରିଛନ୍ତି । ଏହି ବିଳମ୍ବକୁ ନେଇ ସରକାରୀ ଓକିଲ ଯୁକ୍ତି ଦର୍ଶାଇଥିଲେ ଯେ, ବିଭିନ୍ନ ବିଭାଗ ମଧ୍ୟରେ ଫାଇଲ୍ ଆଦାନପ୍ରଦାନ ଓ ମତାମତ ସଂଗ୍ରହ ଯୋଗୁ ଅପିଲ୍ ଦାଏର କରିବାରେ ବିଳମ୍ବ ହୋଇଛି ।

 ଖଣ୍ଡପୀଠ ଏହି ଯୁକ୍ତିକୁ ଶୁଣିବା ପରେ ସ୍ପଷ୍ଟ କରିଛନ୍ତି ଯେ, ସରକାରୀ ବିଭାଗଗୁଡ଼ିକର ଏଭଳି ମନ୍ଥର କାର୍ଯ୍ୟଶୈଳୀ ଗ୍ରହଣୀୟ ନୁହେଁ । ସରକାରୀ କାର୍ଯ୍ୟପ୍ରଣାଳୀରେ ବିଳମ୍ବ ହେବା ସ୍ୱାଭାବିକ ହୋଇପାରେ, କିନ୍ତୁ ଏହା ଦ୍ୱାରା ଆଇନଗତ ପ୍ରକ୍ରିୟାରେ ବାଧା ସୃଷ୍ଟି ହେବା ଉଚିତ୍ ନୁହେଁ । ଯଦିଓ ବିଳମ୍ବ ପଛରେ କୌଣସି ଉଦ୍ଦେଶ୍ୟମୂଳକ କାରଣ ନଥିଲା, ତଥାପି ଅବହେଳା ପାଇଁ ସରକାରଙ୍କୁ ଦାୟୀ କରାଯାଇଛି । କୋର୍ଟଙ୍କ ଆଗରେ ସରକାର କୌଣସି "ସ୍ୱତନ୍ତ୍ର ପକ୍ଷ’ ନୁହଁନ୍ତି ବୋଲି ଖଣ୍ଡପୀଠ ସ୍ମରଣ କରାଇ ଦେଇଛନ୍ତି । ଯଦିଓ ବିଳମ୍ବକୁ ଖଣ୍ଡପୀଠ କ୍ଷମା କରିଥିଲେ ମାତ୍ର ଏହି ଅବହେଳା ପାଇଁ ଦଣ୍ଡସ୍ୱରୂପ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ସୁଧାର ଗୃହ ଅନ୍ତେବାସୀଙ୍କୁ ପାଇଁ ଖର୍ଚ୍ଚ ହେବ ଏହି ଜୋରିମାନା ଅର୍ଥ

ଖଣ୍ଡପୀଠଙ୍କ ନିର୍ଦ୍ଦେଶ ଅନୁସାରେ, ରିଟ୍ ଅପିଲ ଦାଖଲରେ ମାତ୍ରାଧିକ ବିଳମ୍ବ ପାଇଁ ରାଜ୍ୟ ସରକାର ଜୋରିମାନା ବାବଦରେ ୧ଲକ୍ଷ ଟଙ୍କା ଦେବେ । ଆସନ୍ତା ୪ ସପ୍ତାହ ମଧ୍ୟରେ ଏହି ଅର୍ଥକୁ ‘ରାଜ୍ୟ ଆଇନସେବା ପ୍ରାଧିକରଣ’ ନିକଟରେ ଦାଖଲ କରାଯିବ । ଉକ୍ତ ଟଙ୍କା ଜୁଭେନାଇଲ୍ ହୋମସରେ ରହୁଥିବା ଅନ୍ତେବାସୀଙ୍କ ପାଇଁ ବହି ଓ ଅନ୍ୟାନ୍ୟ ପାଠ୍ୟ ଉପକରଣ କ୍ରୟ ବାବଦରେ ଖର୍ଚ୍ଚ କରାଯିବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

କ’ଣ ଥିଲା ମାମଲା, କାହିଁକି ହେଲା ବିଳମ୍ବ

୧୫ବର୍ଷ ଧରି କାର୍ଯ୍ୟ କରିଥିବା ଜଣେ ଡାଟା ଏଂଟ୍ରି ଅପରେଟର ନିଜର ଚାକିରିକୁ ସ୍ଥାୟୀ କରାଯାଉ ନଥିବା ପ୍ରତିବାଦରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୨୩ ଡିସେମ୍ବର ୨୦ତାରିଖରେ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ସମ୍ପୃକ୍ତ ଆବେଦନକାରୀ ଡାଟା ଏଂଟ୍ରି ଅପରେଟରଙ୍କ ସପକ୍ଷରେ ରାୟ ପ୍ରକାଶ କରିଥିଲେ । କିନ୍ତୁ ଏହି ରାୟ ବିରୋଧରେ ଅପିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ୩୫୪ଦିନ ପ୍ରାୟ ଏକବର୍ଷ ସମୟ ଲାଗିଗଲା । ସରକାର ୨୦୨୫ ଜାନୁୟାରୀ ମାସରେ ଏହି ରାୟ ବିରୁଦ୍ଧରେ ରିଟ୍ ଅପିଲ୍ ଦାଏର କରିଥିଲେ । ଏହି ଅପିଲ ଦାଏର ମାମଲାର ଶୁଣାଣି କରି ଖଣ୍ଡପୀଠ ଗତ ସପ୍ତାହରେ(ଡିସେମ୍ବର ୨) ରାଜ୍ୟ ସରକାରଙ୍କ ଉପରେ ଏକ ଲକ୍ଷ ଟଙ୍କାର ଜୋରିମାନା ରୁଜୁ କରିଛନ୍ତି । ତେବେ ରାୟ ଉପରେ ଅପିଲ ପାଇଁ ଏତେଦିନ ଧରି ସରକାରୀ କଳ କ’ଣ କରୁଥିଲା, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନବାଚୀ ପାଲଟିଛି। 

୨୩ରେ ପରବର୍ତ୍ତୀ ଶୁଣାଣି, ଜୋରିମାନା ପୈଠ ପାଇଁ ପ୍ରକ୍ରିୟା ଆରମ୍ଭ

ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୩ତାରିଖରେ ସ୍ଥିରୀକୃତ ହୋଇଛି । ଆଡଭୋକେଟ୍ ଜେନେରାଲଙ୍କ କାର୍ଯ୍ୟାଳୟ ଆଜି ପଂଚାୟତିରାଜ ବିଭାଗ ସଚିବ, ଜଗତସିଂହପୁର ଜିଲ୍ଲାପାଳ ଓ ଜଗତସିଂହପୁର ଜିଲ୍ଲା ପରିଷଦ ସିଡିଓଙ୍କୁ ଚିଠି ଲେଖି ଏହି ନିର୍ଦ୍ଧାରିତ ଅବଧି ମଧ୍ୟରେ ଜୋରିମାନା ଦାଖଲ କରିବାକୁ ପରାମର୍ଶ ଦେଇଛନ୍ତି । ନଚେତ୍ ଏହି ମାମଲାଟି ମେରିଟ୍ ଭତ୍ତିରେ ଆଗକୁ ବଢ଼ିବ ବୋଲି ସତର୍କ କରାଇ ଦେଇଛନ୍ତି ।  

ଉଲ୍ଲେଖଯୋଗ୍ୟ,  ଜଗତସିଂହପୁର ଡିଆରଡିଏରେ ଡାଟା ଏଂଟ୍ରି ଅପରେଟର ରଞ୍ଜନ କୁମାର ରାଉତ ୨୦୧୪ ମସିହାରେ ତାଙ୍କ ଚାକିରିର ସ୍ଥାୟିତ୍ୱ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୨୩ ମସିହା ଡିସେମ୍ବର ୨୦ ତାରିଖରେ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଆବେଦନକାରୀ ଶ୍ରୀ ରାଉତଙ୍କ ସପକ୍ଷରେ ରାୟ ପ୍ରକାଶ କରିଥିଲେ । ମାତ୍ର ଏହି ରାୟକୁ ଚ୍ୟାଲେଞ୍ଜ କରି ରିଟ୍ ଅପିଲ୍ ଦାଖଲ କରିବାକୁ ସରକାର ୩୫୪ଦିନ ସମୟ ନେଇଥିଲେ । ଏତେଦିନ ବିଳମ୍ବକୁ ହାଇକୋର୍ଟ ନାପସନ୍ଦ କରିଛନ୍ତି ।

ଅନ୍ୟପକ୍ଷରେ, ଏହି ମାମଲାରେ ରାଜ୍ୟ ସରକାର କାହିଁକି ବିଳମ୍ବ ପାଇଁ ସମ୍ପୃକ୍ତ ବିଭାଗ ଅବା ଜିଲ୍ଲା ପ୍ରଶାସନର ଅଫିସରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ରାଜକୋଷରୁ ୧ଲକ୍ଷ ଟଙ୍କା ଭରଣା କରିବେ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇଛି । ଯେଉଁ ଅଫିସରଙ୍କ ତ୍ରୁଟି  ଓ ଅବହେଳା ପାଇଁ ସରକାରଙ୍କୁ ଏହି ତଣ୍ଡ ଭରିବାକୁ ପଡ଼ୁଛି ଯଦି ଉକ୍ତ ଅର୍ଥକୁ ସମ୍ପୃକ୍ତ ଦାୟୀ ଅଫିସରଙ୍କଠୁ ଆଦାୟ କରାଯିବ ତା’ହେଲେ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତିରେ ପୂର୍ଣ୍ଣଚ୍ଛେଦ ପଡ଼ନ୍ତା ବୋଲି ଚର୍ଚ୍ଚା ହେଉଛି ।