ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର): ବାତ୍ୟା ‘ବୁଲ୍ବୁଲ୍’ ଯୋଗୁ ପୁରୀଠାରୁ ବାଲେଶ୍ୱର ଯାଏ ୯ଟି ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ଏପରି ପୂର୍ବାନୁମାନ ପରେ ପ୍ରଶାସନ ମଧ୍ୟ ମୁକାବିଲା ଲାଗି ପ୍ରସ୍ତୁତିକୁ ଜୋର୍ଦାର କରିଦେଇଛି। ନୂଆଦିଲ୍ଲୀରୁ ଭୁବନେଶ୍ୱର ଓ ଜିଲ୍ଲାସ୍ତରରେ ବି ଘନଘନ ବୈଠକ ସହ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ଗତକାଲି PMO ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି କେ ମିଶ୍ର ଭିଡ଼ିଓ କନଫରନେସିଂ ଯୋଗେ ସ୍ଥିତିର ସମୀକ୍ଷା କରିଥିଲେ । ଅପରପକ୍ଷେ SRC ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି । ପବନର ବେଗ ବଢ଼ିଲେ କିଛି ସ୍ଥାନରେ ଗଛ, ବିଦ୍ୟୁତ୍ ଖୁଣ୍ଟ, କଚ୍ଚା ଘର ଓ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହେବାର ସମ୍ଭାବନା ରହିଛି ।
ସେହିପରି ଅମଳ ହୋଇଥିବା ଫସଲକୁ ତାର୍ପେଲିନ୍ ଓ ପଲିଥିନ୍ ଘୋଡ଼ାଇ ସୁରକ୍ଷିତ ରଖିବାକୁ କୁହାଯାଇଛି । ପବନ ଓ ବର୍ଷାଜନିତ କ୍ଷୟକ୍ଷତିର ମୁକାବିଲା ଲାଗି ପ୍ରଭାବିତ ହେବାକୁ ଥିବା ପ୍ରତି ଜିଲ୍ଲାକୁ ଦୁଇଟି ଓଡ୍ରାଫ୍ ଓ ଗୋଟିଏ ଲେଖାଏଁ ଏନ୍ଡ଼ିଆରଏଫ୍ ୟୁନିଟ୍ ପଠାଯାଇଛି । ଆବଶ୍ୟକ ହେଲେ ଜିଲ୍ଲା ପ୍ରଶାସନ ଲୋକଙ୍କୁ ସ୍ଥାନାନ୍ତର କରିପାରିବ ବୋଲି ଗତକାଲି ଉଚ୍ଚସ୍ତରୀୟ ବୈଠକ ପରେ SRC ପ୍ରଦୀପ ଜେନା ସୂଚନା ଦେଇଥିଲେ ।