କେନ୍ଦ୍ର ସରକାରଙ୍କ ସବୁଜ ସଙ୍କେତ ପରେ ରାଜ୍ୟ ରାଜଭବନର ନାମ ପରିବର୍ତ୍ତନ ହୋଇଛି । ଏଣିକି ରାଜଭବନ ନୁହେଁ ‘ଲୋକ ଭବନ’ ନାଁରେ ପରିଚିତ ହେବ । ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଆଜି ରାଜ୍ୟପାଳଙ୍କ ସଚିବାଳୟ ପକ୍ଷରୁ ପ୍ରକାଶ ପାଇଛି । ୨୦୧୯ ମସିହାରେ ରାଜ୍ୟ ସଚିବାଳୟର ନାଁକୁ ‘ ଲୋକସେବା ଭବନ’କୁ ପରିବର୍ତ୍ତନ କରାଯାଇଥିଲା । ଲୋକାଭିମୁଖୀ ଶାସନକୁ ଗୁରୁତ୍ୱ ଦେବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି ।
ରାଜଭବନର ନୂଆ ନାମକରଣ: ‘ଲୋକ ଭବନ'
ରାଜ୍ୟପାଳଙ୍କ ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନଭେମ୍ବର ୨୫ତାରିଖର ଚିଠି ଆଧାରରେ ଭୁବନେଶ୍ୱର ରାଜଭବନ ଓ ପୁରୀ ରାଜଭବନର ନାମ ପରିବର୍ତ୍ତନ ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଆଧାରରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ଏହି ନାମକରଣକୁ ଅନୁମୋଦନ କରିଛନ୍ତି। ଡିସେମ୍ବର ୧ରୁ ଭୁବନେଶ୍ୱର ଏବଂ ପୁରୀରେ ଥିବା ରାଜଭବନର ନାମକୁ ପରିବର୍ତ୍ତନ କରାଯାଇ ‘ଲୋକ ଭବନ' ଭାବେ ନାମିତ କରାଯାଇଛି । ସମସ୍ତ ସରକାରୀ କାର୍ଯ୍ୟ ପାଇଁ ଡିସେମ୍ବର ୧ରୁ ଏହି ନାମ ପରିବର୍ତ୍ତନ ତତ୍କାଳ ଲାଗୁ ହୋଇଛି । ୨୦୨୪ ମସିହାରେ ରାଜ୍ୟପାଳଙ୍କ ସମ୍ମିଳନୀ ସମୟରେ ହୋଇଥିବା ସୁପାରିଶ ପରେ ଏହି ନିଷ୍ପତ୍ତି ନିଆଯାଇଛି, ଯେଉଁଥିରେ ଉପନିବେଶ ଯୁଗର ଶବ୍ଦରୁ ଦୂରେଇ ଯାଇ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ ​​କରିବା ପାଇଁ ସମଗ୍ର ଭାରତରେ ରାଜ ଭବନ ମାନଙ୍କର ନାମକୁ 'ଲୋକ ଭବନ' ନାମରେ ବଦଳାଇବାକୁ ପ୍ରସ୍ତାବ ଦିଆଯାଇଥିଲା।
ବିଭିନ୍ନ କାର୍ଯ୍ୟାଳୟକୁ ସୂଚନା ପ୍ରଦାନ
ରାଜଭବନର ନାମ ପରିବର୍ତ୍ତନ ସଂପର୍କିତ ବିଜ୍ଞପ୍ତିକୁ ରାଜ୍ୟପାଳଙ୍କ ସଚିବାଳୟ ପକ୍ଷରୁ ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟକୁ ପଠାଯାଇଛି । ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସଚିବ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ସମସ୍ତ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ଓଡ଼ିଶାର ମୁଖ୍ୟ ସଚିବ, ପୁଲିସ ଡିଜି ଓ ଆଇଜି ଓ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମଧ୍ୟ ଏହାର ବିଜ୍ଞପ୍ତି ପଠାଯାଇଛି । ଏହି ପରିବର୍ତ୍ତନ ମାଧ୍ୟମରେ ଓଡ଼ିଶାର ପ୍ରଶାସନ ସଂପୂର୍ଣ୍ଣ ଭାବେ ଲୋକସେବାକୁ ଉତ୍ସର୍ଗୀକୃତ ହେବ ବୋଲି କୁହାଯାଉଛି ।
କ’ଣ କହିଲେ ରାଜ୍ୟପାଳ
ରାଜ୍ୟପାଳ ଡ. କମ୍ଭମପାଟି କହିଛନ୍ତି ଯେ , 'ଲୋକ ଭବନ' ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଏବଂ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ ଅଟେ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ କରିବା, ଶାସନ ବ୍ୟବସ୍ଥାକୁ ସୁଦୃଢ଼ ​​କରିବା ଏବଂ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ସୁନିଶ୍ଚିତ କରିବାର ବ୍ୟାପକ ଦୃଷ୍ଟିକୋଣ ସହିତ ସମନ୍ୱିତ। ' ଲୋକ ଭବନ ' ଜନସାଧାରଣଙ୍କ ସହଭାଗିତା ଏବଂ ପରାମର୍ଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବରେ କାର୍ଯ୍ୟ କରିଵ ।ସମସ୍ତଙ୍କ ପାଇଁ ସୁଗମତା ଉପରେ ଧ୍ୟାନ ଦିଆଯିବ ବୋଲି ରାଜ୍ୟପାଳ କହିଛନ୍ତି। ଏହି ନାମ ପରିବର୍ତ୍ତନ ସହିତ ଓଡ଼ିଶା ଉପନିବେଶବାଦୀ ନାମଗୁଡ଼ିକରୁ ଦୂରେଇ ଯାଇ ଶାସନ ପାଇଁ ଏକ ଲୋକକେନ୍ଦ୍ରିକ ଆଭିମୁଖ୍ୟ ଗ୍ରହଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ରାଜ ଭବନକୁ ' ଲୋକ ଭବନ ' ଭାବରେ ନାମକରଣ କରିବା ଏକ ମାଇଲଖୁଣ୍ଟ I ଏହା ଗୌରବ, ଗଣତନ୍ତ୍ର ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ଦ୍ୱାରା ପରିଚାଳିତ ଭବିଷ୍ୟତକୁ ପ୍ରତିଫଳିତ କରେ।
୬ବର୍ଷ ପୂର୍ବରୁ ହୋଇଛି ‘ଲୋକସେବା ଭବନ'
ରାଜ୍ୟର ସର୍ବୋଚ୍ଚ ପ୍ରଶାସନିକ କାର୍ଯ୍ୟାଳୟର ନାମ ‘ସଚିବାଳୟ' ବା 'ସେକ୍ରେଟେରିଏଟ୍'ର ନାମ ମଧ୍ୟ ପୂର୍ବରୁ ପରିବର୍ତ୍ତନ ହୋଇଛି । ୨୦୧୯ ମସିହା ଜୁଲାଇ ୨୯ ତାରିଖରେ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନାମ ପରିବର୍ତ୍ତନର ଘୋଷଣା କରିଥିଲେ । ରାଜ୍ୟ ସଚିବାଳୟର ନାମ ଲୋକସେବା ଭବନରେ ପରିଣତ ହୋଇଥିଲା । ବିଧାନସଭାରେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ବଜେଟ୍ ଆଲୋଚନାର ଉତ୍ତର ଦେବାବେଳେ ନବୀନ ଏହି ଐତିହାସିକ ଘୋଷଣା କରିଥିଲେ । ଗଣତନ୍ତ୍ରରେ ଜନତା ହିଁ ଜନାର୍ଦ୍ଦନ, ତେଣୁ ରାଜ୍ୟବାସୀଙ୍କ ଆଶା ଆକାଂକ୍ଷା ପୂରଣ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ସେ କହିଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us