ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ସମୟରେ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସେବା ଯୋଗାଇଥିଲେ ହୋମିଓପାଥିକ ଓ ଆୟୁର୍ବେଦିକ ଡାକ୍ତର। ହେଲେ ଏବେ ସେମାନଙ୍କୁ କରୋନା ଟିକା ମିଳୁନି। ଏପରି ଅଭିଯୋଗ ଆସିଛି ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲାରୁ।
ସମଗ୍ର ଦେଶରେ ଟିକାକରଣ ଆରମ୍ଭ ହେବା ପରେ ପ୍ରଥମ ପର୍ଯ୍ୟାୟରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯାଇଥିଲା। ଏମିତି କି ଦ୍ୱିତୀୟ ପର୍ଯ୍ୟାୟରେ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ମଧ୍ୟ ଟିକା ଦିଆଗଲାଣି। ପ୍ରଥମ ପର୍ଯ୍ୟାୟ ଟିକାକରଣ ସରିବାକୁ ଆଉ ମାତ୍ର କେଇଦିନ ବାକି ରହିଛି। ମାତ୍ର ଏ ପର୍ଯ୍ୟନ୍ତ ହୋମିଓପାଥିକ ଓ ଆୟୁର୍ବେଦିକ ଡାକ୍ତରଙ୍କୁ ଟିକା ମିଳିନଥିବା ଅଭିଯୋଗ ହୋଇଛି। ୨୦୨୦ ଅକ୍ଟୋବର ୧୯ରୁ ଟିକାକରଣ ପାଇଁ ତାଲିକା ପଠାଯାଇଥିଲା। ମାତ୍ର ଏ ପର୍ଯ୍ୟନ୍ତ ସରକାରୀ ସ୍ତରରେ କିଛି ବି ପ୍ରତ୍ୟୁତ୍ତର ମିଳି ନ ଥିବା ଅଭିଯୋଗ କରିଛନ୍ତି ଡାକ୍ତରମାନେ।
ସୂଚନା ମୁତାବକ ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାର ୬୨ଟି ହୋମିଓପାଥି ମେଡ଼ିକାଲରେ ୧୦୫ ଡାକ୍ତର ତଥା କର୍ମଚାରୀ ଓ ୬୧ ଆୟୁର୍ବେଦକ ଡିସପେନ୍ସାରୀର ୧୨୯ଜଣ ଡାକ୍ତର ଓ କର୍ମଚାରୀ ଟୀକା ପାଇନାହାନ୍ତି। ଡାକ୍ତରଙ୍କ ଅଭିଯୋଗ ଉପରେ ସ୍ୱାସ୍ଥ୍ୟ ବିଭାଗର ପ୍ରତିକ୍ରିୟା ମିଳିପାରି ନାହିଁ।
ହୋମିଓପାଥି ଚିକିତ୍ସା ଅଧିକାରୀ ଡାକ୍ତର ଅମରେନ୍ଦ୍ର ନାଥ ମହାପାତ୍ର କହିଛନ୍ତି-“ସିଡିଏମ୍ଓ ପୁରୀ ଓ ଖୋର୍ଦ୍ଧାଙ୍କୁ ତାଲିକା ଦେଇଥିଲୁ। ହେଲେ ଆଜି ପର୍ଯ୍ୟନ୍ତ ଟିକା ପାଇଲୁ ନାହିଁ। ଏହା ଅତ୍ୟନ୍ତ ଦୁଃଖ ଓ ପରିତାପ ବିଷୟ।”
ଆୟୁର୍ବେଦ ଚିକିତ୍ସାଧିକାରୀ ଡାକ୍ତର ରେଣୁପ୍ରଭା ମହାପାତ୍ର କହିଛନ୍ତି-“ସମସ୍ତଙ୍କୁ କରୋନା ଟିକା ଦିଆଗଲା। କିନ୍ତୁ ଆୟୁର୍ବେଦିକ ଓ ହୋମିଓପାଥିକ୍ ଡାକ୍ତରଙ୍କୁ ଆଜି ପର୍ଯ୍ୟନ୍ତ ଦିଆଗଲା ନାହିଁ। ଡାଟାବେସ୍ ଦେଇଛୁ ଓ ଫୋନ୍ ମଧ୍ୟ କରିଛୁ। ହେଲେ ଆଜି ପର୍ଯ୍ୟନ୍ତ ନା ମେସେଜ୍ ଆସିଲା ନା ଟିକା ମିଳିଲା।”
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।