
ଆନ୍ତର୍ଜାତିକ ମହିଳା ଦିବସ ଅବ୍ୟବହିତ ପୂର୍ବରୁ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ରାଜ୍ୟର ସଫଳ ମହିଳାମାନଙ୍କୁ ସମ୍ମାନିତ କରାଯାଇଛି। ଏହାସହିତ ଆଜିଠୁ କୋଣାର୍କଠାରେ ମିଶନ ଶକ୍ତି ବିଭାଗ ପକ୍ଷରୁ ଏକ ଭବ୍ୟ ‘ସୁଭଦ୍ରା ଶକ୍ତି ନେତୃତ୍ୱ ସମ୍ମିଳନୀ’ର ମଧ୍ୟ ଆରମ୍ଭ ହୋଇଛି।
ଆଜି ଭୁବନେଶ୍ୱରସ୍ଥିତ ହୋଟେଲ ମେ’ଫେୟାରରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଓ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଥିବା ମହିଳାମାନେ ଏକଜୁଟ୍ ହୋଇଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ପତ୍ନୀ ଶ୍ରୀମତୀ କମ୍ଭମପାଟି ଜୟଶ୍ରୀ, ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଡଃ ପ୍ରିୟଙ୍କା ମାରାଣ୍ଡି, ବାଚସ୍ପତି ସୁରମା ପାଢ଼ୀ, ମେୟର ସୁଲୋଚନା ଦାସ, ମୁଖ୍ୟ ସଚିବ ଅନୁ ଗର୍ଗ, ଓଡ଼ିଶା ଟେଲିଭିଜନ ନେଟୱାର୍କ ସହପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶିକା ଜଗିମଙ୍ଗତ ପଣ୍ଡାଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମର ଶୁଭାରମ୍ଭ ବୃକ୍ଷରେ ଜଳଦାନ କରାଯାଇ ଆରମ୍ଭ କରାଯାଇଥିଲା। ଏହି ଅବସରରେ ପ୍ରଶାସନିକ କ୍ଷେତ୍ରରେ ଦୃଢ଼ ନେତୃତ୍ୱ ପାଇଁ ମୁଖ୍ୟ ସଚିବ ଶ୍ରୀମତୀ ଗର୍ଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି Womens Day କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥିମାନେ ନିଜର ମତ ରଖିବା ସହ ସଫଳ ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ ଯେ, ଆଜି ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରୁ ଏତେ ସଂଖ୍ୟକ ସଫଳ ମହିଳାଙ୍କ ଉପସ୍ଥିତି ଏକ ବଳିଷ୍ଠ ପ୍ରମାଣ ଯେ, ଆଜିର ଓଡ଼ିଶାରେ ମହିଳାମାନେ ରାଜ୍ୟର ବିକାଶରେ କେବଳ ସହଭାଗୀ ନୁହନ୍ତି, ବରଂ ପରିବର୍ତ୍ତନର ନେତୃତ୍ୱ ନେଇ ରାଜ୍ୟର ବିକାଶ ଧାରାକୁ ଏକ ନୂଆ ରୂପ ଦେଉଛନ୍ତି।
ଓଡ଼ିଶା ଟେଲିଭିଜନ ନେଟୱାର୍କ ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ପଣ୍ଡା ନିଜର ଅଭିଭାଷଣରେ ଓଟିଭି ସହିତ ତାଙ୍କର ପ୍ରାୟ ୩୦ ବର୍ଷର ସଫଳ ଯାତ୍ରା ବିଷୟରେ ଆଲୋକପାତ କରିବା ସହ ସଫଳତା ଓ ସିଦ୍ଧି ମଧ୍ୟରେ ଥିବା ପାର୍ଥକ୍ୟ ବୁଝାଇଥିଲେ।
ତାଙ୍କ ମତରେ ଜଣେ ମହିଳା ସଫଳ ହେବା ପାଇଁ ଦୃଢ଼ ସଂକଳ୍ପ, ସାହସ ଓ ନିଜ ଉପରେ ବିଶ୍ୱାସ ରହିବା ନିହାତି ଜରୁରୀ। ଶେଷରେ ସେ ସମସ୍ତ ମହିଳାଙ୍କୁ ଆନ୍ତର୍ଜାତିକ ମହିଳା ଦିବସ ପାଇଁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କୁ ବଡ଼ ସ୍ୱପ୍ନ ଦେଖିବାକୁ, ନିର୍ଭୟରେ ନେତୃତ୍ୱ ନେବାକୁ ଓ ନିଜ ଉପରେ ଗଭୀର ବିଶ୍ୱାସ ରଖିବାକୁ ପରାମର୍ଶ ଦେଇଥିଲେ ।
କାର୍ଯ୍ୟକ୍ରମ ଶେଷରେ ବିଶିଷ୍ଟ କଣ୍ଠଶିଳ୍ପୀ ସୁସ୍ମିତା ଦାଶ ଓ ଆଦ୍ୟାଶା ଦାସ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
ସେହିପରି ଅନ୍ୟପକ୍ଷରେ ମିଶନଶକ୍ତି ବିଭାଗ ଦ୍ୱାରା କୋଣାର୍କଠାରେ ଆଜିଠୁ ‘ସୁଭଦ୍ରା ଶକ୍ତି ନେତୃତ୍ୱ ସମ୍ମିଳନୀ’ ଆରମ୍ଭ ହୋଇଛି। ଏହି ସମ୍ମିଳନୀ ୬ଦିନ ଧରି ଚାଲିବ, ଯେଉଁଥିରେ ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍ ୭୦୦ ଜଣ ମିଶନ ଶକ୍ତି ବ୍ଲକସ୍ତରୀୟ ସଂଘର ସଭାପତି ଓ ସଂପାଦକଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ କର୍ମଚାରୀମାନେ ଅଂଶଗ୍ରହଣ କରିବେ । କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ ନୟାଗଡ଼ ଜିଲ୍ଲାର ମହାସଂଘର ପ୍ରାୟ ୯୦ ଜଣ ପ୍ରତିନିଧି ସାମିଲ ହୋଇ ନେତୃତ୍ୱ ବିକାଶ ଓ ମହିଳାଙ୍କ ଆର୍ଥିକ ସ୍ୱାଧୀନତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଜାଭିୟର୍ସ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଂଟର ଅଭିଜ୍ଞ ତାଲିମଦାତାଙ୍କ ଦ୍ୱାରା ମହିଳାମାନଙ୍କୁ ଦକ୍ଷତା ବିକାଶ, ଷ୍ଟାର୍ଟଅପ୍ ସୁଯୋଗ, ଡିଜିଟାଲ୍ ଓ ଆର୍ଥିକ ସାକ୍ଷରତା ଭଳି ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
