କରୋନା ମୁକାବିଲାରେ ଗଞ୍ଜାମକୁ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟର ପ୍ରଶଂସା କେତେ ସତ ?
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କୋଭିଡ୍ ସୁପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଞ୍ଜାମଙ୍କୁ ବିଦେଶରୁ ମିଳିଛି ପ୍ରଶଂସା। ଗଂଜାମ ପ୍ରଶାସନକୁ ପ୍ରଶଂସା କରିଛି ବ୍ରିଟେନର ଅକ୍ସଫୋର୍ଡ ୟୁନିଭର୍ସିଟି। ଅକ୍ସଫୋର୍ଡ ୟୁନିଭର୍ସିଟିର ପ୍ରଶଂସା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ରୁ ଟ୍ୱିଟ୍ କରାଯାଇଛି। ହେଲେ ଅନେକ ତଥ୍ୟକୁ ତର୍ଜମା କଲେ ମିଳିଥିବା ପ୍ରଶଂସାର ଆଧାରକୁ ନେଇ ଉଠିଛି ପ୍ରଶ୍ନ। ସୋଶାଲ ମିଡିଆରେ ମଧ୍ୟ ଲୋକେ ଏହାର ପ୍ରମାଣ ପାଇଁ ଦାବି କଲେଣି।
କାରଣ ‘ପ୍ଲେଜ୍ ଟାଇମ’ ନାମକ ଏକ ଇଂଲିସ ପୋର୍ଟାଲ ପକ୍ଷରୁ ଏହି ଖବର ପ୍ରକାଶ ପାଇଥିବା ବେଳେ ଏହାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ଗଣମାଧ୍ୟମକୁ ଜଣାଇ ଦିଆଯାଇଛି। ସିଏମଓଙ୍କ ପକ୍ଷରୁ କରାଯାଇଥିବା ଟ୍ୱିଟ୍ରେ ‘ଅକ୍ସଫୋର୍ଡ଼ ଟ୍ୱିଟର’ ହ୍ୟାଣ୍ଡେଲକୁ ଟ୍ୟାଗ କରାଯାଇଛି। ହେଲେ ସେହି ଅଫିସିଆଲ ଅକ୍ସଫୋର୍ଡ଼ ଟ୍ୱିଟର ଆକାଉଣ୍ଟରେ ମଧ୍ୟ ଏହି ଖବର ସମ୍ପର୍କିତ କୌଣସି ଟ୍ୱିଟ୍ କରାଯାଇଥିବା ଉଲ୍ଲେଖ ନାହିଁ। ତେବେ ‘ପ୍ଲେଜ ଟାଇମ’ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଅକ୍ସଫୋର୍ଡ଼ ପକ୍ଷରୁ ମୁମ୍ବାଇର ଧରାବି ମଡେଲକୁ ପ୍ରଶଂସା କରାଯାଛି। ଉକ୍ତ ୱେବସାଇଟ୍ରେ ଉଲ୍ଲେଖ ଅଛି ଯେ, କୋଭିଡ ପରିଚାଳନା କ୍ଷେତ୍ରରେ ଅକ୍ସଫୋର୍ଡ଼ ପକ୍ଷରୁ ୩୧୦ଟି ସହରକୁ ନେଇ ନିରୀକ୍ଷଣ କରାଯାଇଥିଲା। ଏହି ୩୧୦ଟି ସହର ସାରା ବିଶ୍ୱର କି ଭାରତର ତାହା ଉଲ୍ଲେଖ ନାହିଁ।
Ganjam earned praise from @UniofOxford for its successful model of #COVID19 infection prevention. The district excelled in #CovidManagement by empowering sarpanchs, forming committees in villages for intensive screening & by ensuring proper healthcare. https://t.co/jTSG0JWrcv
— CMO Odisha (@CMO_Odisha) October 8, 2020
ତେବେ ସବୁଠୁ ଖରାପ ପରିସ୍ଥିତି ଥିବା ମହାରାଷ୍ଟ୍ରର ଧରାବି ଓ ଓଡ଼ିଶାର ଗଞ୍ଜାମ ଯେଉଁଭଳି ଭାବେ କରୋନାର ମୁକାବିଲା କଲେ ତାହା ଅତ୍ୟନ୍ତ ଶିକ୍ଷଣୀୟ ବୋଲି କୁହାଯାଇଛି। ଯେଉଁଠି ଶହ ଶହ ରୋଗୀ ଚିହ୍ନଟ ହେଉଥିଲେ ସେଠାରେ ଏବେ ଦିନକୁ ୨୦୦ରେ ସୀମିତ ରହୁଛି ବୋଲି କୁହାଯାଇଛି। ଉଭୟ ଅକ୍ସଫୋର୍ଡ଼ ଏବଂ ନର୍ଥଇଷ୍ଟର୍ଣ୍ଣ ୟୁନିଭରସିଟି ପକ୍ଷରୁ ଅଧିକ ସଂକ୍ରମଣ ପ୍ରଭାବିତ ଛୋଟ ଛୋଟ ସହରକୁ ନେଇ ଗବେଷଣା କରାଯାଇଥିଲା। ତେବେ ଗଞ୍ଜାମ କ୍ଷେତ୍ରରେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା, ପ୍ରତି ଗାଁରେ କୋଭିଡ୍ ମ୍ୟାନେଜମେଣ୍ଟ ଟିମ୍ ଗଠନ, ୫ଟି ଗାଁ ପାଇଁ ଗୋଟିଏ ଆମ୍ବୁଲାନ୍ସ ମୁତୟନ ଭଳି ପଦକ୍ଷେପ କୋଭିଡ୍ ପରିଳାନାରେ ସଫଳତାର ମଡେଲ ବୋଲି ଉଲ୍ଲେଖ ରହିଛି। ସେହିପରି ଧରାବିରେ ଡୋର୍ ଟୁ ଡୋର୍ ସ୍କ୍ରିଂନି, ଲକ୍ଷଣ ଥିବା ରୋଗୀଙ୍କୁ ତୁରନ୍ତ ହସପିଟାଲକୁ ପଠାଯିବା ଭଳି ଆଶୁ ପଦକ୍ଷେପ ସେଠାକାର କରୋନାକୁ ନିୟନ୍ତ୍ରଣ ଆଣିପାରିଛି ବୋଲି ଉଲ୍ଲେଖ ରହିଛି। ତେବେ ଅକ୍ସଫୋର୍ଡ଼ ପକ୍ଷରୁ ଗବେଷଣା ହୋଇଥିବା ଏହି ତଥ୍ୟ କେଉଁ ଜର୍ଣ୍ଣଲାରେ ପ୍ରକାଶ ପାଇଛି ତାହା ଉଲ୍ଲେଖ ନାହିଁ। ସେହିପରି ଏହି ଟିମ୍ କେବେ ଗବେଷଣା କରିଥିଲା, ଟିମ୍ରେ କେତେ ଜଣ ଥିଲେ, ଟିମ୍ ସ୍ଥାନୀୟ ଜିଲ୍ଲାପ୍ରଶସନ ସହ କାହାସହ ଆଲୋଚନା କରିଥିଲେ ସେମିତି କିଛି ବିସ୍ତୃତ ତଥ୍ୟ ନାହିଁ।
ଏମିତିକି ଗୁଗୁଲରେ ସର୍ଚ୍ଚକଲେ ମଧ୍ୟ ସେମିତି କିଛି ଗବେଷଣା ସମ୍ପର୍କିତ ଅକ୍ସଫୋର୍ଡ଼ର ଲିଙ୍କ ଆସୁନାହିଁ। ତେବେ ଯେଉଁ ୱେବସାଇଟ୍ରେ ଏହି ଖବର ପ୍ରକାଶ ପାଇଛି ଉକ୍ତ ସଂସ୍ଥା ଉପରେ ନିରୀକ୍ଷଣ କରିବା ପରେ ଜଣାପଡ଼ିଛି ଯେ, ଏହି ୱେବ ପୋର୍ଟାଲଟି ହେଉଛି ଭାରତୀୟ ଉଦ୍ୟୋଗୀଙ୍କ ପରିଚାଳିତ। ଯାହାର ସମ୍ପାଦକ ହେଉଛନ୍ତି ଭାବି ମାଣ୍ଡାଲିଆ, ଅନ୍ୟ ଜଣେ କର୍ମକର୍ତ୍ତା ହେଲେ ଜୈମିନ୍ ସୋନି। ଭାବିଙ୍କ ଘର ଗୁଜରାଟର ଅହମ୍ମଦାବାଦର ବୋଲି ତାଙ୍କ ଫେସବୁକ୍ ଆକାଣ୍ଟରୁ ଜଣାପଡ଼ିଛି। ସେହିପରି ଭାରତର ଅନ୍ୟ ଦୁଇଟି ପୋର୍ଟାଲରେ ମଧ୍ୟ ଏହି ଖବର ପ୍ରକାଶ ପାଇଛି। ସେ ଦୁଇଟି ହେଲ ତାମିଲ ୱାନ୍ଇଣ୍ଡିଆ ଓ ମରାଠୀ ଟିଭି୯। ସେ ଯାହାବି ହେଉ ଯଦି ଏହି ଖବରଟି ସତ୍ୟ ହୋଇଥାଏ ତେବେ ଏହା ନିଶ୍ଚିତ ଓଡ଼ିଶା ପାଇଁ ଗର୍ବର ବିଷୟ। ଯଦି ଏହା ଅସତ୍ୟ ହୋଇଥାଏ ତେବେ ଏହା ଓଡ଼ିଶା ସରକାରଙ୍କ ପାଇଁ ନିନ୍ଦାଜନକ ହେବ ବୋଲି ସୋଶାଲ ମିଡିଆରେ ଚର୍ଚ୍ଚା ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।