Advertisment

କିଏ ନବ ଦାସ, କେମିତି ହେଲେ ଏତେ ପ୍ରଭାବଶାଳୀ?

ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଆଜି ଗୁଳିମାଡ଼ରେ ନିହତ ହେବା ପରେ ପଶ୍ଚିମଓଡ଼ିଶାର ରାଜନୀତିକ ଦୃଶ୍ୟପଟ୍ଟରେ ଏକ ବଡ଼ଧରଣର ପରିବର୍ତ୍ତନର ସମ୍ଭାବନା ସୃଷ୍ଟି ହୋଇଛି।

ଅଦ୍ୟତନ ହୋଇଛି
Naba das

Naba das

Advertisment

ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଆଜି ଗୁଳିମାଡ଼ରେ ନିହତ ହେବା ପରେ ପଶ୍ଚିମଓଡ଼ିଶାର ରାଜନୀତିକ ଦୃଶ୍ୟପଟ୍ଟରେ ଏକ ବଡ଼ଧରଣର ପରିବର୍ତ୍ତନର ସମ୍ଭାବନା ସୃଷ୍ଟି ହୋଇଛି । ଝାରସୁଗୁଡ଼ା ଜିଲ୍ଲାର ଏକଛତ୍ରବାଦୀ ନେତା ଭାବେ ବେଶ୍ ପରିଚିତ ଶ୍ରୀ ଦାସ ଗତ କିଛିବର୍ଷ ମଧ୍ୟରେ ପଶ୍ଚିମଓଡ଼ିଶାରେ ଶାସକ ବିଜେଡିର ସବୁଠୁ ପ୍ରଭାବଶାଳୀ ନେତା ପାଲଟିଥିଲେ । ୨୦୨୨ ଜୁନ୍ ମାସରେ ମନ୍ତ୍ରିମଣ୍ଡଳ ଅଦଳବଦଳ ସମୟରେ ନବ ଦାସ ନିଜର ମନ୍ତ୍ରୀ ପଦ ସୁରକ୍ଷିିତ ରଖି ରାଜ୍ୟ ରାଜନୀତିରେ ନିଜର ପତିଆରା ଜାହିର କରିଥିଲେ । ତେବେ କିଏ ଏ ନବ ଦାସ, କେମିତି ଏତେ ପ୍ରଭାବଶାଳୀ ଆଉ କୋଟି କୋଟି ଟଙ୍କା ସମ୍ପତ୍ତି ମାଲିକ ହେଲେ, ଆସନ୍ତୁ ଜାଣିବା?

Advertisment

୧୯୬୨ ଜାନୁୟାରୀ ୭ତାରିଖରେ ସମ୍ବଲପୁର ଜିଲ୍ଲାର ମାନେଶ୍ୱର ନିକଟସ୍ଥ ମୁର୍ଗାମୁଣ୍ଡା ଗାଁରେ ଜନ୍ମିତ ନବ କିଶୋର ଦାସ ଛାତ୍ରାବସ୍ଥାରୁ ରାଜନୀତିରେ ସକ୍ରିୟ ହୋଇପଡ଼ିଥିଲେ । ଅଶୀ ଦଶକରେ ସମ୍ବଲପୁର ଗଙ୍ଗାଧର ମେହେର କଲେଜରେ ପାଠ ପଢ଼ିବାବେଳେ ଛାତ୍ର ରାଜନୀତିରେ ବେଶ୍ ସକ୍ରିୟ ଥିବା ନବ ପରବର୍ତ୍ତୀ ସମୟରେ ତତକାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଖାସ ଅନୁଗତ ହୋଇପାରିଥିଲେ। ଛାତ୍ର ରାଜନୀତି ବେଳେ ସୁରେଶ ପୂଜାରୀଙ୍କ ସହ ମତାନ୍ତର ଯୋଗୁ  ସେ କଂଗ୍ରେସ ଆଡେ ମୁହାଁଇଥିଲେ।  କିନ୍ତୁ ଏତେ ଶୀଘ୍ର ରାଜନୀତିକ ସଫଳତା ପାଇପାରିନଥିଲେ। ପାରିବାରିକ ବ୍ୟବସାୟ ଓ ନିଜର ଏମଏଲଏଲବି ପାଠପଢ଼ା ଭିତରେ ସମନ୍ୱୟ ରକ୍ଷା କରି ନବ ରାଜନୀତିରେ ନିଜର ସଂଘର୍ଷ ଜାରି ରଖିଥିଲେ । ମାତ୍ରପରେ ଝାରସୁଗୁଡ଼ାର ତତକାଳୀନ ବିଧାୟକ ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କ ଖାସ୍ ଅନୁଗତ ହୋଇପାରିଥିଲେ । ସମ୍ବଲପୁର ଜିଲ୍ଲା କଂଗ୍ରେସରେ ତାଙ୍କୁ ବିରୋଧ ଯୋଗୁ ସେ ଝାରସୁଗୁଡ଼ା ମୁହାଁଇଥିଲେ। ସେଠାରେ ସରବାହଲ ଅଞ୍ଚଳରେ ଏକ ଭଡ଼ା ଘର ନେଇ ନିଜର କର୍ମମୟ ଓ ରାଜନୀତିକ ଜୀବନର ମୂଳଦୁଆ ପକାଇଥିଲେ। ସତେ ଯେମିତି ଝାରସୁଗୁଡ଼ାରେ ତାଙ୍କୁ ସଫଳତା ଅପେକ୍ଷା କରିଥିଲା। ଝାରସୁଗୁଡ଼ାରେ ଶିଳ୍ପର ବିକାଶ ସହ ନବଙ୍କୁ ବ୍ୟବସାୟୀକ ସଫଳତା ମିଳିଥିଲା। ସେ ଖୁବ୍ କମ୍‌ ଦିନ ମଧ୍ୟରେ ଖଣି ଟ୍ରାନ୍ସପୋର୍ଟ ଓ ହୋଟେଲ ବ୍ୟବସାୟରେ ସଫଳ ହୋଇ ପଶ୍ଚିମ ଓଡ଼ିଶାର ନିଜର ଉଭୟ ରାଜନୀତି ଓ ବ୍ୟବସାୟିକ ଦବ୍‌ଦବା ଦେଖାଇଥିଲେ। ନବଙ୍କ ବଡ଼ ଭାଇ ରାଜ କିଶୋର ଓ ଦୁଇ ସାନ ଭାଇ ବ୍ରଜ ଓ ଯୁଗଳ ସମ୍ବଲପୁରରେ ପ୍ରତିଷ୍ଠିତ ବ୍ୟକ୍ତିଭାବେ ଜଣାଶୁଣା। ନବଙ୍କ ଭଉଣୀ ଜ୍ୟୋତି ମଧ୍ୟ ରାଜନୀତିକ ପରିବାରରେ ବିବାହ  କରିଛନ୍ତି।

ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ଧରି କଂଗ୍ରେସରେ ସଂଘର୍ଷ ପରେ ୪୩ବର୍ଷ ବୟସରେ ସେ ୨୦୦୪ ମସିହାରେ ପ୍ରଥମଥର ପାଇଁ କଂଗ୍ରେସ ଟିକେଟରେ ଝାରସୁଗୁଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ନବଙ୍କୁ ମାତ୍ର ୧୧ହଜାର ଭୋଟ ବ୍ୟବଧାନରେ ପରାଜିତ ହେବାକୁ ପଡ଼ିଥିଲା । ଆଉ ୨୦୦୯ ପରଠୁ  ଆରମ୍ଭ ହୋଇଥିବା ନବଙ୍କ ନିର୍ବାଚନୀ ବିଜୟ ଯାତ୍ରା ଅଦ୍ୟାବଧି ରହିଥିଲା । ବିଜେଡିର ଦବଦବା ଓ ଲୋକପ୍ରିୟତା ସତ୍ତ୍ୱେ ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ନବ ବିଜୟୀ ହୋଇଥିଲେ । କିନ୍ତୁ ୨୦୧୯ ମସିହା ପୂର୍ବରୁ ନବ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଥିଲେ । ଆଉ ପଶ୍ଚିମଓଡ଼ିଶାରେ ବିଜେଡିର ପ୍ରମୁଖ ନେତା ପାଲଟି ଯାଇଥିଲେ । ନବଙ୍କର ଟ୍ରାନ୍ସପୋର୍ଟିଂ ଓ ଖଣି ବ୍ୟବସାୟ, କୋଇଲା ବ୍ୟବସାୟ ପାଇଁ ବିଜେଡିରେ ସାମିଲ ହେବା ଏକପ୍ରକାର ବାଧ୍ୟବାଧକତା ବୋଲି ସେତେବେଳେ ଚର୍ଚ୍ଚା ହେଉଥିଲା । କିନ୍ତୁ ବିଜେଡିକୁ ଆସିବା ପରେ ସେ ଖୁବଶୀଘ୍ର ଦଳରେ ନିଜର ପ୍ରଭାବ ବିସ୍ତାର କରିଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ମଧ୍ୟ ପଶ୍ଚିମଓଡ଼ିଶାର କେତେକ ଆସନରେ ପ୍ରାର୍ଥୀ ମଧ୍ୟ ତାଙ୍କ ହିସାବରେ ଦେଇଥିବା ଚର୍ଚ୍ଚା ହୁଏ । ୨୦୧୯ ସାଧାରଣ ନିର୍ବାଚନରେ ବିଜୟୀ ହେବା ପରେ ନବଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ଦାୟିତ୍ୱ ମିଳିଥିଲା । ବ୍ରଜରାଜନଗର ଉପନିର୍ବାଚନ ଓ ପଦ୍ମପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ବିଜୟୀ ପଛରେ ଶ୍ରୀ ଦାସଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ବିଶେଷକରି ବ୍ରଜରାଜନଗର ଉପନିର୍ବାଚନରେ ଦଳୀୟ ରଣନୀତି ତାଙ୍କ ହିସାବରେ ଚୂଡ଼ାନ୍ତ ହୋଇଥିଲା । ୨୦୨୨ ଜୁନ୍ ମାସରେ ମନ୍ତ୍ରିମଣ୍ଡଳ ଅଦଳବଦଳ ସମୟରେ ନବ ଜିଦ୍ ଧରି ନିଜର ମନ୍ତ୍ରୀପଦ ସୁରକ୍ଷିତ ରଖିଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା । ଶହ ଶହ କୋଟି ଟଙ୍କାର ବିଭିନ୍ନ ବ୍ୟବସାୟରେ ସମ୍ପୃକ୍ତ ନବଙ୍କ ପରିବାରର ଦିଲ୍ଲୀ,  ମୁମ୍ବାଇ, ଭୁବନେଶ୍ୱର, ରାୟପୁର, ଝାରସୁଗୁଡ଼ା, ସମ୍ବଲପୁର ଆଦି ସହରରେ ସମ୍ପତ୍ତି ରହିଛି । ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ନବଙ୍କ ବ୍ୟବସାୟିକ ବିଶେଷକରି ଖଣି ଓ ପରିବହନ ବ୍ୟବସାୟ ତାଙ୍କୁ ସଫଳ ଶିଳ୍ପପତି ଓ ରାଜନେତା କରାଇପାରିଥିଲା ।

Advertisment

ନିଜର ସମ୍ପତ୍ତି ତାଲିକା ଓ ବିଳାସପୂର୍ଣ୍ଣ ଜୀବନଶୈଳୀକୁ ନେଇ ନବ ସର୍ବଦା ଚର୍ଚ୍ଚାରେ ରହୁଥିଲେ । ସେ ଓ ତାଙ୍କ ପତ୍ନୀ ମିନତୀ ଦାସଙ୍କ ନାଁରେ ୧୫କୋଟି ଟଙ୍କାର ୧୪୫ଟି ଗାଡ଼ି ରହିଥିବାବେଳେ ୩ଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ବି ତାଙ୍କର ଅଛି । କରୋନା କାଳରେ ପ୍ରାୟ ୨୨ଟି ନୂଆ ଗାଡ଼ି କିଣି ସେ ଚର୍ଚ୍ଚାରେ ରହିଥିଲେ ।

ଗତ ସପ୍ତାହରେ ମହାରାଷ୍ଟ୍ରର ଅହମ୍ମଦାବାଦ ନଗର ଜିଲ୍ଲାର ଶନି ଶିଙ୍ଗନାପୁର ମନ୍ଦିରକୁ କୋଟିଏ ଟଙ୍କାର ସୁନା କଳସ ଦାନ କରି ସେ ପୁଣିଥରେ ଚର୍ଚ୍ଚାକୁ ଆସିଥିଲେ ।

ନବ ନିଜର ରାଜନୀତିକ ଉତ୍ତରାଧିକାରୀ ଭାବେ ଝିଅ ଦୀପାଳିଙ୍କୁ ଆଗକୁ ଆଣି ସାରିଛନ୍ତି । ତେବେ ପୁଅ ବିଶାଳଙ୍କ ଦାୟିତ୍ୱରେ ନିଜର ବ୍ୟବସାୟିକ ସାମ୍ରାଜ୍ୟ ଛାଡ଼ିଛନ୍ତି । ଗତବର୍ଷ ପୁଅ ବିଶାଳଙ୍କ ଭବ୍ୟ ବିବାହ ସମାରୋହ ଦିଲ୍ଲୀରେ କରି ମଧ୍ୟ ନବ ଚର୍ଚ୍ଚାରେ ରହିଥିଲେ । ନବ ଗତ କିଛିମାସ ତଳେ ନିଜର ଉପଯୋଗ ପାଇଁ ଗୋଟିଏ ଚାର୍ଟର ବିମାନ କିଣିଥିବା ମଧ୍ୟ ଚର୍ଚ୍ଚା ହୁଏ ।

ନବ ନିଜର ଅର୍ଥ ଓ ବାକଚାତୁରୀ ମାଧ୍ୟମରେ ଉଭୟ ରାଜନୀତି ଓ ପ୍ରଶାସନିକ କ୍ଷେତ୍ରରେ ନିଜର ପତିଆରା ଜାହିର କରିପାରିଥିଲେ । ଏଆଇସିସି ସଦସ୍ୟତା ଓ କଂଗ୍ରେସର କାର୍ଯ୍ୟକାରୀ ପ୍ରଦେଶ ସଭାପତି ପଦ ଛାଡ଼ି ବିଜେଡିରେ ସାମିଲ ହୋଇ ଖୁବ କମ୍ ଦିନ ମଧ୍ୟରେ ବିଜେଡି ନେତୃତ୍ୱଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ । ଆଉ ପଶ୍ଚିମଓଡ଼ିଶାରେ ବିଜେଡିର ମଙ୍ଗ ଧରିଥିଲେ ବୋଲି ଦଳୀୟ ମହଲରେ ଚର୍ଚ୍ଚା ।

ଝାରସୁଗୁଡ଼ାର ତତକାଳୀନ ବିଧାୟକ ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କ ଖାସ୍ ଅନୁଗତ ହୋଇପାରିଥିଲେ ।

ରିପୋର୍ଟ ଭୁବନେଶ୍ୱରରୁ ପ୍ରକାଶ ସେଠୀ

Naba Das Political News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe