ଡହ ଖରାରେ ଶିଝୁଛି ଓଡ଼ିଶା: କେମିତି ସ୍କୁଲ ଯିବେ ପିଲା, ସରକାର ବେଫିକର, ଚିନ୍ତାରେ ଅଭିଭାବକ

ରାଜ୍ୟ ସରକାର ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଗତ ୧୨ରୁ ୧୬ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିଥିଲେ । କିନ୍ତୁ ସ୍କୁଲ ପୁଣିଥରେ ଆଜିଠୁ ଖୋଲିଛି ଓ ସ୍କୁଲରେ ପାଠପଢ଼ା ସକାଳ ସାଢ଼େ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଚାଲିବ ବୋଲି ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Representational image

  • Published: Monday, 17 April 2023
  • , Updated: 17 April 2023, 10:40 PM IST

ରାଜ୍ୟର ୨୪ଟି ସହରରେ ଆଜି ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଥିବାବେଳେ ସବୁଠୁ ଉତ୍ତପ୍ତ ସହର ଭାବେ ବାରିପଦାରେ ୪୪.୨ ଡିଗ୍ରୀ ରହିଛି । ରାଜ୍ୟତମାମ ତତଲା ହାୱା, ଗୁଳିଗୁଳି ସହ ଗମଗମ୍ ଝାଳ ବୋହୁଥିଲେ ମଧ୍ୟ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକରେ କିଭଳି ପାଠପଢ଼ା ସମ୍ଭବପର ହେବ ତାକୁ ନେଇ ପ୍ରଶ୍ନ ଉଠିଛି । ସ୍କୁଲ ଖୋଲିବାକୁ ନେଇ ରାଜ୍ୟ ସରକାର ବେଫିକର ହୋଇ ପଡ଼ିଛନ୍ତି । ସକାଳ ୭ଟାରୁ ଖରା ଟାଣ ବଢ଼ୁଥିବାରୁ ଅଭିଭାବକମାନେ ଚିନ୍ତାରେ ଥିବାବେଳେ ପିଲାମାନଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି ।

ଆଜି ରାଜ୍ୟର ୧୨ଟି ସହରରେ ତାପମାତ୍ରା ୪୨ଡିଗ୍ରୀ ସେଲସିୟସରୁ ଅଧିକ ଥିବାବେଳେ ୨୪ଟି ସହରରେ ୪୦ଡିଗ୍ରୀରୁ ଅଧିକ ରହିଛି । ପ୍ରବଳ ଖରାରେ ସମଗ୍ର ପଶ୍ଚିମଓଡ଼ିଶା ଜଳୁଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଆଜି ତାପମାତ୍ରା ୩୯.୯ ଡିଗ୍ରୀ ରେକର୍ଡ ହୋଇଛି । କିନ୍ତୁ ରାଜ୍ୟତମାମ ଅସହ୍ୟ ଗୁଳିଗୁଳି, ତତଲା ହାୱା ଓ ଝାଳ ବୋହୁଥିବାରୁ କୋମଳମତି ପିଲାମାନେ କିଭଳି ସ୍କୁଲରେ ପାଠ ପଢ଼ିବେ ତାକୁ ନେଇ ଚିନ୍ତା ବଢ଼ିଛି ।

ରାଜ୍ୟ ସରକାର ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଗତ ୧୨ରୁ ୧୬ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିଥିଲେ । କିନ୍ତୁ ସ୍କୁଲ ପୁଣିଥରେ ଆଜିଠୁ ଖୋଲିଛି ଓ ସ୍କୁଲରେ ପାଠପଢ଼ା ସକାଳ ସାଢ଼େ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଚାଲିବ ବୋଲି ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ମାତ୍ର ଖରା ଓ ଗୁଳିଗୁଳି ସକାଳ ୯ଟାଠୁ ଅଧିକ ହେଉଥିବାବେଳେ ପିଲାମାନେ କ୍ଲାସରୁମରେ କିଭଳି ପାଠ ପଢ଼ିବେ ତାହା ସବୁଠୁ ବଡ଼ ପ୍ରଶ୍ନ ହୋଇଛି । ରାଜ୍ୟର ଅଧିକାଂଶ ସ୍କୁଲରେ ଫ୍ୟାନଟିଏ ନଥିବାବେଳେ ସ୍କୁଲ ଖୋଲି ସରକାର କୁନିକୁନି ପିଲାଙ୍କ ଜୀବନ ସହ ଖେଳିବାକୁ ପଛାଉନାହାନ୍ତି । ସରକାର ଚାହିଁଲେ ଅନଲାଇନରେ କ୍ଲାସ କରିପାରନ୍ତେ । ମାତ୍ର ସେଭଳି କୌଣସି ପଦକ୍ଷେପ ନନେଇ ଏହି ଟାଣ ଖରାରେ ପିଲାମାନଙ୍କୁ ସ୍କୁଲ ଯିବା ପାଇଁ ପରୋକ୍ଷରେ ବାଧ୍ୟ କରୁଛନ୍ତି ।

ଅନ୍ୟପକ୍ଷରେ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ସ୍କୁଲଗୁଡ଼ିକରେ ପାଠପଢ଼ା ଦିନ ୧୦ଟା ସୁଦ୍ଧା ଶେଷ କରିବାକୁ ଦାବି ହୋଇଛି । ରାଜ୍ୟରେ ଏବେ ପ୍ରଚଣ୍ଡ ଖରା ଯୋଗୁ ପିଲାମାନଙ୍କ ପାଠପଢ଼ାରେ ଅସୁବିଧା ସୃଷ୍ଟି ହୋଇଛି । ସରକାର ପାଣିପାଗ ବିଭାଗ ସହ ଯୋଗାଯୋଗ କରି ପୂର୍ବାନୁମାନ ଭିତ୍ତିରେ ପରବର୍ତ୍ତୀ ପଦକ୍ଷେପ ନେବାକୁ ମହାସଂଘ ଦାବି କରିଛି । ଯଦି ଆଗାମୀ ଦିନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ପୂର୍ବାନୁମାନ ଆସେ ତେବେ ଦିନ ୧୦ଟା ସୁଦ୍ଧା ପାଠପଢ଼ା ସାରିବା ପାଇଁ ବ୍ୟବସ୍ଥା କରିବାକୁ ମହାସଂଘ କହିଛି ।

Related story