Balasore-attack
ଜଳେଶ୍ୱର (ଅଜିତ କୁମାର ଦାସ): ପୁଲିସ୍ ପ୍ରତି ଭୟ ନାହିଁ! ଥାନା ସମ୍ମୁଖରେ ବିଚ୍ ରାସ୍ତାରେ ସ୍ତ୍ରୀକୁ କଟୁରୀରେ ହାଣି ରକ୍ତାକ୍ତ କଲା ସ୍ୱାମୀ। ଆଜି ଅପରାହ୍ନରେ ଏପରି ଘଟଣା ବାଲେଶ୍ୱର ଜିଲ୍ଲା ସିଙ୍ଗଲା ଥାନା ଅଞ୍ଚଳରେ ଘଟିଛି। ସ୍ଥାନୀୟ ଲୋକେ ଅଭିଯୁକ୍ତ ସ୍ୱାମୀକୁ ଧରି ପୁଲିସ୍ ଜିମା ଦେଇଛନ୍ତି।
ସିଂଲା ଥାନା ନାବରା ପଞ୍ଚାୟତର ଜୟନ୍ତୀ ପ୍ରଧାନ ୧୨ ବର୍ଷ ତଳେ ହାସୀମପୁ ଗାଁର ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ବିବାହ କରିଥିଲେ। ସେତେବେଳେ ବୈଦିକ ରୀତିନୀତିରେ ବାହାଘର ହୋଇଥିଲା। ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇ ଥିଲା। କିଛି ଦିନ ଉଭୟଙ୍କ ସଂସାର ଠିକ୍ଠାକ୍ ଚାଲିଥିଲା। ତେବେ ହଠାତ୍ ତାଙ୍କ ଉପରେ ଆରମ୍ଭ ହେଲା ନିର୍ଯାତା। ଯୌତୁକ ପାଇଁ ତାଙ୍କୁ ନାନା ନିର୍ଯାତନା ଦିଆଯାଉଥିଲା। ବହୁବାର ଘଟଣାର ସମାଧାନ କରାଯାଇଥିଲା। ଏପରିକି ମାମଲା ଥାନାକୁ ଯାଇଥିଲା। ପୁଲିସ ଉପସ୍ଥିତିରେ ସମାଧାନ କରାଯାଇଥିଲା। ହେଲେ କିଛି ସୁଫଳ ମିଳୁନଥିଲା।
ତେବେ ନିର୍ଯାତନା ଅସହ୍ୟ ହେବାରୁ ଦୁଇ ବର୍ଷ ତଳେ ଜୟନ୍ତୀ ବାପ ଘରକୁ ଚାଲି ଆସିଥିଲେ। ଏବେ ବାପଘରେ ରହୁଛନ୍ତି। ଆଉ ସ୍ୱାମୀଙ୍କଠାରୁ ଭରଣପୋଷଣ ପାଇଁ ସେ ଥାନାରେ ଅଭିଯୋଗ କରିଛନ୍ତି। ଏବେ ସେହି ମାମାଲା ବିଚାରାଧୀନ ରହିଛି। ତେବେ ବାପ ଘରେ ଚଳିବାରେ ସମସ୍ୟା ହେବାରୁ ଜୟନ୍ତୀ ସିଙ୍ଗଲା ଥାନା ସମ୍ମୁଖରେ ଗୋଟିଏ ବ୍ୟୁଟି ପାର୍ଲର କରିଥିଲେ। ସବୁଦିନ ପରି ଆଜି ଜୟନ୍ତୀ ନିଜ ବ୍ୟୁଟି ପାର୍ଲରକୁ ଯାଇଥିଲେ। ଅପରାହ୍ନ ପ୍ରାୟ ୪ଟା ବେଳେ ବ୍ୟୁଟି ପାର୍ଲରରେ ପହଞ୍ଚି ଥିଲେ ପୂର୍ଣ୍ଣଚନ୍ଦ୍ର। ତାଙ୍କୁ ଦୋକାନ ବାହାରକୁ ଡାକି ଆଣିଥିଲା। ସର୍ବ ସମ୍ମୁଖରେ ସେ ଏକ କଟୁରୀରେ ଜୟନ୍ତୀଙ୍କୁ ଚୋଟ ପରେ ଚୋଟ ପକାଇଥିଲା। ରକ୍ତାକ୍ତ ହୋଇ ତଳେ ପଡ଼ିଥିଲେ ଜୟନ୍ତୀ।
ଆକ୍ରମଣ କରିବା ପରେ ପୂର୍ଣ୍ଣଚନ୍ଦ୍ର ସେଠାରୁ ଚମ୍ପଟ ମାରିବାକୁ ଚେଷ୍ଟା କରୁଥିଲା। ତେବେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ଥାନାକୁ ଖବର ଦେଇଥିଲେ। ପୁଲିସ୍ ତାକୁ ଥାନାରେ ଅଟକ ରଖିଛି। ଅନ୍ୟପକ୍ଷରେ କଟୁରୀ ଚୋଟରେ ଗୁରୁତର ଆହତ ହୋଇଥିବା ଜୟନ୍ତୀଙ୍କୁ ଉଦ୍ଧାର କରାଯାଇ ବସ୍ତା ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/10/Balasore-attack.jpg)