Advertisment

କୋଟିଏ ଟଙ୍କାର ସୁନା କଳସ ଦାନ, ନବ ଦାସଙ୍କ ଖଣ୍ଡନ

ଶନି ଅମାବାସ୍ୟାରେ ସନ୍ଧ୍ୟା ଆଳତୀ ପରେ ଏହି ସ୍ୱର୍ଣ୍ଣ କଳସକୁ ଭଗବାନ ଶନି ମୂର୍ତ୍ତି ପାଖରେ ବିଧିପୂର୍ବକ ଅର୍ପଣ କରାଯାଇଥିଲା

Na

Naba Das

Advertisment

ଗରିବ ରାଜ୍ୟ ଓଡ଼ିଶାର ପାୱାରଫୁଲ୍ ତଥା ଧନୀ ମନ୍ତ୍ରୀ ନବକିଶୋର ଦାସ ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାସ୍ଥିତ ପ୍ରସିଦ୍ଧ ଶନି ଶିଙ୍ଗନାପୁର ମନ୍ଦିରକୁ କୋଟିଏ ଟଙ୍କାର ସୁନା କଳସ ଦାନ କରିଛନ୍ତି । ତେବେ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ସ୍ୱର୍ଣ୍ଣ କଳସ ଦାନରେ ମିଳିଥିବାକୁ ସ୍ୱୀକାର କରାଯାଇଥିଲେ ମଧ୍ୟ କିଏ ଦାନ କରିଛନ୍ତି ସେ ନାଁ ଉଜାଗର କରାଯାଇନାହିଁ । ଅବଶ୍ୟ ଓଡ଼ିଶାର ଜଣେ ଭକ୍ତ ଏହି ଦାନ କରିଥିବା ମନ୍ଦିର ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି । ତେବେ ମନ୍ତ୍ରୀ ଶ୍ରୀ ଦାସ ସୁନା କଳସ ଦାନକୁ ଖଣ୍ଡନ କରିଛନ୍ତି ।

Advertisment

ଦୀର୍ଘ ୨୦ବର୍ଷ ପରେ ପୌଷ ମାସରେ ପଡ଼ୁଥିବା ଶନି ଅମାବାସ୍ୟା ଦିନ ଶନି ଶିଙ୍ଗାନପୁର ମନ୍ଦିରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ତାଙ୍କ ପରିବାର ସଦସ୍ୟ ପୂଜାର୍ଚ୍ଚନା କରିଛନ୍ତି । ଏହି ସମୟରେ ଦାନ ସୂତ୍ରରେ ଶ୍ରୀ ଦାସ ପ୍ରାୟ ୧ କୋଟି ଟଙ୍କା ମୂଲ୍ୟର ୭୦୦ଗ୍ରାମ ସୁନା ଓ ୫କିଲୋ ଗ୍ରାମ ରୂପାରେ ନିର୍ମିତ ଏକ ସୁନା କଳସ ମନ୍ଦିରକୁ ଦେଇଥିବା ଚର୍ଚ୍ଚା ହେଉଛି । ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଆଜି ମୁହଁ ଖୋଲିଛନ୍ତି । ସେ ଶନି ଶିଙ୍ଗନାପୁର ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିବା କଥାକୁ ସ୍ୱୀକାର କରିବା ସହ ସୋରିଷ ତେଲପୂର୍ଣ୍ଣ କଳସ ଓ ୧୦ଲକ୍ଷ ଟଙ୍କା ଦାନ କରିଥିବା କରିଥିବା କହିଛନ୍ତି । ଶନି ଅମାବାସ୍ୟାରେ ଦାନ ଓ ଧର୍ମ କରିବା ଶୁଭ ବୋଲି ବିବେଚନା କରାଯାଇଥାଏ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସେଦିନ ସେଠାରେ ଥିଲେ । ସେ ରାଜ୍ୟର ସମୃଦ୍ଧି ଓ ରାଜ୍ୟବାସୀଙ୍କ ମଙ୍ଗଳ ମଧ୍ୟ କାମନା କରିଛନ୍ତି । ଏହାସହିତ ମିଛ ରିପୋର୍ଟ ପ୍ରସାରଣ କରିବାରୁ ଗଣମାଧ୍ୟମ ବିରତ ରହୁ ଓ ହିନ୍ଦୁ ରୀତିନୀତିକୁ ସମ୍ମାନ ଦେଉ ବୋଲି ସେ  କହିଛନ୍ତି ।

ଅନ୍ୟପକ୍ଷରେ ଜାତୀୟ ଗଣମାଧ୍ୟମରେ ଶନି ଶିଙ୍ଗନାପୁର ଦେବସ୍ଥାନର ଅଧ୍ୟକ୍ଷ ଭାଗବତ ବନକରଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି। ଶ୍ରୀ ବନକର କହିଛନ୍ତି ଯେ, ଶନି ଅମାବାସ୍ୟାରେ ସନ୍ଧ୍ୟା ଆଳତୀ ପରେ ଏହି ସ୍ୱର୍ଣ୍ଣ କଳସକୁ ଭଗବାନ ଶନି ମୂର୍ତ୍ତି ପାଖରେ ବିଧିପୂର୍ବକ ଅର୍ପଣ କରାଯାଇଥିଲା । ଭାଲଘାଟ ଜୁଏଲର୍ସର ନିର୍ଦ୍ଦେଶକ ଆନନ୍ଦ ଭାଲଘାଟ ଏହି କଳସ ତିଆରି କରିଛନ୍ତି ଓ ଏହି କଳସରେ ଶନିଦେବଙ୍କ ମନ୍ତ୍ର ମଧ୍ୟ ଖୋଦିତ ହୋଇଛି । ଏହି କଳସରେ ୯ଲିଟର ତେଲ ରଖାଯାଇପାରିବ । ଶନି ଶିଙ୍ଗନାପୁର ମନ୍ଦିରକୁ ଏହି କଳସ ଏପର୍ଯ୍ୟନ୍ତର ସବୁଠୁ ବଡ଼ ଦାନ । ଯେହେତୁ ଦାନ କରିଥିବା ବ୍ୟକ୍ତି ନିଜର ନାମ ଗୋପନ ରଖିବାକୁ ଅନୁରୋଧ କରିଛନ୍ତି ତେଣୁ ମନ୍ଦିର ପ୍ରଶାସନ ଉକ୍ତ ଭକ୍ତଙ୍କ ନାଁ ଉଜାଗର କରୁନାହିଁ ବୋଲି ଶ୍ରୀ ବୁନକର କହିଛନ୍ତି ।

Advertisment

ସୂଚନାଯୋଗ୍ୟ, ପଶ୍ଚିମଓଡ଼ିଶାର ସବୁଠୁ ପ୍ରଭାବଶାଳୀ ମନ୍ତ୍ରୀ ଶ୍ରୀ ଦାସ ୨୦୨୨ ମସିହାରେ ନିଜର ସମ୍ପତ୍ତି ତାଲିକାରେ ତାଙ୍କ ପତ୍ନୀ ଓ ତାଙ୍କ ନାଁରେ ମୋଟ ୩୪କୋଟି ଟଙ୍କାର ମାଲିକ ବୋଲି ଉଲ୍ଲେଖ କରିଛନ୍ତି । ତାଙ୍କ ପତ୍ନୀଙ୍କ ନାଁରେ ୭୫ଟି ଗାଡ଼ି ଓ ତାଙ୍କ ନିଜ ନାଁରେ ୭୦ଟି ଗାଡ଼ି ଥିବା ଦର୍ଶାଇଥିଲେ । ଶ୍ରୀ ଦାସ ନିଜସ୍ୱ ଉପଯୋଗ ପାଇଁ ଏବେ ଗୋଟିଏ ଏୟାରକ୍ରାଫ୍ଟ କିଣିବା ପ୍ରକ୍ରିୟା ଆରମ୍ଭ କରିଥିବା ମଧ୍ୟ ଚର୍ଚ୍ଚା ହେଉଛି ।

Odisha BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe