ରାଜ୍ୟର ଅଧା ବ୍ଲକରେ ଲୋକଙ୍କୁ ମିଳୁନି ଶୁଦ୍ଧ ପିଇବା ପାଣି: ୩୧୪ରୁ ୧୫୪ ବ୍ଲକରେ ଏଭଳି ଅବସ୍ଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୨ବର୍ଷ ଧରି ବିଜେଡି ସରକାର କ୍ଷମତାରେ ଥାଇ ମଧ୍ୟ ରାଜ୍ୟବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବାରେ ସକ୍ଷମ ହୋଇପାରିନି । ଏବେବି ରାଜ୍ୟର ୩୧୪ଟି ବ୍ଲକ ମଧ୍ୟରୁ ୧୫୪ଟି ବ୍ଲକରେ ଲୋକଙ୍କୁ ଉପଯୁକ୍ତ ପିଇବା ପାଣି ମିଳୁନି । ୨୦୨୪ ମସିହା ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ବୋଲି ଦମ୍ଭୋକ୍ତି ବାଢ଼ୁଥିଲେ ମଧ୍ୟ ଏବେବି ଲୋକେ ପ୍ରଦୂଷିତ […]

water project

Ordigital Desk
  • Published: Wednesday, 27 July 2022
  • , Updated: 27 July 2022, 11:18 AM IST
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୨ବର୍ଷ ଧରି ବିଜେଡି ସରକାର କ୍ଷମତାରେ ଥାଇ ମଧ୍ୟ ରାଜ୍ୟବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବାରେ ସକ୍ଷମ ହୋଇପାରିନି । ଏବେବି ରାଜ୍ୟର ୩୧୪ଟି ବ୍ଲକ ମଧ୍ୟରୁ ୧୫୪ଟି ବ୍ଲକରେ ଲୋକଙ୍କୁ ଉପଯୁକ୍ତ ପିଇବା ପାଣି ମିଳୁନି । ୨୦୨୪ ମସିହା ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ବୋଲି ଦମ୍ଭୋକ୍ତି ବାଢ଼ୁଥିଲେ ମଧ୍ୟ ଏବେବି ଲୋକେ ପ୍ରଦୂଷିତ ଜଳ ପିଇବାକୁ ବାଧ୍ୟ ହେଉଛନ୍ତି ।
ବିଧାୟକ ପ୍ରଫୁଲ୍ଲ ସାମଲ, ପ୍ରଦୀପ ପାଣିଗ୍ରାହୀ, ନବଚରଣ ମାଝୀ ଓ ଧ୍ରୁବ ସାହୁଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତରରେ ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ କହିଛନ୍ତି ଯେ, ରାଜ୍ୟର ମୋଟ ୧୫୪ଟି ବ୍ଲକରେ ଉପଯୁକ୍ତ ପିଇବା ପାଣି ନଥିବା ଚିହ୍ନଟ ହୋଇଛି । ଏଥିରୁ ୧୨୧ଟି ବ୍ଲକରେ ଲୌହାଂଶ, ୫ଟି ବ୍ଲକରେ ନାଇଟ୍ରେଟ୍ ଓ ୧୫ଟି ବ୍ଲକରେ ଫ୍ଲୋରାଇଡ୍ ଓ ୧୩ଟି ବ୍ଲକରେ ଲବଣାକ୍ତ ଜଳ ନିର୍ଗତ ହେଉଛି । ଏହାର ନିରାକରଣ ପାଇଁ ଫ୍ଲୋରାଇଡ୍ ନିରାକରଣ ଯନ୍ତ୍ର, ଲୌହ ନିରାକରଣ ଯନ୍ତ୍ର ଓ ଲବଣାକ୍ତ ଅଂଚଳରେ ନଳକୂପ ଗୁଡ଼ିକରେ ସାଲାଇନ୍ ସିଲିଂ କରାଯାଇ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି । ୨୦୨୪ ମସିହା ସୁଦ୍ଧା ସମସ୍ତ ଗାଁକୁ ନିର୍ମଳ ବିଶୋଧିତ ପିଇବା ପାଣି ଯୋଗାଇ ଦେବା ନିମନ୍ତେ ବାକି ରହିଥିବା ୫୬୫୫ଟି ଗାଁକୁ ପାଇପ ଜଳଯୋଗାଣ ପ୍ରକଳ୍ପ ମଞ୍ଜୁର ହୋଇଛି । ରାଜ୍ୟରେ ପାନୀୟ ଜଳ ପାଇଁ ଏପର୍ଯ୍ୟନ୍ତ ମୋଟ ୪ଲକ୍ଷ ୭୬ହଜାର ୫୦ଟି ନଳକୂପ ବସାଯାଇଛି । କୌଣସି ନଳକୂଳପ ସାମୟିକ ଭାବେ ଅକାମୀ ହେଲେ ତା’ର ତୁରନ୍ତ ମରାମତି କରାଯାଉଛି ।
କେନ୍ଦ୍ର ସରକାରଙ୍କ ୨୦୦୯ରୁ ଏନଆରଡିଡବ୍ଲ୍ୟୁପି ଯୋଜନା ଓ ୨୦୧୯ରୁ  ଜଳ ଜୀବନ ମିଶନ, ୨୦୧୭-୧୮ରୁ ରାଜ୍ୟ ସରକାରଙ୍କ ବସୁଧା ଯୋଜନା ଓ ଓଏମବିଏଡିଏସି ଯୋଜନା, ଡିଏମଏଫ ଯୋଜନାରେ ସମସ୍ତ ପରିବାରକୁ ୨୦୨୪ ଶେଷ ସୁଦ୍ଧା ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଅମାତ୍ କହିଛନ୍ତି ।
ତେବେ କେନ୍ଦ୍ର ସରକାର ‘ଜଳ ଜୀବନ ମିଶନ’ରେ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଦେବା ପରେ ରାଜ୍ୟର ବିଜେଡି ସରକାର ରାଜ୍ୟବାସୀଙ୍କ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି । ରାଜ୍ୟ ସରକାର ସ୍ୱୀକାର କରିଛନ୍ତି ଯେ ୨୦୧୯ ଏପ୍ରିଲ ମାସ ପୂର୍ବରୁ ରାଜ୍ୟରା ମାତ୍ର ୩.୫% ଅର୍ଥାତ୍ ୩ଲକ୍ଷ ୧୦ହଜାର ୮୬୬ଟି ପରିବାରକୁ ପାଇପ ଯୋଗେ ପାଣି ଯୋଗାଇ ଦିଆଯାଇ ପାରୁଥିଲା । କିନ୍ତୁ ୨୦୨୨ ଜୁଲାଇ ସୁଦ୍ଧା ଏହି ପରିମାଣ ୪୯.୬୨%କୁ ବୃଦ୍ଧି ପାଇଛି ଓ ରାଜ୍ୟର ମୋଟ ୪୩ଲକ୍ଷ ୯୫ହଜାର ୧୧୮ଟି ପରିବାରକୁ ଏବେ ପାଇପ ଜଳ ଯୋଗାଣ ସମ୍ଭବପର ହୋଇପାରଇଛି । ରାଜ୍ୟରେ ମୋଟ ୮୮ଲକ୍ଷ ୫୭ହଜାର ୩୯୬ଟି ପରିବାର ରହିଥିବା ପଂଚାୟତିରାଜ ମନ୍ତ୍ରୀ ଶ୍ରୀ ଅମାତ୍ କହିଛନ୍ତି ।

 

Related story