ମେ’ରୁ ଚାଲିବ ଆନ୍ତର୍ଜାତିକ ବିମାନ, ହେଲା ଏମଓୟୁ

ଆସନ୍ତା ମେ’ ମାସରୁ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରୁ ସିଧାସଳଖ ଆନ୍ତର୍ଜାତିକ ବିମାନ ଚଳାଚଳ କରିବ ।

Indigo international flights

  • Published: Tuesday, 31 January 2023
  • , Updated: 31 January 2023, 10:15 PM IST

ଆସନ୍ତା ମେ’ ମାସରୁ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରୁ ସିଧାସଳଖ ଆନ୍ତର୍ଜାତିକ ବିମାନ ଚଳାଚଳ କରିବ । ଏଥିପାଇଁ ବିମାନ ଚଳାଚଳ କମ୍ପାନୀ ଇଣ୍ଡିଗୋ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି । ସିଙ୍ଗାପୁର, ଦୁବାଇ ଓ ବ୍ୟାଙ୍କକକୁ ସିଧାସଳଖ ବିମାନ ଉଡ଼ାଣ କରିବ ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି ଯେ, ଏମଓୟୁ ଅନୁସାରେ ଇଣ୍ଡିଗୋ ଦ୍ୱାରା ଭୁବନେଶ୍ୱରରୁ ସିଙ୍ଗାପୁର, ଦୁବାଇ ଓ ବ୍ୟାଙ୍କକକୁ ସିଧାସଳଖ ବିମାନ ଉଡ଼ାଣ କରାଯିବ । ଆନ୍ତର୍ଜାତିକ ବିମାନ ଚଳାଚଳ ନିମନ୍ତେ ମାର୍ଚ୍ଚ ସୁଦ୍ଧା ପୁରୁଣା ଟର୍ମିନାଲ କୋଠାକୁ ନବୀକରଣ କରାଯାଉଛି । ତା’ପରେ ଆନ୍ତର୍ଜାତିକ ବିମାନ ଚଳାଚଳର ଟ୍ରାଏଲ ହେବ ଓ ମେ’ ମାସରୁ ଚୂଡ଼ାନ୍ତ ବିମାନ ଚଳାଚଳ କରିବ । ଏମଓୟୁ ଅନୁସାରେ ଇଣ୍ଡିଗୋଳ ଦ୍ୱାରା ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କକକୁ ୧୮୬ସିଟ୍ ବିଶିଷ୍ଟ ବିମାନ ସିଧାସଳଖ ଚଳାଚଳ କରିବ । ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଟିକେଟ୍ ବିକ୍ରି ମାଧ୍ୟମରେ ରାଜ୍ୟ ସରକାର  ରାଜସ୍ୱ ସଂଗ୍ରହ କରିବେ ।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୨୮ତାରିଖରେ ରାଜ୍ୟ କ୍ୟାବିନେଟ ଏହି ବିମାନ ଚଳାଚଳ ଯୋଜନାକୁ ଅନୁମୋଦନ କରିଥିଲେ । ଏବେ ଭୁବନେଶ୍ୱର ବିମାନ ବନ୍ଦରରୁ କୌଣସି ସିଧାସଳଖ ଆନ୍ତର୍ଜାତିକ ବିମାନ ଚଳାଚଳ କରୁନାହିଁ । ୨୦୧୭ ମସିହାରେ ଏୟାରଏସିଆ ଦ୍ୱାରା ଭୁବନେଶ୍ୱର-କ୍ୱାଲାଲମପୁରମ ଓ ଭୁବନେଶ୍ୱର-ବ୍ୟାଙ୍କକ୍ ମଧ୍ୟରେ ବିମାନ ଚଳାଚଳ କରିବା ନିମନ୍ତେ ରାଜ୍ୟ ସରକାର ସବସିଡି ଦେଉଥିଲେ ।

ରିପୋର୍ଟ-ଭୁବନେଶ୍ୱରରୁ ପ୍ରକାଶ ସେଠୀ

Related story