Advertisment

Loot: ଚୋରି କମ୍, ଜବତ ବେଶୀ; କାଠଗଡ଼ାରେ ଅଭିଯୋଗକାରୀ ଓ ପୁଲିସ

ମୁକେଶ ବୁଚୱାନୀଙ୍କ ଏତଲା ତଥ୍ୟ ଓ ପୁଲିସ ଜବତ କରିଥିବା ସଂପତ୍ତି ପରିମାଣ ଭିତରେ ଏତେବଡ଼ ତାରତମ୍ୟ ହେଲା କେମିତି ? ଚୋରଙ୍କଠାରୁ ଉଦ୍ଧାର ଅଧିକ ଟଙ୍କା, ସୁନା ଓ ରୂପା କାହାର ? ଆୟକର ଲୁଚାଇବାକୁ ଏତାଲାରେ ଚୋରି ସାମଗ୍ରୀର ପରିମାଣ କମ୍ ଦର୍ଶାଇଥିଲେ କି ମୁକେଶ ?

author-image
Jitendra Garnayak
Gold

Photograph: (ଜବତ ସୁନା ଅଳଙ୍କାର ଓ କଏନ)

୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହିତ ନଗଦ ୧୪ ଲକ୍ଷ ଟଙ୍କା ଚୋରି ହୋଇଥିବା କଥା ଏଫଆଇଆରରେ ଉଲ୍ଲେଖ ରହିଛି। ଅର୍ଥାତ୍ ମୋଟ ୩୪ ଲକ୍ଷ ଟଙ୍କାର ସଂପତ୍ତି ଚୋରି ହୋଇଥିଲା। କିନ୍ତୁ ପୁଲିସ ଜବତ କରିଛି ଏହାଠୁ ୪ ଗୁଣା ଅଧିକ ସଂପତ୍ତି। ପୁଲିସ୍ ଜାରି କରିଥିବା ପ୍ରେସ୍‌ ରିଲିଜ୍‌ରେ ଉଲ୍ଲେଖ କରିଛି ଯେ ଗିରଫ ଅଭିଯୁକ୍ତମାନଙ୍କଠାରୁ ୩୭ ଲକ୍ଷ ୨୭ ହଜାର ନଗଦ ଟଙ୍କା ସହିତ ୬୬ ଲକ୍ଷ ୫୬ ହଜାର ଟଙ୍କାର ସୁନା ଅଳଙ୍କାର ଓ କଏନ୍‌ ଏବଂ ୨୪ ଲକ୍ଷ ୭୭ ହଜାର ଟଙ୍କାର ରୁପା ଅଳଙ୍କାର, କଏନ ଓ ଓ ବିସ୍କୁଟ୍ ଜବତ କରାଯାଇଛି।

Advertisment

ଶିଳ୍ପନଗରୀ ଝାରସୁଗୁଡ଼ାରେ ଘଟିଛି ଏଭଳି ତାଜୁବ କଲା ଭଳି ଘଟଣା। ଆଉ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ପ୍ରଶ୍ନ ଉଠିଛି- କାହା ତଥ୍ୟ ସତ୍ୟ? ଅଭିଯୋଗକାରୀ ନା ପୁଲିସ୍ ? 

ଗତ ୧୯ ତାରିଖ ରାତି ସାଢ଼େ ୮ଟା ବେଳେ ଝାରସୁଗୁଡ଼ାର ବିନାୟକପୁରମ ଲେନ୍‌ର ବ୍ୟବସାୟୀ ମୁକେଶ ବୁଚୱାନୀଙ୍କ ଘରେ ହୋଇଥିଲା ସଶସ୍ତ୍ର ଡକାୟତି। ମାରଣାସ୍ତ୍ର ଦେଖାଇ ଡକାୟତମାନେ ଲୁଟି ନେଇଥିଲେ ସୁନା ଓ ରୁପା ଅଳଙ୍କାର ସହିତ ନଗଦ ଟଙ୍କା। ଘଟଣା ଘଟିବାର ଦିନକ ପରେ ମୁକେଶ ବୁଚୱାନୀ ଥାନାରେ ଏତଲା ଦେଇଥିଲେ। ତାଙ୍କ ଘରୁ ତାଙ୍କ ପତ୍ନୀ ଓ ମା’ଙ୍କ ସୁନା ଅଳଙ୍କାର ସହିତ କିଛି ରୁପା ଅଳଙ୍କାର ଓ କଏନ ଜୋରି ହୋଇଥିବା ସେ ଏତଲାରେ ଦର୍ଶାଇଥିଲେ। ତା’ ସହିତ ନଗଦ ୧୩ରୁ ୧୪ ଲକ୍ଷ ଟଙ୍କା ଚୋରି ହୋଇଥିବା ସେ ଏତଲାରେ ଉଲ୍ଲେଖ କରିଥିଲେ।

Advertisment

ଝାରସୁଗୁଡ଼ା ଏସପିଙ୍କ ନିର୍ଦ୍ଦେଶକ୍ରମେ ଆଧୁନିକ ଜ୍ଞାନକୌଶଳକୁ ବ୍ୟବହାର କରି ପୁଲିସ୍‌ର ଏକ ସ୍ୱତନ୍ତ୍ର ଟିମ୍ ତନାଘନା ଚଳାଇଥିଲା। ଫିଙ୍ଗରପ୍ରିଣ୍ଟ ଓ ଡିଜିଟାଲ ଟ୍ରାକିଂ ଜରିଆରେ ମାତ୍ର ୯ ଦିନରେ ୮ ଲୁଟେରାଙ୍କୁ ବାନ୍ଧି ଥିଲା ପୁଲିସ୍‌। ସେମାନଙ୍କଠୁ ୩୭ ଲକ୍ଷ ୨୭ ହଜାର ନଗଦ ଟଙ୍କା ସହ ୫୨୧ ଗ୍ରାମ ସୁନା ଅଳଙ୍କାର ଓ କଏନ ଜବତ କରିଥିଲା ପୁଲିସ। ଜବତ ସୁନାର ମୂଲ୍ୟ ୬୬ ଲକ୍ଷ ୫୬ ହଜାର ଟଙ୍କା ବୋଲି ପୁଲିସ ଜାରି କରିଥିବା ପ୍ରେସ୍ ରିଲିଜରେ ଉଲ୍ଲେଖ କରିଛି। ସେହିପରି ଜବତ ରୁପା ଅଳଙ୍କାର, କଏନ ଓ ବିସ୍କୁଟର ମୂଲ୍ୟ ୨୪ ଲକ୍ଷ ୭୭ ହଜାର ଟଙ୍କା ବୋଲି ଦର୍ଶାଯାଇଛି। ତା’ସହିତ ୩ଟି ଦେଶୀ ବନ୍ଧୁକ, ୧୨ଟି ଗୁଳି, ଦୁଇଟି ଛୁରୀ, ଦୁଇଟି କାର, ୨ଟି ସ୍କୁଟୀ, ଗୋଟିଏ ବାଇକ, ଗୋଟିଏ ଆଇଫୋନ୍ ଓ ୧୨ଟି ମୋବାଇଲ ଫୋନ୍ ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୁଲିସ। 

ମାତ୍ର ନଅ ଦିନରେ ପୁଲିସ୍‌କୁ ଏହି ସଫଳତା ମିଳିଥିବାରୁ ନିଜେ ଝାରସୁଗୁଡ଼ା ଏସପି ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେଠାରେ ସେ ସମସ୍ତ ସୂଚନା ଦେବା ସହିତ ଜବତ ସବୁ ସଂପତ୍ତି ଅଭିଯୋଗକାରୀ ମୁକେଶ ବୁଚୱାନୀଙ୍କୁ ଫେରାଇ ଦିଆଯିବ ବୋଲି କହିଥିଲେ। ଆଉ ଏହା ସମସ୍ତଙ୍କୁ ତାଜୁବ କରିଛି। କାରଣ ଏତଲାରେ ଉଲ୍ଲେଖ କରାଯାଇଥିବା ସଂପତ୍ତିଠାରୁ ୪ ଗୁଣାରୁ ଅଧିକ ସଂପତ୍ତି ଜବତ କରିଛି ପୁଲିସ।  

ପ୍ରଶ୍ନ ଉଠୁଛି- ମୁକେଶ ବୁଚୱାନୀଙ୍କ ଏତଲା ତଥ୍ୟ ଓ ପୁଲିସ ଜବତ କରିଥିବା ସଂପତ୍ତି ପରିମାଣ ଭିତରେ ଏତେବଡ଼ ତାରତମ୍ୟ ହେଲା କେମିତି ? ଚୋରଙ୍କଠାରୁ ଉଦ୍ଧାର ଅଧିକ ଟଙ୍କା, ସୁନା ଓ ରୂପା କାହାର ? ଆୟକର ଲୁଚାଇବାକୁ ଏତାଲାରେ ଚୋରି ସାମଗ୍ରୀର ପରିମାଣ କମ୍ ଦର୍ଶାଇଥିଲେ କି ମୁକେଶ ? ଯଦି ସବୁ ଜବତ ସାମଗ୍ରୀ ମୁକେଶଙ୍କର ତା’ହେଲେ ତାଙ୍କ ଆୟର ଉତ୍ସ କ’ଣ? ଏ ଦିଗରେ ପୁଲିସ ତଦନ୍ତ କରିବ ନା ନାହିଁ? ସାମ୍ବାଦିକ ସମ୍ମିଳନୀ କରିବା ପୂର୍ବରୁ କାହିଁକି ଏ ଦିଗରେ ଦୃଷ୍ଟି ଦିଆଗଲା ନାହିଁ? ଏତଲାରେ ଦର୍ଶାଯାଇଥିବା ସଂପତ୍ତି ଓ ଜବତ ସଂପତ୍ତି ମଧ୍ୟରେ ବଡ଼ ତାରତମ୍ୟ ଥିବା ସତ୍ତ୍ୱେ ଏସ୍‌ପି କେମିତି ଅଭିଯୋଗକାରୀଙ୍କୁ ଫେରାଇ ଦିଆଯିବ ବୋଲି କହିଲେ? 

ଆଇନଜୀବୀଙ୍କ ମତ ଆଇନ ମୁତାବକ ତଦନ୍ତ ନକଲେ ଝାରସୁଗୁଡ଼ା ପୁଲିସ ବି ସନ୍ଦେହ ଘେରକୁ ଆସିପାରେ।