ଜଳିଲା ରୁଚିକାଙ୍କ ଜୁଇ; ଯେଉଁ ହାତରେ ପାଳିଥିଲେ ସେହି ହାତରେ ନିଆଁ ଦେଲେ

ଆଠଗଡ଼/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ଯେଉଁ ହାତରେ ନିଜ ଝିଅକୁ ପାଳି ପୋଷି ବଡ଼ କରିଥିଲେ, ସେହି ହାତରେ ତାକୁ ଶ୍ମଶାନକୁ ନେଇ ପୋଡ଼ି ଦେଇ ଆସିଲେ। ବିଜେବି କଲେଜର କାରୁବାକି ହଷ୍ଟେଲ ୨୦୧ ନମ୍ବର ରୁମ୍‌ରୁ  ଯୁକ୍ତ ୩ ପ୍ରଥମ ବର୍ଷର ହିଷ୍ଟ୍ରି ଅନର୍ସ ଛାତ୍ରୀ ରୁଚିକା ମହାନ୍ତିଙ୍କ ଶେଷକୃତ୍ୟ ଆଜି ତାଙ୍କ  ଗାଁ କଟକ ଜିଲ୍ଲା କଖଡିରେ ସଂପନ୍ନ ହୋଇଛି। ତାଙ୍କ ମୃତ୍ୟୁଦେହ ଗାଁରେ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା। ଝିଅକୁ ନିଆଁ […]

Ruchika-Mohanty

  • Published: Sunday, 03 July 2022
  • , Updated: 03 July 2022, 07:47 PM IST

ଆଠଗଡ଼/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ଯେଉଁ ହାତରେ ନିଜ ଝିଅକୁ ପାଳି ପୋଷି ବଡ଼ କରିଥିଲେ, ସେହି ହାତରେ ତାକୁ ଶ୍ମଶାନକୁ ନେଇ ପୋଡ଼ି ଦେଇ ଆସିଲେ। ବିଜେବି କଲେଜର କାରୁବାକି ହଷ୍ଟେଲ ୨୦୧ ନମ୍ବର ରୁମ୍‌ରୁ  ଯୁକ୍ତ ୩ ପ୍ରଥମ ବର୍ଷର ହିଷ୍ଟ୍ରି ଅନର୍ସ ଛାତ୍ରୀ ରୁଚିକା ମହାନ୍ତିଙ୍କ ଶେଷକୃତ୍ୟ ଆଜି ତାଙ୍କ  ଗାଁ କଟକ ଜିଲ୍ଲା କଖଡିରେ ସଂପନ୍ନ ହୋଇଛି। ତାଙ୍କ ମୃତ୍ୟୁଦେହ ଗାଁରେ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା। ଝିଅକୁ ନିଆଁ ଦେବା ବେଳେ ତାଙ୍କ ବାପାଙ୍କ ଆଖିର ଲୁହ କହୁଥିଲା ସନ୍ତାନ ଅଦିନରେ ଛାଡ଼ି ଚାଲିଯିବାର ଦୁଃଖ।

ମୃତ ଛାତ୍ରୀଙ୍କ ବାପାମାଆ ଦୋଷୀଙ୍କୁ ଖୋଜି ବାହାର କରିବାକୁ ଦାବି କରିଛନ୍ତି। ପରିବାର ପକ୍ଷରୁ କୁହାଯାଇଛି, ରୁଚିକା ଛୋଟ ବେଳୁ ଜଣେ ମେଧାବି ଛାତ୍ର ଥିଲେ । ତାଙ୍କର କ୍ୟାରିୟରକୁ ନେଇ ପରିବାର ଲୋକେ ଅନେକ ସ୍ୱପ୍ନ ଦେଖିଥିଲେ । ହେଲେ ସବୁକିଛି ଅଧୁରା ରହିଗଲା। ପିଲା ପାଠପଢ଼ି ଭବିଷ୍ୟତ ଗଢ଼ିବାକୁ ଯାଇଥିଲା। ହେଲେ ପିଲା ଗଢ଼ା ଶିକ୍ଷାନୁଷ୍ଠାନରେ ଏଭଳି ନିର୍ଯାତନା ଦିଆଯାଏ ଶୁଣିଲା ବେଳକୁ ଛାତି ଥରିଯାଉଛି।

ସୂଚନା ଥାଉକି, ଗତକାଲି ହଷ୍ଟେଲରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ତେବେ ତାଙ୍କର ସୁଇସାଇଡ୍ ନୋଟ୍ ସାମ୍ନାକୁ ଆସିବା ପରେ ମୃତ୍ୟୁର କାରଣକୁ ନେଇ ସନ୍ଦେହ ବଢିଥିଲା। ୩ ଜଣ ସିନିୟରଙ୍କ ମାନସିକ ନିର୍ଯାତନା ସହି ନ ପାରି ସେ ଜୀବନ ହାରୁଥିବା ସୁଇସାଇଡ୍ ନୋଟ୍‌ରେ ଲେଖିଥିଲେ।

ତେଣେ ଏହି  ମାମଲାର ତଦନ୍ତ ଆରମ୍ଭ କରିଛି ଭୁବନେଶ୍ୱର କମିଶନରେଟ ପୁଲିସର ୩ ଜଣିଆ ଟିମ। ଭୁବନେଶ୍ୱର ଜୋନ-୪ ଏସିପି ପରେଶ କୁମାର ରାଉତଙ୍କ ନେତୃତ୍ୱରେ ଟିମ ତଦନ୍ତ କରୁଛି। ଏହି ଟିମ୍‌ରେ ବଡ଼ଗଡ଼ ଥାନାଧିକାରୀ ଏବଂ ଜଣେ ସବଇନ୍ସପେର ରହିଛନ୍ତି। ହଷ୍ଟେଲର ସମସ୍ତ ୧୩୪ ଜଣ ଛାତ୍ରୀଙ୍କୁ ପଚରାଉଚରା କରାଯାଉଛି। ହଷ୍ଟେଲ ଓ୍ୱାର୍ଡେନ୍, ସୁପରିଟେଣ୍ଡେଣ୍ଟଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି।

ଏପଟେ ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା ବିଧାନସଭାରେ ଉଠାଇବୁ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ସେହିପରି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଶୀଘ୍ର ଦୋଷୀକୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ଆଗାମୀ ଦିନରେ କଂଗ୍ରେସ ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବ ବୋଲି ସେ କହିଛନ୍ତି।

Related story