Advertisment

Mohan Govt ର ‘ସ୍ପିଡ୍‌’ରେ ବ୍ରେକ୍ ଦେଉଛି କି ବାବୁତନ୍ତ୍ର ? ତାଗିଦ୍ ସତ୍ତ୍ୱେ ବଦଳୁନି ପ୍ରଶାସନିକ ଢ଼ାଂଚା, ଅନୁ ଗର୍ଗ ହେବେ ନୂଆ ମୁଖିଆ

ଯଦି ସରକାର ଅନୁ ଗର୍ଗଙ୍କ ନାମରେ ମୋହର ମାରନ୍ତି, ସେ ଓଡ଼ିଶା ଇତିହାସରେ ପ୍ରଥମ ମହିଳା(Women) ତଥା ୪୭ତମ ମୁଖ୍ୟ ସଚିବ ହେବାର ଗୌରବ ଅର୍ଜନ କରିବେ । ଏହା କେବଳ ଏକ ପ୍ରଶାସନିକ ନିଯୁକ୍ତି ହେବନି ବରଂ ମୋହନ ସରକାରଙ୍କ ବଡ଼ ରାଜନୈତିକ ରଣନୀତି ସାବ୍ୟସ୍ତ ହେବ ବୋଲି ଚର୍ଚ୍ଚା ।

author-image
Prakash Sethi
Mohan-majhi---Anu-Garg

IAS Anu Garg with CM Mohan Majhi(Left)

ରାଜ୍ୟରେ ଦୀର୍ଘ ୧୮ମାସ ଧରି କ୍ଷମତାସୀନ ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାର ୨୦୨୪ ସେପ୍ଟେମ୍ବର ୨୭ ଓ ୨୦୨୫ ନଭେମ୍ବର ୧୮ରେ ଦୁଇଥର ଜିଲ୍ଲାପାଳ ସମ୍ମିଳନୀ ଡାକି ନିଜର ଆଭିମୁଖ୍ୟ ଜଣାଇ ସାରିଲେଣି । ବର୍ଷକ ତଳେ ‘ଦୁର୍ନୀତିକୁ ନେଇ ଜିରୋ ଟଲେରାନ୍ସ’ କଥା କହିଥିବା ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ରାଜସ୍ୱ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପୁଣିଥରେ ସେହି ‘ଦୁର୍ନୀତି’ ପ୍ରସଙ୍ଗରେ ନିଜର ଉଦବେଗ ଜଣାଇଛନ୍ତି ।

Advertisment

କିନ୍ତୁ ପ୍ରଶାସନିକ ଢାଂଚାରେ ସେଭଳି କୌଣସି ଆଖିଦୃଶିଆ ପରିବର୍ତ୍ତନ ଆସିନି କିମ୍ବା ଦୁର୍ନୀତି ଉପରେ ନିୟନ୍ତ୍ରଣ ତ ଦୂରର କଥା ଓଲଟା ଦୁର୍ନୀତି ଏବେ ପ୍ରତଟି ବିଭାଗ ଓ ସରକାରୀ ଅଫିସରେ କାୟା ମେଲାଇ ଚାଲିଛି । ଏପଟେ ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ମୋହନ ମାଝୀଙ୍କ ସରକାର ତୃଣମୂଳସ୍ତରରେ ନିଜର ଭାବମୂର୍ତ୍ତିରେ ସୁଧାର ଓ ଲୋକପ୍ରିୟତା ପାଇଁ ଚଳାଇଥିବା କସରତରେ ‘ବାବୁତନ୍ତ୍ର’ ବ୍ରେକ୍ ଦେବାରେ ଲାଗିଛି । ଯେଉଁଥିପାଇଁ ପ୍ରତିଟି ଛୋଟବଡ଼ ପ୍ରଶାସନିକ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ୁଥିବା ଓ ବାରମ୍ବାର ତାଗିଦ୍ ପରେ ହିଁ ପ୍ରଶାସନିକ କଳ କ୍ରିୟାଶୀଳ ହେଉଥିବା ପାୱାର କରିଡରରେ ଚର୍ଚ୍ଚା । 


ଆଉ ଏହି ପ୍ରଶାସନିକ ସ୍ଥାଣୁତାକୁ ଦୂର କରିବା ନିମନ୍ତେ ଆସନ୍ତା ଜାନୁୟାରୀ ପହିଲାରୁ ୧୯୯୦ ବ୍ୟାଚ୍ ଆଇଏଏସ୍ ଅନୁ ଗର୍ଗଙ୍କୁ ରାଜ୍ୟର ନୂଆ ମୁଖ୍ୟ ସଚିବ ଭାବେ ଅବସ୍ଥାପିତ ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଜନା କରିଥିବା ସୂଚନା ମିଳିଛି । ଓଡ଼ିଶା ଇତିହାସରେ ‘ପ୍ରଥମ ମହିଳା ମୁଖ୍ୟ ସଚିବ’ ଭାବେ ଅନୁ ଗର୍ଗଙ୍କୁ ଅବସ୍ଥାପିତ କରି ମୋହନ ସରକାର ଆଗାମୀ ପଂଚାୟତ ନିର୍ବାଚନରେ ମହିଳା ଭୋଟରକୁ ଆକୃଷ୍ଟ କରିବା ସହ ପ୍ରଶାସନିକ କଳକୁ ଅଧିକ ଦକ୍ଷ ଓ ଗତି ଦେବାକୁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି ।

Advertisment


ଦୁର୍ନୀତି ନିୟନ୍ତ୍ରଣରେ ବିଫଳତା , ପ୍ରଶାସନିକ ଅସହଯୋଗ, ରାଜସ୍ୱ ମନ୍ତ୍ରୀଙ୍କ କ୍ଷୋଭ


ଜିଲ୍ଲାପାଳ ସମ୍ମିଳନୀରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ‘ଦୁର୍ନୀତି’କୁ ନେଇ ଯେଭଳି କ୍ଷୋଭ ବ୍ୟକ୍ତ କରିଛନ୍ତି ତାହା ସରକାରୀ ବ୍ୟବସ୍ଥାରେ ଦୁର୍ନୀତିର ଉତ୍କଟ ସ୍ଥିତିକୁ ପଦାରେ ପକାଇ ଦେଇଛି । ୨୦୨୪ ସେପ୍ଟେମ୍ବର ୨୭ରେ ମୋହନ ସରକାରଙ୍କ ପ୍ରଥମ ଜିଲ୍ଲାପାଳ ସମ୍ମିଳନୀବେଳେ ‘ଦୁର୍ନୀତି’କୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ ବୋଲି ତାଗିଦ୍ କରିଥିଲେ । ଏବେପୁଣି ୨୦୨୫ ନଭେମ୍ବର ୧୮ରେ ଜିଲ୍ଲାପାଳ ସମ୍ମିଳନୀରେ ସେହି ଦୁର୍ନୀତି ପ୍ରସଙ୍ଗରେ ସରକାର ନିଜର କ୍ଷୋଭ ବ୍ୟକ୍ତ କଲେ ।

ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି  ରାଜସ୍ୱ ମନ୍ତ୍ରୀ ପର୍ଯ୍ୟନ୍ତ ବାରମ୍ବାର ‘ଦୁର୍ନୀତିମୁକ୍ତ ଶାସନ'ର କଥା କହୁଥିବାବେଳେ ତୃଣମୂଳସ୍ତରରେ ର୍ଦୁନୀତି କାୟା ବିସ୍ତାର କରିଚାଲିଛି । ତହସିଲଠାରୁ ଆରମ୍ଭ କରି ବ୍ଲକ ଅଫିସ ପର୍ଯ୍ୟନ୍ତ ଦଲାଲଙ୍କ ରାଜୁତି ବଢ଼ିଚାଲିଛି । ବ୍ଲକଗୁଡ଼ିକରେ ‘ପିସି’ ପରିମାଣ ବି ଆଖିଦୃଶିଆ ବଢ଼ିଚାଲିଛି, ଥାନାସ୍ତରରେ ବି ଲାଂଚ କାରବାର ବାରମ୍ବାର ଅଭିଯୋଗ ହେଉଛି । ଯଦି ରାଜ୍ୟର ମୁଖ୍ୟ ସଚିବ ଓ ପୁଲିସ ଡିଜି କଠୋର ଆଭିମୁଖ୍ୟ ଗ୍ରହଣ କରିଥାନ୍ତେ, ତେବେ ବର୍ଷକ ମଧ୍ୟରେ ପରିସ୍ଥିତି ଭିନ୍ନ ହୋଇଥାନ୍ତା ବୋଲି ପାୱାର କରିଡରରେ ଚର୍ଚ୍ଚା ହେଉଛି । 


ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଓ ତାଗିଦ୍ ପରେ ହିଁ କିଛିଟା କାର୍ଯ୍ୟାନୁଷ୍ଠାନ ହେଉଥିବା ଜଣାପଡ଼ୁଛି । \"ନିଜେ ନକହିଲେ କିଛି କାମ ହେଉନି’ - ଏହି ଧାରଣା ଏବେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଆଇନଶୃଙ୍ଖଳା ବଜାୟ ରଖିବା ହେଉ କିମ୍ବା ବିଭାଗୀୟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ସବୁଥିରେ ପ୍ରଶାସନିକ ମୁଖ୍ୟଙ୍କ ଅପେକ୍ଷା ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ପ୍ରୟାସ ଅଧିକ ରହୁଛି ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।


ଇତିମଧ୍ୟରେ ୧୮ମାସ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଭାବମୂର୍ତ୍ତି ବୃଦ୍ଧି ଦିଗରେ ଅଫିସରମାନଙ୍କ ଭୂମିକା ନୈରାଶ୍ୟଜନକ ରହିଛି । ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖରେ ପହଂଚାଇବା ଓ ସରକାରଙ୍କ ସପକ୍ଷରେ ବାତାବରଣ ସୃଷ୍ଟି ଦିଗରେ ବାବୁତନ୍ତ୍ର ଫେଲ୍ ମାରିଥିବା ଚର୍ଚ୍ଚା ହେଉଛି ।

ମୁଖ୍ୟ ସଚିବ ହୁଅନ୍ତୁ ଅବା ପୁଲିସ ଡିଜି କେହି ସରକାରଙ୍କ ଭାବମୂର୍ତ୍ତି ବୃଦ୍ଧିରେ ଆଶାନୁରୂପ କାର୍ଯ୍ୟଦକ୍ଷତା ପ୍ରଦର୍ଶନରେ ସକ୍ଷମ ହୋଇନଥିବାବେଳେ 
ବାରମ୍ବାର ଆଇନଶୃଙ୍ଖଳା ପରିସ୍ଥିତି, ପ୍ରଶାସନିକ କାର୍ଯ୍ୟରେ ସମନ୍ୱୟର ଅଭାବ, ଦୁର୍ନୀତି ଓ ନାନାଦି ଟେଣ୍ଡର ଅନିୟମିତତା ଆଦି ସରକାରଙ୍କ ଭାବମୂର୍ତ୍ତି ଉପରେ ପ୍ରଶ୍ନଚିହ୍ନ ଲଗାଇଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ପ୍ରୟାସ ଓ ତାଗିଦ୍ ପରେ ମଧ୍ୟ ପ୍ରଶାସନିକ କଳ ଧିମାଗତିରେ  ଏଦିଗରେ ପଦକ୍ଷେପ ନେଉଥିବା ଜଣାପଡ଼ିଛି ।


ଅନୁ ଗର୍ଗ ହେବେ ରାଜ୍ୟର ନୂଆ ମୁଖିଆ !


ରାଜ୍ୟରେ ମୋହନ ସରକାର ୨୦୨୪ ଜୁନ୍ ୧୨ତାରିଖରେ ଦାୟିତ୍ୱ ନେବାପରେ ମୁଖ୍ୟ ସଚିବ( Odisha Chief Secretary) ଭାବେ ମନୋଜ ଆହୁଜା ଓ ପୁଲିସ ଡିଜି ୱାଇବି ଖୁରାନିଆଙ୍କୁ ଦିଲ୍ଲୀରୁ ଓଡ଼ିଶା ପଠାଗଲା । ମାତ୍ର ସେମାନଙ୍କ କାର୍ଯ୍ୟଶୈଳୀ ଓ ଦକ୍ଷତା ମୋହନ ସରକାର ପାଇଁ ଉତ୍ସାହଜନକ ରହିନଥିବା ଚର୍ଚ୍ଚା ହେଉଛି । ଯଦିଓ ୨୦୨୪ ଜୁନ୍ ୨୯ତାରିଖରେ ମୁଖ୍ୟ ସଚିବ ଭାବେ ନିଯୁକ୍ତି ପାଇଥିବା ଶ୍ରୀ ଆହୁଜାଙ୍କ କାର୍ଯ୍ୟକାଳକୁ ଏକବର୍ଷ ବୃଦ୍ଧି କରାଯାଇଛି ଓ ତାଙ୍କର କାର୍ଯ୍ୟକାଳ ଡିସେମ୍ବର ୩୧ତାରିଖରେ ଶେଷ ହେବ । ମୋହନ ସରକାରଙ୍କ ଇଚ୍ଛାଶକ୍ତିକୁ ବାସ୍ତବ ରୂପ ଦେବାରେ ଶ୍ରୀ ଆହୁଜାଙ୍କ ନେତୃତ୍ୱାଧୀନ ଟିମ୍ ପଛରେ ପଡ଼ିଥିବାରୁ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିବା ମୁଡରେ ଆଉ ଶାସକ ବିଜେପି ନଥିବା ଜଣାପଡ଼ିଛି ।


 ପରବର୍ତ୍ତୀ ମୁଖ୍ୟ ସଚିବ ଭାବେ ୧୯୯୧ ବ୍ୟାଚ୍ ଆଇଏଏସ୍ ତଥା ରାଜ୍ୟର ପ୍ରଥମ ମହିଳା ଉନ୍ନୟନ କମିଶନର ଅନୁ ଗର୍ଗ ମୁଖ୍ୟ ଦାବିଦାର ଅଛନ୍ତି । ବରିଷ୍ଠତା ଦୃଷ୍ଟିରୁ ଅନୁଙ୍କ ଉପରେ ୧୯୯୦ ବ୍ୟାଚର ସଞ୍ଜିବ ଚୋପ୍ରା ଓ ଗୁଡେ ଶ୍ରୀନିବାସ ରହିଛନ୍ତି । ଉଭୟ ଏବେ କେନ୍ଦ୍ରୀୟ ଡେପୁଟେସନରେ ଓ ମୁଖ୍ୟ ସଚିବ ପଦ ପାଇଁ ଫିଟ୍ ନଥିବା ଚର୍ଚ୍ଚା ହେଉଛି ।  ଯଦିଓ ଅନୁଙ୍କ ବ୍ୟାଚରେ ଏକମାତ୍ର ଓଡ଼ିଆ ଆଇଏଏସ୍ ସତ୍ୟବ୍ରତ ସାହୁ ଏହି ପଦବୀ ପାଇଁ ଲବିରେ ଅଛନ୍ତି, ମାତ୍ର ନିକଟରେ ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷାରେ ତାଙ୍କର ବିବାଦୀୟ ଭୂମିକା ନେଇ ବିରୋଧୀ ବିଜେଡି ଓ କଂଗ୍ରେସ କରିଥିବା ଅଭିଯୋଗ ଏଥିରେ ବାଧକ ସାଜିଛି । ତେଣୁ ଓଡ଼ିଶାରେ ଦୀର୍ଘ ପ୍ରଶାସନିକ ଅଭିଜ୍ଞତା,ଦକ୍ଷ କାର୍ଯ୍ୟଶୈଳୀ ଓ ଉତ୍ତମ ଆଚରଣ ପାଇଁ ପରିଚିତ ଅନୁ ଗର୍ଗ ଏବେ ମୋହନ ସରକାରଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି ବୋଲି ପାୱାର କରିଡରରେ ଚର୍ଚ୍ଚା ।


ଯଦି ସରକାର ଅନୁ ଗର୍ଗଙ୍କ ନାମରେ ମୋହର ମାରନ୍ତି, ସେ ଓଡ଼ିଶା ଇତିହାସରେ ରାଜ୍ୟର ପ୍ରଥମ ମହିଳା(Women) ତଥା ୪୭ତମ ମୁଖ୍ୟ ସଚିବ ହେବାର ଗୌରବ ଅର୍ଜନ କରିବେ । ଏହା କେବଳ ଏକ ପ୍ରଶାସନିକ ନିଯୁକ୍ତି ହେବନି ବରଂ ମୋହନ ସରକାରଙ୍କ ଏକ ବଡ଼ ରାଜନୈତିକ ରଣନୀତି ସାବ୍ୟସ୍ତ ହେବ । ଆଗକୁ ରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ ପଂଚାୟତ ନିର୍ବାଚନ ଆସୁଛି । ନିର୍ବାଚନ ପୂର୍ବରୁ ରାଜ୍ୟ ପ୍ରଶାସନର ମଙ୍ଗ ଜଣେ ମହିଳାଙ୍କ ହାତକୁ ଟେକିଦେଇ ଶାସକ ବିଜେପି ‘ମହିଳା ସଶକ୍ତୀକରଣ\'ର ବାର୍ତ୍ତା ଦେବ । ଏହାଦ୍ୱାରା ଦଳ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ସହ ପ୍ରଶାସନିକ ସ୍ତରରେ ଏକ ନୂତନ ଓ କ୍ରିୟାଶୀଳ ବାତାବରଣ ସୃଷ୍ଟି କରିପାରିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି ।

Odisha Chief Secretary Women