ଅଶ୍ଲୀଳତାକୁ ବାଡବତା ନାହିଁ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଏମିତି ଗୋଟିଏ ଦେଶ, ଯେଉଁଠି ଯୌନତା ଆଉ ଯୌନ ଜୀବନକୁ ପ୍ରାଞ୍ଜଳ ଭାବେ ବୁଝାଇବାକୁ କାମସୂତ୍ର ଲେଖାଯାଇଛି। ଏହାକୁ ଶାସ୍ତ୍ରୋକ୍ତ ମତାନୁସାରେ ଧର୍ମର ଗୋଟିଏ ଅଙ୍ଗ ବୋଲି ମଧ୍ୟ ଗ୍ରହଣ କରାଯାଏ। ଏଣୁ ପରିବାର ସହମତିରେ ବିବାହ ଓ ସଂସାର ଗଠନର ବ୍ୟବସ୍ଥା ରହିଛି। ପ୍ରକାରାନ୍ତରେ କହିବାକୁ ଗଲେ ଶୃଙ୍ଖଳିତ ଯୌନାଚାର ଆଦୌ ଅନୁଚିତ୍‌ ନୁହେଁ। କିନ୍ତୁ ମନୁଷ୍ୟ ବ୍ୟତିରେକ ଅନ୍ୟ ସମସ୍ତ ଜୀବଙ୍କ ଯୌନାଚାରରେ କୌଣସି ଶୃଙ୍ଖଳା ନ ଥାଏ। ଯୌନାଚାର […]

tg

tg

Mihir Pattnayak
  • Published: Monday, 25 February 2019
  • Updated: 25 February 2019, 10:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଏମିତି ଗୋଟିଏ ଦେଶ, ଯେଉଁଠି ଯୌନତା ଆଉ ଯୌନ ଜୀବନକୁ ପ୍ରାଞ୍ଜଳ ଭାବେ ବୁଝାଇବାକୁ କାମସୂତ୍ର ଲେଖାଯାଇଛି। ଏହାକୁ ଶାସ୍ତ୍ରୋକ୍ତ ମତାନୁସାରେ ଧର୍ମର ଗୋଟିଏ ଅଙ୍ଗ ବୋଲି ମଧ୍ୟ ଗ୍ରହଣ କରାଯାଏ। ଏଣୁ ପରିବାର ସହମତିରେ ବିବାହ ଓ ସଂସାର ଗଠନର ବ୍ୟବସ୍ଥା ରହିଛି। ପ୍ରକାରାନ୍ତରେ କହିବାକୁ ଗଲେ ଶୃଙ୍ଖଳିତ ଯୌନାଚାର ଆଦୌ ଅନୁଚିତ୍‌ ନୁହେଁ। କିନ୍ତୁ ମନୁଷ୍ୟ ବ୍ୟତିରେକ ଅନ୍ୟ ସମସ୍ତ ଜୀବଙ୍କ ଯୌନାଚାରରେ କୌଣସି ଶୃଙ୍ଖଳା ନ ଥାଏ।

ଯୌନାଚାର ପୂର୍ବରୁ seductive ଆଚରଣକୁ ମଧ୍ୟ ଏହାର ପୂର୍ବଚାର ବୋଲି କୁହାଯାଇଥାଏ। ସାଙ୍କେତିକ ଭାବେ ଗଣ ଯୋଗାଯୋଗ ପଦ୍ଧତିରେ ଏହି କ୍ରମର ଶିକ୍ଷଣ ପାଇଁ ବ୍ୟବସ୍ଥା ରହିଛି। କାହାଣୀ, ନାଟକ, ଶୃଙ୍ଗାର ସଙ୍ଗୀତ ମାଧ୍ୟମରେ ଏ ସମ୍ପର୍କରେ ଲୋକେ ଅବଗତ ହୁଅନ୍ତି। ଏ ସମସ୍ତ କ୍ରିୟା ମଣିଷକୁ ଯୌନ ଜୀବନ ପ୍ରତି ପ୍ରେରିତ କରେ। ଯାହା ଏକ ନିର୍ଦ୍ଦିଷ୍ଟ ବୟସରେ ଐକାନ୍ତିକ ଭାବେ ଆବଶ୍ୟକ।

କିନ୍ତୁ ଏହାର ଆଳରେ ବେଳେବେଳେ ସର୍ବସାଧାରଣ ସ୍ଥାନଗୁଡିକରେ ଏଭଳି ଆଚରଣର ପ୍ରଦର୍ଶନ ହେଉଛି। ଯାହା ଅନୁଚିତ୍‌ । କିନ୍ତୁ ଗ୍ରହଣ କରିନେଲେ ଏହା ବି ଦିନେ ଅତି ସାଧାରଣ କଥା ହୋଇଯିବ।

ଦିନ ଥିଲା ଚଳଚ୍ଚିତ୍ରର ଗ୍ରେଡେସନ୍‌ ହେଉଥିଲା। A, B, U ଆଦି ସାର୍ଟିଫିକେଟ୍‌ ପାଉଥିଲା ଫିଲ୍ମ। ଆଉ ଏହାର ପ୍ରସାରଣ ସମୟ ଓ ଦର୍ଶକୀୟ ଶ୍ରେଣୀକୁ ସ୍ୱତନ୍ତ୍ର କରାଯାଇଥିଲା। କିନ୍ତୁ ଧୀରେ ଧୀରେ ଏହି କ୍ରମ ନିଷ୍ପଭ୍ର ହୋଇପଡିଛି।

ପୁରୁଣା କଳାଧଳା ହିନ୍ଦୀ ଚଳଚ୍ଚିତ୍ରରେ ହିରୋ-ହିରୋଇନ୍‌ଙ୍କୁ ପାଖକୁ ଆସି ହାତକୁ ହାତ ଲଗାଇବା ମଧ୍ୟ ଦେଖିବାକୁ ମିଳୁ ନ ଥିଲା। ସମ୍ଭ୍ରମତା ଦୃଷ୍ଟିରେ ସେ ସମୟରେ ନାୟିକା ନାୟକମାନେ ଏଭଳି ଦୃଶ୍ୟ ପାଇଁ ସମ୍ଭବତଃ ଅରାଜି ହେଉଥିଲେ। କିନ୍ତୁ ଧୀରେ ଧୀରେ ଏ କ୍ରମ ବଦଳିଳା। ଅଧର ଚୁମ୍ବନ ଦୃଶ୍ୟକୁ ସାଧରଣ ‘U’ କାଟାଗୋରୀ ଫିଲ୍ମରେ ଦେଖାଇବାକୁ ଦ୍ୱାର ଉନ୍ମୁକ୍ତ ହେଲା। କିଛି ରକ୍ଷଣଶୀଳ ଲୋକେ ଏହାକୁ ପ୍ରତିହତ କରିବାକୁ ତୁମ୍ବି ତୋଫାନ କଲେ କିନ୍ତୁ ପରବର୍ତ୍ତୀ ସମୟରେ ଏହା ଗ୍ରହଣୀୟ ହୋଇଗଲା। ଦିନେ ଦୃଷ୍ଟିକଟୁ ହେଉଥିବା ଏ ଦୃଶ୍ୟ ଏବେ ଅତ୍ୟନ୍ତ ସାଧାରଣ।

ଯୌନାଚାର ପୂର୍ବରୁ seductive ଆଚରଣକୁ ପ୍ରୋତ୍ସାହିତ କରୁଥିବା ଆଚରଣ ସମ୍ବଳିତ ଦୃଶ୍ୟ ଅନେକ ଫିଲ୍ମରେ ନିର୍ଦ୍ଧିଷ୍ଟ ଭାବେ ପ୍ରଦର୍ଶିତ ହେଉଛି। ଏବେ ସ୍ଥିତି ଏମିତି ହେଲାଣି ଯେ, ୮ମ ଶ୍ରେଣୀ ପାଠ ପଢୁଥିବା ପିଲା ବି, sex, seduce, kiss, smooch ଭଳି ଶବ୍ଦ ସମ୍ପର୍କରେ ପ୍ରାଞ୍ଜଳ ଭାବେ ଜାଣିପାରୁଛି। ହାତରେ ଆଣ୍ଡ୍ରୋଏଡ୍‌ ଫୋନ୍‌ ଥିଲେ ଏ ସବୁ ନିସିଦ୍ଧ ଦୃଶ୍ୟ ଅତି ସହଜରେ ମିଳିଯାଉଛି।

ଦିନକ ତଳେ ଭୁବନେଶ୍ୱରର ଖଣ୍ଡଗିରିରେ ପ୍ରଦର୍ଶିତ ଯାତ୍ରାରେ ଜଣେ ଅଭିନେତ୍ରୀଙ୍କ ଉଲଗ୍ନ ନୃତ୍ୟ ଏବେ ଟିଭି ପରଦା ଉଠଉଛି ପକାଉଛି। ହେଲେ ବୁଝି ହେଉନି ଏକ ସାଧାରଣ କଥାକୁ କ’ଣ ପାଇଁ ଏତେ ଚର୍ଚ୍ଚାକୁ ଅଣାଯାଉଛି। ଯଦି ଚର୍ଚ୍ଚାକୁ ଆଣାଯାଉଛି, ତେବେ ଏହାର ପ୍ରତିକାର ପାଇଁ ମଧ୍ୟ ଗର୍ଜନ କରାଯିବା କଥା। ଫିଲ୍ମ ପାଇଁ ଯେଭଳି ସେନ୍ସର ବୋର୍ଡ ରହିଛି, ଯାତ୍ରା ପାଇଁ ସେଭଳି ହେବା ଉଚିତ୍‌ କି ନୁହେଁ ତାହା ଉପରେ ମଧ୍ୟ ବିଚାର ବିମର୍ଷ ହେବା ଆବଶ୍ୟକ। କିନ୍ତୁ ସେଭଳି କରା ନ ଯାଇ ଅଯଥା ତୁମ୍ବି ତୋଫାନରେ ହେଉଛି।

ଏ କଥା ମଧ୍ୟ ଭୁଲିଯିବା ଉଚିତ୍‌ ନୁହେଁ ଯେ, ଫିଲ୍ମରେ ଏହାଠାରୁ ବହୁଗୁଣା ଅଧିକ ଉତ୍ତେଜକ ଦୃଶ୍ୟ ପ୍ରଦର୍ଶନ କରାଯାଉଛି। ଯାହାକୁ ଟିକେଟ କାଟି ଆମେ ଅତି ଆରାମ୍‌ରେ ଦେଖିପାରୁଛେ, ନା କୌଣସି ପ୍ରତିବାଦ ଅଛି ନା କୌଣସି ଅଙ୍କୁଶ। ଏପରିକି ଏମିତି ଅନେକ ବଲିଉଡ୍‌ ଫିଲ୍ମ ଆପଣଙ୍କ ଦୃଷ୍ଟିକୁ ଆସିବ ଯେଉଁଥିରେ ଏକାଧିକ ଉତ୍ତେଜକ ଦୃଶ୍ୟ ଥିଲେ ମଧ୍ୟ ଫିଲ୍ମକୁ ‘U’ କାଟାଗୋରୀ ଫିଲ୍ମର ମାନ୍ୟତା ମିଳୁଛି।

ଯାତ୍ରା କଥା ଭିନ୍ନ। ଖଣ୍ଡଗିରୀ ଯାତ୍ରା କଥା ଆଉଟିକେ ଭିନ୍ନ। ଏଠି ଏକ ପ୍ରତିଯୋଗୀତାମୂଳକ ମନୋଭାବ ନେଇ ଯାତ୍ରା ଆୟୋଜନ ହୁଏ। ଯାତ୍ରା ଆୟୋଜକ ଓ ସମ୍ପୃକ୍ତ ପାର୍ଟି ଶ୍ରେଷ୍ଠ ହେବାପାଇଁ ଯାତ୍ରା ପ୍ରଦର୍ଶନ କରନ୍ତି। ଏଣୁ ନିଜ ମଞ୍ଚକୁ ଶ୍ରେଷ୍ଠ କରିବା ପାଇଁ ନିଜ କାହାଣୀକୁ ଲୋକଦ୍ରୁତ କରିବା ପାଇଁ ସେମାନେ ଆଇଟମ୍‌ ଡ୍ୟାନ୍ସର ଆୟୋଜନ କରନ୍ତି।

ଏଣୁ କୌଣସି ଅଭିନେତ୍ରୀଙ୍କ ଉପରେ ଟିପ୍ପଣୀ କରିବା ପୂର୍ବରୁ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ କ’ଣ ଗାଇଡ୍‌ ଲାଇନ୍‌ ହୋଇଛି ତାହାକୁ ତର୍ଜମା କରିବା କଥା। ଯଦି ହୋଇନି ଏ ନେଇ ପ୍ରଶାସନିକ ସ୍ତରରେ କ’ଣ କରାଯିବ କିଭଳି କଟକଣା ଲଗାଯିବ ସେ ନେଇ ବିଚାର ବିମର୍ଷ ହେବା ଆବଶ୍ୟକ।

ଏଥର ଆସିବା ପ୍ରତିବାଦ ସ୍ତରକୁ। ଯେଉଁମାନେ ଏହାକୁ ସେହି ରାତିରେ ବସି ଦେଖିଥିଲେ ହୁଏତ ସେମାନେ ଏ ନେଇ କୌଣସି ପ୍ରତିବାଦ କରି ନ ଥିବେ। ଓଠ କାମୁଡି ନିଜ ଯୌନ ଲାଳସାକୁ ସେହି ନୃତ୍ୟରେ ହଜାଇ ଥିବେ।

ଏଣୁ ପ୍ରଥମେ ବ୍ୟବସ୍ଥା ସୁଧାର ହେଉ ଆଉ ତା ପରେ ପ୍ରତିବାଦ । ଏପରି କଲେ ଭଲ ହେବ ବୋଲି ଆଶା। ଏପରିକି ଯାତ୍ରାପାର୍ଟି ମାଲିକଙ୍କୂ ମଧ୍ୟ ଏ ବାବଦରେ ପଚରାଯିବା ଉଚିତ୍। ଜାଣି ରଖିବା ଉଚିତ୍‌ ଯେ, ଅଶ୍ଲୀଳ ଆଚରଣ ପ୍ରଦର୍ଶିତ ହୋଇଥିବା ଯାତ୍ରା ପାର୍ଟିର ମାଲିକ ହେଉଛି ଜଣେ ଆଧ୍ୟାତ୍ମିକ ଗୁରୁ। ପୂର୍ବରୁ ତାଙ୍କ ଯାତ୍ରା ପାର୍ଟି ଅନେକ ଭଲ ସାମାଜିକ ନାଟକ ଦେଇଛି। ତେବେ ଏବେ କ’ଣ ପାଇଁ ଏଭଳି ଦୃଶ୍ୟକୁ ନିଜ ଯାତ୍ରା ପାଇଁ ସ୍ଥାନୀତ କରାଯାଉଛି ତାହା ଉପରେ ତାଙ୍କ ମତ ନେବା ଆବଶ୍ୟକ।

ବାସ୍ତବରେ କହିବାକୁ ଗଲେ ଦର୍ଶକୀୟ ଇଚ୍ଛାକୁ ପଦଦଳିତ କରିବା ସମ୍ଭବ ନୁହେଁ। କେବେହେଲେ କାହା ଭାବନାକୁ କେହି ବଦଳାଇ ପାରିବେ ନାହିଁ। ଏଣୁ ଅଶ୍ଲୀଳତା ଦେଖୁଥିବା ଲୋକଙ୍କ ଦୃଷ୍ଟି ଆଉ ବିଚାରରେ ରହିଛି ବୋଲି କୁହାଯାଇପାରେ।

ଯେଉଁ ରକ୍ଷଣଶୀଳତାର ଦ୍ୱାହି ଦେଇ ଏ ଦେଶ ସମସ୍ତଙ୍କ ବିଚାରକୁ ନେଇ ବଢୁଛି, ଯେଉଁଦେଶ ସନ୍ନୀ ଲିଓନିଙ୍କ ଭଳୀ ପର୍ନ ଷ୍ଟାରଙ୍କୁ ଦେଶର ସମ୍ମାନାସ୍ପଦ ବଲିଉଡ୍‌ରେ ସ୍ଥାନ ଦେଇଛି। ସେ ଦେଶରେ ଏ ଭଳି ଛୋଟ ଛୋଟ କଥାକୁ ଗୁରୁତ୍ୱ ଦେବା କ’ଣ ଠିକ୍‌ ହେଉଛି କି ?

ଏହା ନୁହେଁ ଯେ, ଅଶ୍ଲୀଳତାକୁ ପ୍ରୋତ୍ସାହନ ଦିଆଯିବ। ଯେ, ଯେମିତି ପାଇବ ଯେଉଁଠି, ଯେଉଁ ଢଙ୍ଗରେ ପାଇବ ଅଶ୍ଲୀଳ ଆଚରଣ କରିବ। ଏହା ଆଦୌ ଗ୍ରହଣୀୟ ନୁହେଁ। କିନ୍ତୁ ଅଶ୍ଲୀଳତାକୁ ପୂର୍ବରୁ ଦେଖି ସହି ଆସୁଥିବା ଲୋକେ ହଠାତ୍‌ ଏମିତି ଚର୍ଚ୍ଚା ଆରମ୍ଭ କରିବା ନିଶ୍ଚିତ ଭାବେ ହାସ୍ୟାସ୍ପଦ। କିଏ କହିବ ଆଗାମୀ ଦିନରେ ଯାତ୍ରାମାନଙ୍କରେ ଏହା ଏକ ସାଧାରଣ ଘଟଣା ହୋଇ ନ ଯିବ ବୋଲି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos