Advertisment

JSW ପ୍ରକଳ୍ପ ବିରୋଧରେ ତେଜିଲା ଆନ୍ଦୋଳନ, ପୁଲିସ୍- ଆନ୍ଦୋଳନକାରୀ ମୁହାଁମୁହିଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରସ୍ତାବିତ JSW ପ୍ରକଳ୍ପକୁ ନେଇ ଢିଙ୍କିଆ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି। ଜୀବନ ପଛେ ବାଜିରେ ଲାଗିବ ସିନା JSWର ପ୍ରକଳ୍ପ ପୁରାଇ ନଦେବାକୁ ଚରମ ନିଷ୍ପତ୍ତି ନେଇଛନ୍ତି ଢିଙ୍କିଆ ବାସୀ। ଛୋଟ ପିଲାଠୁ ଆରମ୍ଭ କରି ପୁରୁଷ ଓ ମହିଳାମାନେ ଏହି ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି। ବିଶେଷକରି ଆନ୍ଦୋଳନରେ ଅସ୍ତ୍ର ସାଜିଛନ୍ତି କୁନି କୁନି ପିଲା। ଜଟାଧାରୀ ମୁହାଁଣ ପାଖ ବାଲିଟିକିରା ଇଲାକା ରଣକ୍ଷେତ୍ର ପାଲଟି ଯାଇଛି। ମଧ୍ୟାହ୍ନ ପ୍ରାୟ […]

author-image
Ranjit Kumar Jena
JSW ପ୍ରକଳ୍ପ ବିରୋଧରେ ତେଜିଲା ଆନ୍ଦୋଳନ, ପୁଲିସ୍- ଆନ୍ଦୋଳନକାରୀ ମୁହାଁମୁହିଁ

JSW

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରସ୍ତାବିତ JSW ପ୍ରକଳ୍ପକୁ ନେଇ ଢିଙ୍କିଆ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି। ଜୀବନ ପଛେ ବାଜିରେ ଲାଗିବ ସିନା JSWର ପ୍ରକଳ୍ପ ପୁରାଇ ନଦେବାକୁ ଚରମ ନିଷ୍ପତ୍ତି ନେଇଛନ୍ତି ଢିଙ୍କିଆ ବାସୀ। ଛୋଟ ପିଲାଠୁ ଆରମ୍ଭ କରି ପୁରୁଷ ଓ ମହିଳାମାନେ ଏହି ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି। ବିଶେଷକରି ଆନ୍ଦୋଳନରେ ଅସ୍ତ୍ର ସାଜିଛନ୍ତି କୁନି କୁନି ପିଲା। ଜଟାଧାରୀ ମୁହାଁଣ ପାଖ ବାଲିଟିକିରା ଇଲାକା ରଣକ୍ଷେତ୍ର ପାଲଟି ଯାଇଛି।

Advertisment

ମଧ୍ୟାହ୍ନ ପ୍ରାୟ ୧୨ଟାରେ ପୁଲିସ କର୍ଡନରେ ଥିବା ଢିଙ୍କିଆକୁ ଆଜି ପଶିଥିଲେ ଏରସମା ତହସିଲଦାରଙ୍କ ସମେତ ଆରଆଇ, ଅମିନ। ମାହାଳ ଗାଁର ସୀମା ପୁନଃନିର୍ଦ୍ଧାରଣ ପାଇଁ ପାରାଦୀପ ଏଏସପିଙ୍କ ନେତୃତ୍ୱରେ ପହଞ୍ଚିଥିଲେ ୧୪ ପ୍ଲାଟୁନରୁ ଅଧିକ ଫୋର୍ସ। ଖବର ପାଇ ହଠାତ୍ ମାଡ଼ିଆସିଲେ ପିଲାଠୁ ବୟସ୍କ। ଆଉ ବାଟ ଓଗାଳିବାରୁ ପଛଘୁଞ୍ଚା ଦେଇଥିଲା ପୁଲିସ ଏବଂ ପ୍ରଶାସନ। କିଛି ସମୟ ପରେ JSW ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଉଥିବା ପୂର୍ବତନ ସମିତି ସଭ୍ୟ ଦେବେନ୍ଦ୍ର ସ୍ୱାଇଁଙ୍କ ଢିଙ୍କିଆ ଘରେ ପଶିଥିଲା ପୁଲିସ। ପୁଲିସ୍ ତାଙ୍କ ଦାଦା ଏବଂ ଭଉଣୀଙ୍କୁ ଉଠାଇ ନେଇଥିଲା।

ଏପରିକି ଗାଁରେ ଯାହାକୁ ପାଇଲା ପୁଲିସ ତାକୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଲୋକେ। ପୁଲିସ ମାଡ଼ରେ ୬-୭ ଜଣ ଆହତ ବି ହୋଇଛନ୍ତି। ପୁଲିସର ମାଡ଼ ପରେ ଲୋକେ ତାତି ଉଠିଥିଲେ। ଢିଙ୍କିଆ-ପାଟଣା ଗାଁ ମଝିରେ ପୁଲିସ-ଆନ୍ଦୋଳନକାରୀଙ୍କ ମଧ୍ୟରେ ଟେକାପଥର ମାଡ଼ ହୋଇଥିଲା।

Advertisment

ମାହାଳକୁ ନୂଆ କରି ରାଜସ୍ଵ ଗ୍ରାମର ମାନ୍ୟତା ଦେଇ ପ୍ରଶାସନ ସୀମା ନିର୍ଦ୍ଧାରଣ କରୁଥିବା ବେଳେ ଗତ ୧ ତାରିଖରେ ବିରୋଧୀମାନେ ତୀବ୍ର ବିରୋଧ କରିଥିଲେ। ଯେଉଁକାରଣରୁ ପ୍ରଶାସନ ଅଧାରୁ ଫେରିଯିବାକୁ ବାଧ୍ୟ ହୋଇଥିଲା। ସେହିପରି ଶନିବାର ପ୍ରଶାସନ ମାପଚୁପ କରିବାକୁ ଆସୁଥିବା ଆଶଙ୍କା କରି ତ୍ରିଲୋଚନପୁର, ମାହାଳ, ଗୋବିନ୍ଦପୁର ଓ ଢିଙ୍କିଆ ଗ୍ରାମର ହଜାରରୁ ଊର୍ଦ୍ଧ୍ଵ ଗ୍ରାମବାସୀ ଯୋଗୀସାହି ସ୍କୁଲ ନିକଟରେ ଏକତ୍ରିତ ହୋଇ ପ୍ରତିବାଦ ସଭା କରିଥିଲେ।

ଅପରପକ୍ଷେ ଗାଁର ପ୍ରବେଶ ଦ୍ୱାରରେ ପୁଲିସ ଗତ ୧୫ ଦିନ ହେଲା ଅସ୍ଥାୟୀ କ୍ୟାମ୍ପ କରି ରହିଛି। ତେଣେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ଗ୍ରାମବାସୀ ଗାଁର ଫୁଲଖାଇ ଠାକୁରାଣୀ ମନ୍ଦିରରେ ବୈଠକ କରି ରଣନୀତି ସ୍ଥିର କରିଛନ୍ତି। ଲୋକଙ୍କ ଅଭିଯୋଗ, ଢିଙ୍କିଆରେ ପୁରୁଷ ପୁରୁଷ ଧରି ସେମାନେ ପାନ ବରଜ ସହ କାଜୁ ଚାଷ କରି ଜୀବିକା ନିର୍ବାହ କରିଆସୁଛନ୍ତି। ପସ୍କୋ ସମୟରେ ନା ପ୍ରଶାସନ ନିଜ ପ୍ରତିଶ୍ରୁତି ପାଳନ କଲା ନା ପସ୍କୋ ହେଲା। ଏବେ JSW ଶିଳ୍ପ ପ୍ରତିଷ୍ଠା ପାଇଁ ଯୋଜନା କରୁଥିବାବେଳେ ପ୍ରଥମେ ଜଙ୍ଗଲ ଅଧିକାର ଆଇନ ବଳରେ ପଟ୍ଟା, ପସ୍କୋ ଅମଳରେ ଢିଙ୍କିଆ ୪ଦେଶର ଲୋକଙ୍କ ବିରୋଧରେ ଲାଗିଥିବା ଫୌଜଦାରୀ ମାଲଲା ପ୍ରତ୍ୟାହାର ଏବଂ ପ୍ରତ୍ୟେକ ପରିବାରକୁ ନିଯୁକ୍ତି ଦାବି କରିଛନ୍ତି ଢିଙ୍କିଆ ବାସିନ୍ଦା।

ସୂଚନାଯୋଗ୍ୟ, ପାରାଦୀପ ନିକଟରେ ୧୩.୨ ନିୟୁତ ମିଲିୟନ୍ ଟନର ଷ୍ଟିଲ୍ ପ୍ଲାଣ୍ଟ ସହ ୯ଶହ ମେଗାୱାଟର ପାୱାର ପ୍ଲାଣ୍ଟ ଏବଂ ସିମେଣ୍ଟ ପ୍ଲାଣ୍ଟ କରିବ JSW। ଏହାବ୍ୟତୀତ ଜଟାଧାର ମୁହାଁଣରେ ନିଜସ୍ୱ ବନ୍ଦର ନିର୍ମାଣ କରିବାକୁ ଯୋଜନା ରହିଛି।