ଜେଏସଡବ୍ଲ୍ୟୁକୁ ଝଟକା: ପରିବେଶ କ୍ଲିଅରାନ୍ସକୁ ଅକାମୀ କଲେ ଏନଜିଟି

ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ପୂର୍ବାଂଚଳ ଜୋନର ୪ଜଣିଆ ଖଣ୍ଡପୀଠ ମାର୍ଚ୍ଚ ୨୦ତାରିଖରେ ତାଙ୍କ ରାୟରେ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ଦ୍ୱାରା ଜଗତସିଂହପୁରରେ ପ୍ରସ୍ତାବିତ ପ୍ରକଳ୍ପକୁ ନେଇ କଡ଼ା ଆପତ୍ତି ଉଠାଇଛନ୍ତି ।

JSW ଅଫିସ୍‌

  • Published: Thursday, 23 March 2023
  • , Updated: 23 March 2023, 10:45 PM IST

ଜଗତସିଂହପୁର ଜିଲ୍ଲାର ଢିଙ୍କିଆଠାରେ ମେଗା ଇସ୍ପାତ ପ୍ରକଳ୍ପ ସ୍ଥାପନ ପାଇଁ କାର୍ଯ୍ୟ ଆରମ୍ଭ କରିଥିବା ଜେଏସଡବ୍ଲ୍ୟୁ ଷ୍ଟିଲକୁ ଶକ୍ତ ଝଟକା ଲାଗିଛି । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ କମ୍ପାନୀକୁ ତା’ର ଜଗତସିଂହପୁର ମେଗା ଇସ୍ପାତ ପ୍ରକଳ୍ପ ପାଇଁ ମିଳିଥିବା ପରିବେଶ କ୍ଲିଅରାନ୍ସକୁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନଜିଟି) ନିଲମ୍ବନ ବା ଅକାମୀ କରିଛନ୍ତି । ଏହାସହିତ ପରିବେଶ ଆପ୍ରାଇଜାଲ୍ କମିଟି ପାଖରେ ସାନି ଆବେଦନ ଓ ଏ ସଂକ୍ରାନ୍ତ ମନ୍ତ୍ରଣାଳୟ ସାନି ନିଷ୍ପତ୍ତି ୩ମାସ ସୁଦ୍ଧା ନେବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି । ସେହି ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ପ୍ରକଳ୍ପକୁ ମିଳିଥିବା ପରିବେଶ କ୍ଲିଅରାନ୍ସକୁ ନିଲମ୍ବନ କରିଛନ୍ତି ।

ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ପୂର୍ବାଂଚଳ ଜୋନର ୪ଜଣିଆ ଖଣ୍ଡପୀଠ ମାର୍ଚ୍ଚ ୨୦ତାରିଖରେ ତାଙ୍କ ରାୟରେ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ଦ୍ୱାରା ଜଗତସିଂହପୁରରେ ପ୍ରସ୍ତାବିତ ପ୍ରକଳ୍ପକୁ ନେଇ କଡ଼ା ଆପତ୍ତି ଉଠାଇଛନ୍ତି । ଜଷ୍ଟିସ ଆଦର୍ଶ କୁମାର ଗୋଏଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପୋସ୍କୋ ପ୍ରକଳ୍ପ ସ୍ଥାପନକୁ ନେଇ ୨୦୧୨ ମାର୍ଚ୍ଚ ୩୦ତାରିଖର ରାୟକୁ ଉଲ୍ଲେଖ କରି କହିଛନ୍ତି ଯେ, ପୋସ୍କୋକୁ ପରିବେଶ ଅନୁମତି ଦେବାବେଳେ ଯେଉଁସବୁ ଦିଗ ପ୍ରତି ଦୃଷ୍ଟି ଦେବାକୁ କୁହାଯାଇଥିଲା ଓ ମୀନା ଗୁପ୍ତା କମିଟି ଯାହା ଅନୁଧ୍ୟାନ କରିଥିଲେ ତାକୁ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ପ୍ରକଳ୍ପକୁ ପରିବେଶ ଅନୁମତି ଦେବାବେଳେ ପାଳନ କରାଯାଇନି । ଖଣ୍ଡପୀଠ କହିଛନ୍ତି ଯେ, ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲକୁ ମହାନଦୀରୁ ଜଳ ନେବା ପାଇଁ ଅନୁମତି ଦେବାବେଳେ ପାନୀୟ ଜଳର ଅଭାବ ଦେଖାଦେବକି ନାହିଁ ତା’ର ଅନୁଧ୍ୟାନ କରାଯାଇନି । ୨୦୨୧ ମେ’ ୧୮ତାରିଖରେ ଦସ୍ତାବିଜରେ ଜଳ ସଙ୍କଟର ସ୍ପଷ୍ଟ ଚିତ୍ର ମିଳିଛି । ସେହିପରି ପାରାଦୀପ ବନ୍ଦରର ୫୦୦ମିଟର ଦୂରରେ ଆଉ ଏକ ଜେଟି ନିର୍ମାଣର କ’ଣ ଆବଶ୍ୟକତା ରହିଛି ବୋଲି ଖଣ୍ଡପୀଠ ପ୍ରଶ୍ନ କରିବା ସହ ମୀନାଗୁପ୍ତା କମିଟି ମଧ୍ୟ ତାଙ୍କ ରିପୋର୍ଟରେ ଏକଥା ଉଲ୍ଲେଖ କରିଥିଲେ । ପାରାଦୀପ ଏକ ପ୍ରଦୂଷିତ ଶିଳ୍ପାଂଚଳ, ଜେଏସଡବ୍ଲ୍ୟୁ ପ୍ରକଳ୍ପ ପାଇଁ ଜନଶୁଣାଣିବେଳେ ଏହାକୁ ଗୁରୁତ୍ୱ ଦିଆଯାଇନି । ପୋସ୍କୋକୁ ପରିବେଶ ଅନୁମତି ଦେବାବେଳେ ଯେଉଁ ସବୁ ସର୍ତ୍ତ ରଖାଯାଇଥିଲା, ସେହି ସର୍ତ୍ତଗୁଡ଼ିକ ଜେଏସଡବ୍ଲ୍ୟୁ ଷ୍ଟିଲ ପ୍ରକଳ୍ପ କ୍ଷେତ୍ରରେ ମଧ୍ୟ ପରିବେଶ ଅନୁମତି ଦେବାବେଳେ ଲାଗୁ କରିବାକୁ ଗ୍ରୀନ୍ ଟ୍ରିବ୍ୟୁନାଲ ରାୟ ଦେଇଛନ୍ତି ।

ଟ୍ରିବ୍ୟୁନାଲର ଖଣ୍ଡପୀଠ କହିଛନ୍ତି ଯେ, ଏହି ପ୍ରକଳ୍ପକୁ ନେଇ ଅଧିକ ପରିମାଣର ପୁଞ୍ଜିନିବେଶ ରହିଥିବା ନେଇ ଆମେ ସଚେତନ କିନ୍ତୁ ଚିରସ୍ଥାୟୀ ବିକାଶର ନୀତିକୁ ଅଣଦେଖା କରାଯାଇପାରିବ ନାହିଁ । ଜନଶୁଣାଣିର ପ୍ରମୁଖ ଦିଗ, ପ୍ରଦୂଷିତ ପାରାଦୀପ ଶିଳ୍ପାଂଚଳ ନିକଟରେ ପ୍ରକଳ୍ପ ସ୍ଥାନ, ପ୍ରତିଷ୍ଠିତ ପାରାଦୀପ ବନ୍ଦର ନିକଟରେ ଅନାବଶ୍ୟକ ଜେଟି ନିର୍ମାଣ, ପ୍ରକଳ୍ପ ପାଇଁ ମହାନଦୀରୁ ବିପୁଳ ପରିମାଣର ଜଳ ନେବା ଦ୍ୱାରା ତଳମୁଣ୍ଡରେ ଗୁରୁତର ଜଳ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ଆଦିଗୁଡ଼ିକ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ଖଣ୍ଡପୀଠ କହିଛନ୍ତି ।

ସୂଚନାଯୋଗ୍ୟ, ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ସରିତା ବଡ଼ପଣ୍ଡା ଓ ଅନ୍ୟମାନଙ୍କ ଦ୍ୱାରା ଦାଏର ଏହି ଅଭିଯୋଗ ଉପରେ ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ କୋଲକାତା ଖଣ୍ଡପୀଠର ଅଧ୍ୟକ୍ଷ ଜଷ୍ଟିସ ଗୋଏଲଙ୍କ ସମେତ ଜଷ୍ଟିସ ସୁଧୀର ଅଗ୍ରୱାଲ, ଜଷ୍ଟିସ ବି ଅମିତ୍ ସ୍ଥାଲେକର ଓ ଏକ୍ସପର୍ଟ ମେମ୍ବର ଡଃ ଏ.ସେନ୍ଥିଲ ଶୁଣାଣି କରି ଏହି ରାୟ ଦେଇଛନ୍ତି ।

Related story