Advertisment

ମୃତଦେହକୁ ୩ ଘଣ୍ଟା ଜଗି ବସିଲା ମାଙ୍କଡ଼!

ମାଙ୍କଡର ଏଭଳି ଅଜବ ବ୍ୟବହାର ସମସ୍ତଙ୍କୁ ଚକିତ କରିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା।

author-image
Niranjan Mishra
ଅଦ୍ୟତନ ହୋଇଛି
Monkey attends funeral

Monkey attends funeral

ମୃତଦେହକୁ ଜଗି ବସିଲା ମାଙ୍କଡ଼। ପରିବାର ଲୋକଙ୍କ ଭଳି ଶୋକ ପ୍ରକାଶ କଲା। ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ମୃତ ମହିଳାଙ୍କ ପାଦ ତଳେ ବସି ରହିଲା। ମୃତଦେହକୁ ଧରି ଦୁଃଖ ପ୍ରକାଶ କଲା। ଏକ ଅଜଣା ବୁଲା ମାଙ୍କଡ଼ ହଠାତ୍ ଘରେ ପଶି ଶୋକ ସନ୍ତପ୍ତ ପରିବାର ଲୋକଙ୍କ ଭିତରେ ଏଭଳି ଅଚାରଣ ଦେଖାଇବା ସମସ୍ତଙ୍କୁ ତାଜୁବ୍ କରିଛି। ଗତକାଲି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ନୂଆଗାଁରେ ଏହି ଘଟଣା ଘଟିଛି। ଯାହାର ଚିତ୍ର ଆଜି ସାମ୍ନାକୁ ଆସିଛି। ଅଜଣା ମାଙ୍କଡ଼ର ଏଭଳି ଅଚରଣ ଦେଖିବାକୁ ମୃତବ୍ୟକ୍ତିଙ୍କ ଘରେ ଅଞ୍ଚଳବାସୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

Advertisment

ମୃତକ ଜଣକ ନୂଆଗାଁର ମଞ୍ଜୁ ଦାସ। ତେବେ ମାଙ୍କଡର ଏଭଳି ଅଜବ ବ୍ୟବହାର ସମସ୍ତଙ୍କୁ ଚକିତ କରିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା। ସେପଟେ ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ମଞ୍ଜୁଙ୍କ ପୁଅ ପ୍ରକାଶ ଦାସଙ୍କ କହିବା ମୁତାବକ, ଶୁକ୍ରବାର ତାଙ୍କ ମା’ଙ୍କ ଦେହାନ୍ତ ଡାକ୍ତରଖାନାରେ ଚିକିତ୍ସା ବେଳେ ହୋଇଥିଲା। ସେଠାରୁ ମୃତଦେହକୁ ଘରକୁ ଅଣାଯାଇଥିଲା। ଗତକାଲି ସକାଳେ ମୃତଦେହକୁ ସଂସ୍କାର ନିମନ୍ତେ ପ୍ରସ୍ତୁତି ଚାଲିଥିଲା। ପରିବାର ଲୋକେ ମୃତଦେହ ପାଖରେ ବସି କନ୍ଦାକଟା କରୁଥିଲେ। ଦାଣ୍ଡରେ ସାହିଭାଇ କୋକେଇ ପ୍ରସ୍ତୁତିରେ ଲାଗିପଡିଥିଲେ। ଠିକ୍ ଏତିକି ବେଳେ ଏକ ବୁଲା ମାଙ୍କଡ଼ ହଠାତ୍ ଘର ଭିତରକୁ ପଶି ଆସିଥିଲା। ମାଙ୍କଡ଼କୁ ଦେଖି ସମସ୍ତେ ଭୟଭୀତ ହୋଇପଡ଼ିଥିଲେ। ହେଲେ ଏହି ମାଙ୍କଡ଼ ସିଧାସଳଖ ଯାଇ ମା’ଙ୍କ ଗଡ଼ ପାଖରେ ଗୋଡ଼କୁ ଜାବୁଡ଼ି ଧରି ବସି ରହିଲା। ଏହି ଘଟଣାରେ ସେ ଖୁବ୍ ଦୁଃଖି ଥିବା ଭଳି ମୁହଁକୁ ତଳକୁ ମାଡ଼ି ରଖିଥିଲା। ନା କାହାକୁ ଆକ୍ରମଣ କରିଥିଲା, ନା ଖିଙ୍କାରୀ ଗୋଡେଇଥିଲା।

Advertisment
Monkeyଶବ ନିକଟରେ ଦୁଃଖ ପ୍ରକାଶ କରୁଛି ମାଙ୍କଡ଼

ଏହି ମାଙ୍କଡ଼ ଶବ ପାଖରୁ ନ ଉଠିବାରୁ ଶବ ଶ୍ମଶାନକୁ ନେବାରେ ବିଳମ୍ବ ହୋଇଥିଲା। କିଏ ତାକୁ ହନୁମାନ କହୁଥିଲା ତ, କିଏ ବାବା ଡାକି ମୃତଦେହ ଛାଡିଦେବାକୁ ଅନୁରୋଧ କରୁଥିଲେ। ପ୍ରାୟ ୨/୩ ଘଣ୍ଟା ପରେ ମୃତଦେହକୁ ବାହାରକୁ ଆଣିବାକୁ ଚେଷ୍ଟା କରିବା ବେଳେ ବାଟରେ ଶୋଇ ରାସ୍ତା ଅବରୋଧ କରିଥିଲା। ବହୁତ କଷ୍ଟରେ ଘର ବାହାରକୁ ମୃତଦେହ ଅଣାଯାଇଥିଲା। ଏହା ପରେ ମାଙ୍କଡ଼ଟି ଘର ଭିତରୁ ବାହାର ପିଣ୍ଡାରେ ଆସି ଲୋକଙ୍କ ଗହଣରେ ବସିଥିଲା। ଏହାପରେ ଗାଁ ଲୋକେ କୋକେଇରେ ମୃତଦେହ ନେଇ ଶ୍ମଶାନ ଯାତ୍ରା କରିଥିଲେ। ମୃତଦେହ ପଛେପଛେ ମାଙ୍ଗଡ଼ଟି ଶ୍ମଶାନ ପର୍ଯ୍ୟନ୍ତ ଯାଇଥିଲା। ମୃତଦେହ ସଂସ୍କାର ପରେ ଏହି ମାଙ୍କଡ଼ ଅନ୍ତଧ୍ୟାନ ହୋଇଯାଇଥିଲା।

ମାଙ୍କଡର ଏହି ବ୍ୟବହାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ବୋଲି ପ୍ରକାଶ କହିଛନ୍ତି।

Unnatural Death Animal Love