Advertisment

ମଶାଣୀରେ ମୁଣ୍ଡ ଗୁଞ୍ଜିଥିଲେ ବେସାହାରା ବାପାମା’, ବନ୍ଧା ହେଲା ପୁଅ

ପୁଅ-ବୋହୂଙ୍କ ସହ ସବୁବେଳେ ପାଟିଗୋଳ ହେଉଥିବା ବେଳେ ବାପାମା’ ଅଲଗା ରହୁଥିଲେ। ହେଲେ ଉଭୟ ପକ୍ଷଙ୍କ ମଧ୍ୟରେ ସବୁବେଳେ ମତାନ୍ତର, ମନାନ୍ତର ଲାଗି ରହୁଥିବା ବେଳେ ୨ ଦିନ ତଳେ ଏହା ଅସହ୍ୟ ହେଲା।

author-image
Niharika Rout
ଅଦ୍ୟତନ ହୋଇଛି
Family dispute

Family dispute

ବାପାମା’ଙ୍କୁ ମାଡ଼ ମାରି ଘରୁ ତଡ଼ି ଦେବା ଅଭିଯୋଗରେ ଜେଲ୍‌ ଗଲା ପୁଅ। ବାପାମା’ଙ୍କ ଏତଲା ଆଧାରରେ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ୍‌। ଫଳରେ ଘରୁ ତଡ଼ା ଖାଇ ମଶାଣୀରେ ୨ ରାତି କାଟିଥିବା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ବିଲଅରିଲୋ ଗାଁର ବାବାଜୀ ଓ ତାଙ୍କ ପତ୍ନୀ କାଞ୍ଚନ ସେଠୀ ଆଜି ଘରକୁ ଫେରିଥିବା ଜଣାପଡ଼ିଛି।

Advertisment

ବିଲଅରିଲୋ ଗ୍ରାମର ବାବାଜୀ ସେଠି ପତ୍ନୀ କାଞ୍ଚନ ସେଠୀଙ୍କ ସହ ରହୁଥିବା ବେଳେ ପାଖରେ ସ୍ୱାମୀ ପରିତ୍ୟକ୍ତା ଝିଅ ଓ ୩ ନାତି-ନାତୁଣୀ ମଧ୍ୟ ରହୁଥିଲେ। ଏହାକୁ ନେଇ ତାଙ୍କର ପୁଅ-ବୋହୂଙ୍କ ସହ ସବୁବେଳେ ପାଟି ଗୋଳ ହେଉଥିବା ବେଳେ ସେମାନେ ଅଲଗା ରହୁଥିଲେ। ହେଲେ ଉଭୟ ପକ୍ଷଙ୍କ ମଧ୍ୟରେ ସବୁବେଳେ ମତାନ୍ତର, ମନାନ୍ତର ଲାଗି ରହୁଥିବା ବେଳେ ୨ ଦିନ ତଳେ ଏହା ଅସହ୍ୟ ହେଲା।

ପୁଅବୋହୂ ମାଡ଼ ମାରି ଘରୁ ତଡ଼ି ଦେଇଥିବା ବାବାଜୀ ଓ କାଞ୍ଚନ ଅଭିଯୋଗ କରିଥିଲେ। ଏପରିକି ବୋହୂ ଶାଶୁ କାଞ୍ଚନଙ୍କୁ ମାଡ଼ ମାରିବା ସହ ଶ୍ୱଶୁରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ପରିଣତ ବୟସରେ ପୁଅବୋହୂଙ୍କଠାରୁ ଅକଥନୀୟ ଯନ୍ତ୍ରଣା ଭୋଗିଥିବା ବୃଦ୍ଧ ଦମ୍ପତି ପୁଲିସ ନିକଟରେ ଗୁହାରି କରିଥିବା ବେଳେ ପୁଲିସ୍ କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବା ଅଭିଯୋଗ ହୋଇଛି।

Advertisment

ଫଳରେ ଅନ୍ୟୋପାୟ ହୋଇ ବୃଦ୍ଧ ଦମ୍ପତି ନିଜ ଝିଅ ଓ ୩ ନାତିନାତୁଣୀଙ୍କୁ ନେଇ ମଶାଣୀରେ ପଡ଼ି ରହିଥିଲେ। ଖବର ପାଇ ତିର୍ତ୍ତୋଲ ବ୍ଲକ ଅଧକ୍ଷ ମନୋଜ କୁମାର ବେହେରା, ଘଟଣା ସ୍ଥଳରେ ପହଞ୍ଚିବା ସହିତ ନିର୍ଯାତିତ ପରିବାରକୁ ଉଦ୍ଧାର କରି ଗାଁରେ ଥିବା ନବନିର୍ମିତ ଅଙ୍ଗନବାଡି ଗୃହରେ ଥଇଥାନ କରିଥିଲେ । ଏଥି ସହିତ ପଞ୍ଚାୟତ ପକ୍ଷରୁ ଖାଦ୍ୟପେୟର ବନ୍ଦୋବସ୍ତ ମଧ୍ୟ କରାଯାଇଥିଲା ।

ଖବର ପାଇ ତିର୍ତ୍ତୋଲ ତହସିଲଦାର,ତିର୍ତ୍ତୋଲ ଥାନା ଆଇଆଇସି ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋଜ ବେହେରାଙ୍କ ଉପସ୍ଥିତିରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନ ବାଟ ବାହାରି ପାରି ନ ଥିଲା। ପରେ ବାବାଜି ସେଠୀ ତାଙ୍କ ପୁଅ ପ୍ରଶାନ୍ତ ସେଠି ଓ ବୋହୂଙ୍କ ନାମରେ ଦେଇଥିବା ଏତଲା ଆଧାରରେ ପୁଲିସ୍‌ ତାଙ୍କ ପୁଅଙ୍କୁ ଗିରଫ କରିଛି। ଏଥିସହ ବୃଦ୍ଧ ଦମ୍ପତି ଆଜି ପୁଲିସ୍‌ ଉପସ୍ଥିତିରେ ଘରକୁ ଫେରିଥିବା ଜଣାଯାଇଛି। 

Jagatsinghpur Criminal Arrested Old Parents Parents Suffer