changed the name of a historical place in history
୧୦ମ ଶ୍ରେଣୀ ପାଠ୍ୟ ପୁସ୍ତକରେ ଗୁରୁତର ତୃଟି। ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରଚଳିତ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ ରହିଛି ଭୁଲ ତଥ୍ୟ। ଓଡ଼ିଶାରେ ଲବଣ ସତ୍ୟାଗ୍ରହ ସହିତ ପ୍ରତ୍ୟକ୍ଷ ଭାବେ ଜଡିତ ସ୍ଥାନର ନାମ ବିକୃତ କରି ଲେଖାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ତଥା ପୁସ୍ତକର ସମ୍ପାଦନା ମଣ୍ଡଳୀ ସହିତ ରାଜ୍ୟ ସରକାରଙ୍କ ଉପରକୁ ସିଧାସଳଖ ପ୍ରଶ୍ନ ଉଠାଇ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ଶିକ୍ଷାବିତ, ସାହିତ୍ୟିକ ଓ ବୁଦ୍ଧିଜୀବୀ।
ରାଜ୍ୟ ସରକାରଙ୍କ ଦ୍ଵାରା ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ ଇତିହାସ ଓ ରାଜନୀତି ବିଜ୍ଞାନ ପୁସ୍ତକର ୨୨ ନମ୍ବର ପୃଷ୍ଠାରେ ଏହି ଗୁରୁତର ତୃଟି କରାଯାଇଛି। ଯେଉଁଠି କୁଜଙ୍ଗର ଚଟୁଆ, କାଳିଆପାଟ ଏବଂ ବାଘାଡିଆ ସ୍ଥାନକୁ ଅପଭ୍ରଂଶ କରି ଯଥାକ୍ରମେ ଗଡୁଆ, କାଳିଘାଟ ଏବଂ ବରଡିଆ ବୋଲି ଲେଖାଯାଇଛି। ଚଟୁଆକୁ ଗଡୁଆ, କାଳିଆପାଟକୁ କାଳିଘାଟ ଏବଂ ବାଘାଡିଆକୁ ବରାଡିଆ ଲେଖା ଯାଇଛି। ଗଣଶିକ୍ଷା ବିଭାଗ ଏପରି ବେପରୁଆ କାର୍ଯ୍ୟକୁ ଅସନ୍ତୋଷ ଦେଖାଦେଇଛି। ଏହା ସ୍ଵାଧୀନତା ସଂଗ୍ରାମୀଙ୍କ ପ୍ରତି ଏହା ଉପହାସ ବୋଲି ବୁଦ୍ଧିଜୀବୀମାନେ ଅସନ୍ତୋଷ ଝାଡ଼ି ପ୍ରକାଶ କରିଛନ୍ତି।
ସାହିତ୍ୟିକ ପିତାମ୍ବର ତରାଇ କହିଛନ୍ତି, ଐତିହାସିକ ସ୍ଥାନର ନାମକୁ ବିକୃତ କରିବାର ଅଧିକାର କିଏ ଦେଲା। ଦେଶର ସ୍ଵାଧୀନତା ଆନ୍ଦୋଳନରେ ବଳିଦାନ ଦେଇଥିବା ସଂଗ୍ରାମୀଙ୍କ ଦାୟାଦଙ୍କୁ ଏହା ଘୋର ମାନସିକ କଷ୍ଟ ଦେଇଛି। ପିଲାମାନଙ୍କ ଭୁଲ ପାଠ ପଢ଼ାଇ ସେମାନଙ୍କୁ ବାଟବଣା କରାଯାଉଛି। ଏହା ଓଡ଼ିଆ ଭାଷା ପ୍ରତି ଅପମାନ। ଏହା ଅକ୍ଷମଣୀୟ ତୃଟି। ତୁରନ୍ତ ଏହାକୁ ସଂଶୋଧନ କରାଯାଉ। ନଚେତ ମାଧ୍ୟମିକ ଶିକ୍ଷା ପରିଷଦ ଆଗରେ ଆମରଣ ଅନଶନ କରାଯିବ।
ଶିକ୍ଷାବିତ ମାୟାଧର ଦାସ କହିଛନ୍ତି, ୧୯୩୦ ମେ’ ୮ ତାରିଖରେ କୁଜଙ୍ଗ ଚଟୁଆ, ବାଘାଡିଆ ଏବଂ କାଳିଆପାଟରେ ପ୍ରାୟ ୭ ହଜାର ମହିଳା ଏକାଠି ହୋଇ ଲବଣ ସତ୍ୟାଗ୍ରହରେ ସାମିଲ ହୋଇଥିଲେ। ଏନେଇ ନିଜ ବାପା ଅଜା ପୂର୍ବପୁରୁଷମାନଙ୍କ ଠାରୁ ଜାଣି ଆସୁଥିବା ସେହି ସବୁ ଐତିହାସିକ ଗ୍ରାମର ପିଲାମାନଙ୍କୁ ମଧ୍ୟ ସରକାର ସେମାନଙ୍କ ଗାଁ ନାମକୁ ଭୁଲ ଭାବେ ଘୋଷାଉଛନ୍ତି, ତାହା ପୁଣି ଦଶନ୍ଧି ଦଶନ୍ଧି ଧରି। ସଂସ୍କରଣ ପରେ ସଂସ୍କରଣ ଛପା ହେଉଛି, ପ୍ରତି ବର୍ଷ ଲକ୍ଷ ଲକ୍ଷ ପିଲା ଭୁଲ ଭାବେ ଏହି କଥା ପଢୁଛନ୍ତି। କିନ୍ତୁ ଏତେ ବଡ ତୃଟିକୁ ସଂଶୋଧନ କରାଯାଉ ନାହିଁ। ଓଡିଆ ବୀରତ୍ୱ, ଇତିହାସ, ଦେଶପ୍ରେମ ଓ ବଳିଦାନକୁ ନେଇ ଏପରି ବେପରୁଆ ତଥା ଖାମଖିଆଲି କାମ ପାଇଁ ଯିଏ ଦାୟୀ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। ଏହା ଓଡ଼ିଆ ଭାଷା ଏବଂ ସ୍ଵାଧୀନତା ଆନ୍ଦୋଳନରେ ଓଡ଼ିଶାର ଭୂମିକା ପ୍ରତି କୌଣସି ଷଡଯନ୍ତ୍ର ନୁହେଁ ତ? ତାହାର ତଦନ୍ତ ହେବା ଆବଶ୍ୟକ।
କାଳିଆପାଟର ଛାତ୍ର ହିମାଂଶୁ ପରିଡା କହିଛନ୍ତି, ଗଣଶିକ୍ଷା ବିଭାଗର ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ ଏପରି କରି ଛାତ୍ରଛାତ୍ରୀଙ୍କୁ ଭୁଲ ତଥ୍ୟ ଦେବା ଉଚିତ୍ ନୁହେଁ ବୋଲି କହିଛନ୍ତି।
ତେବେ ଏନେଇ ଗଣଶିକ୍ଷା ବିଭାଗ କିମ୍ବା ମାଧ୍ୟମିକ ଶିକ୍ଷା ପରିଷଦ ସମ୍ପାଦନା ମଣ୍ଡଳୀଙ୍କ ମତାମତ ମିଳିପାରିନି।
ରିପୋର୍ଟ- ପରାଦୀପରୁ ରମାକାନ୍ତ ନାୟକ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
