Advertisment

ସେଲ୍‌ଫି ହେଲା କାଳ, ଚାଲିଗଲା ୩ ସାଙ୍ଗଙ୍କ ଜୀବନ

ଜଣେ ସାଙ୍ଗ ନଦୀ ପଠାରେ ବସିଥିବା ବେଳେ ଆଉ ୩ ଜଣ ଗାଧୋଇବାକୁ ପାଣିକୁ ଯାଇଥିଲେ ଓ ସେଲ୍‌ଫି ନେଉଥିଲେ।

Three Friends

Three Friends

Advertisment

ସୋମବାର ଜଗତସିଂହପୁର ଜିଲ୍ଲା ମାଛଗାଁ ନିକଟସ୍ଥ ଦେବୀ ନଦୀ ଘାଟକୁ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିବା ସମସ୍ତ ୩ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗତକାଲି ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ଆଉ ଜଣଙ୍କ ମୃତଦେହ ମିଳିଛି। ମୃତକମାନେ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ଆମ୍ବଶାଳ ପଞ୍ଚାୟତ ଚନ୍ଦ୍ରପଡ଼ା ଗାଁର ବବଲୁ ବାରିକ, କାହ୍ନା ବାରିକ ଏବଂ ଭୁବନେଶ୍ୱର ସତ୍ୟନଗର ଅଞ୍ଚଳର ଶୁଭମ ପାତ୍ର।

Advertisment

ସମସ୍ତେ ମୃତକ ଭୁବନେଶ୍ୱରରେ ଭିନ୍ନ ଭିନ୍ନ ଶ୍ରେଣୀରେ ପାଠ ପଢ଼ୁଥିଲେ। ବବଲୁ ଏଥର ଦଶମ ପରୀକ୍ଷା ଦେଇଥିବା ବେଳେ କାହ୍ନା ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର ଥିଲେ। ଶୁଭମ ଚଳିତ ବର୍ଷ ନବମ ଶ୍ରେଣୀ ପରୀକ୍ଷା ଦେଇଥିଲେ। ଗତ ରବିବାର ସେମାନେ ସମସ୍ତେ ଚନ୍ଦ୍ରପଡ଼ା ବୁଲିବାକୁ ଆସିଥିଲେ। ସେମାନଙ୍କ ସହିତ ତପନ କୁମାର ମାର୍ଥା ନାମକ ଆଉ ଜଣେ ଛାତ୍ର ବି ଆସିଥିଲେ। ସେମାନେ ସମସ୍ତେ ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରେ ରହୁଥିଲେ ଓ ପରସ୍ପରକୁ ଜାଣିଥିଲେ।

ବାଲିକୁଦା ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସକାଳ ପ୍ରାୟ ୧୦ଟା ବେଳେ ଏହି ୪ ସାଙ୍ଗ ମାଛଗାଁ ନିକଟସ୍ଥ ଦେବୀ ନଦୀ ଘାଟକୁ ଗାଧୋଇବାକୁ ଯାଇଥିଲେ। ତପନ ନଦୀ ପଠାରେ ବସି ଫଟୋ ଉଠାଉଥିବା ବେଳେ ଅନ୍ୟ ତିନି ଜଣ ଯାକ ମଧ୍ୟ ନଦୀ ଭିତରକୁ ଯାଇଥିଲେ। ବବଲୁ, କାହ୍ନା ଓ ଶୁଭମ ନଦୀ ଭିତରେ ସେଲଫି ନେଉଥିଲେ। ସେଲ୍‌ଫି ନେଉଥିବା ବେଳେ ପ୍ରଥମେ କାହ୍ନାଙ୍କ ଗୋଡ଼ ଖସି ଯାଇଥିଲା। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଶୁଭମ ଓ ବବଲୁ ମଧ୍ୟ ବୁଡ଼ି ଯାଇଥିଲେ। ସେମାନେ ବୁଡ଼ି ଯାଉଥିବା ଦେଖି ନଦୀ ପଠାରେ ବସିଥିବା ତପନ ପାଟି କରିଥିଲେ ଓ ପାଖରେ ଥିବା କିଛି ସ୍ଥାନୀୟ ଲୋକଙ୍କୁ ଡାକ ପକାଇଥିଲେ। ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଲା ବେଳକୁ ତିନି ସାଙ୍ଗ ପାଣିରେ ବୁଡ଼ି ଯାଇଥିଲେ। ସେମାନେ ସଙ୍ଗେ ସଙ୍ଗେ ପୁଲିସ୍ ଓ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ।

Advertisment

ବାଲିକୁଦା ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ୍ ଓ ସ୍ଥାନୀୟ କିଛି ମତ୍ସ୍ୟଜୀବୀ ଦୀର୍ଘ ସମୟ ଖୋଜା ଖୋଜି କରିବା ପରେ ପ୍ରଥମେ ବବଲୁଙ୍କ ମୃତଦେହ ପାଇଥିଲେ। ତା’ର କିଛି ଘଣ୍ଟା ପରେ କାହ୍ନାଙ୍କ ମୃତଦେହ ମିଳିଥିଲା। ଶୁଭମଙ୍କୁ ଖୋଜିବା ପାଇଁ ଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। କିନ୍ତୁ ଶୁଭମ ମିଳି ନଥିଲେ। ଆଜି ସକାଳେ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ଓ ଶୁଭମଙ୍କ ମୃତଦେହ ମିଳିଥିଲା।

Deadbody Jagatsinghpur Drowning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe