Advertisment

ଟ୍ରକ୍‌ ଚୋରି ରାକେଟ୍‌ରେ ଯାଜପୁର ଜିଲ୍ଲା ଯୁବ ବିଜେଡି ଉପସଭାପତି!

ଯାଜପୁର(ଗୁଲାମ ଗସ୍‌): ଟ୍ରକ୍‌ ଚୋରି ରାକେଟ୍‌ରେ ଯାଜପୁର ଜିଲ୍ଲା ଯୁବ ବିଜେଡି ଉପସଭାପତି ଅଶ୍ଵଜିତ ରାଉତ! ପୁଲିସ ତାଙ୍କ ସହିତ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନେ ଧର୍ମଶାଳା ଓ ବଡ଼ଚଣା ଅଞ୍ଚଳରୁ ଟ୍ରକ୍‌ ଚୋରି କରି କୋଲ୍‌କାତା ନେଇ ଯାଉଥିଲେ। ସେଠାରେ ଟ୍ରକ୍‌ ପାର୍ଟ୍ସ ଅଲଗା ଅଲଗା କରି ବିକ୍ରି କରିଦେଉଥିବା ପୁଲିସ୍‌ କହିଛି। ଗିରଫ ୯ ଜଣଙ୍କ ଭିତରେ ୬ ଜଣ ଯାଜପୁର ଜିଲ୍ଲାର ହୋଇଥିବା ବେଳେ ୩ ଜଣ […]

author-image
Manoranjan Sial
ଅଦ୍ୟତନ ହୋଇଛି
ଟ୍ରକ୍‌ ଚୋରି ରାକେଟ୍‌ରେ ଯାଜପୁର ଜିଲ୍ଲା ଯୁବ ବିଜେଡି ଉପସଭାପତି!

Biswajit

ଯାଜପୁର(ଗୁଲାମ ଗସ୍‌): ଟ୍ରକ୍‌ ଚୋରି ରାକେଟ୍‌ରେ ଯାଜପୁର ଜିଲ୍ଲା ଯୁବ ବିଜେଡି ଉପସଭାପତି ଅଶ୍ଵଜିତ ରାଉତ! ପୁଲିସ ତାଙ୍କ ସହିତ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନେ ଧର୍ମଶାଳା ଓ ବଡ଼ଚଣା ଅଞ୍ଚଳରୁ ଟ୍ରକ୍‌ ଚୋରି କରି କୋଲ୍‌କାତା ନେଇ ଯାଉଥିଲେ। ସେଠାରେ ଟ୍ରକ୍‌ ପାର୍ଟ୍ସ ଅଲଗା ଅଲଗା କରି ବିକ୍ରି କରିଦେଉଥିବା ପୁଲିସ୍‌ କହିଛି। ଗିରଫ ୯ ଜଣଙ୍କ ଭିତରେ ୬ ଜଣ ଯାଜପୁର ଜିଲ୍ଲାର ହୋଇଥିବା ବେଳେ ୩ ଜଣ ପଶ୍ଚିମବଙ୍ଗର।

Advertisment

ଧର୍ମଶାଳା ଥାନା ଭଡଙ୍ଗା ନିକଟସ୍ଥ ଏକ କ୍ରସରରୁ ଗତ ୧୧ ତାରଖରେ ଗୋଟିଏ ଟ୍ରକ୍‌ ଚୋରି ହୋଇଥିଲା। ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୁଲିସ୍‌ର ସନ୍ଦେହୀ ଆଖି ଯାଇଥିଲା କ୍ରସର ୱାଚ୍‌ମ୍ୟାନ୍‌ କାଳିଆ ଓରଫ ବିକ୍ରମ ନାୟକଙ୍କ ଉପରକୁ। ପୁଲିସ୍‌ ପ୍ରଥମେ କାଳିଆଙ୍କ ଗତିବିଧି ଉପରେ ନଜର ରଖିଥିଲା। ସେହି ସମୟରେ କାଳିଆର କୋଲକାତା ଲିଙ୍କ ମିଳିଥିଲା।

କାଳିଆ ଓ କୋଲକାତା ଲିଙ୍କରେ ପୁଲିସ୍‌ ନେଉଳପୁର ଗାଁର ରମେଶ ପରିଡ଼ାକୁ ନଜରରେ ରଖିଥିଲା। ପରେ ଉଭୟ(କାଳିଆ ଓ ରମେଶ)କୁ ଉଠାଇ ଆଣି ଜେରା କରିଥିଲା। ପଚରାଉଚରା ବେଳେ ସେମାନେ ଟ୍ରକ୍‌ ଚୋରିର ପୂରା କାହାଣୀ ବଖାଣି ଥିଲେ। ଯୋଜନା ମୁତାବକ ସୋମବାର କୋଲକାତାରୁ ୩ ଜଣ ଏକ କାର୍‌ରେ ଆଉ କିଛି ଟ୍ରକ୍‌ ନେବା ପାଇଁ ଧର୍ମଶାଳା ଆସୁଥିଲେ। ପୁଲିସ୍‌ ଜାଣିପାରି ସେମାନଙ୍କୁ ମାଡ଼ି ବସିଥିଲା।

Advertisment

ପୁଲିସ୍‌ ଅବିନାଶ, ଅଜୟ କୁମାର ଶ ଓ ଗୁଡ଼ୁ ଠାକୁରଙ୍କୁ ଗିରଫ କରିଥିଲା। ଏପରିକି ସେମାନଙ୍କ କାର୍‌କୁ ଜବତ କରିଥିଲା। ପରେ ଏହି ଲିଙ୍କରେ କାଳିଆ ଓ ରମେଶଙ୍କ ସମେତ ବିଶ୍ୱଜିତ ସାମଲ, ସୌମ୍ୟଶ୍ରୀ ଜେନା, ମହମ୍ମଦ ଅବଦୁଲ୍‌ ଓ ଜିଲ୍ଲା ଯୁବ ବିଜେଡିର ଉପସଭାପତି ଅଶ୍ଵଜିତ ରାଉତଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ୨ ଲକ୍ଷ ୪୫ ହଜାର ଟଙ୍କା ଜବତ କରିଥିଲା। ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ଯାଜପୁର ଏସ୍‌ଡିପିଓ ପ୍ରମୋଦ କୁମାର ମଲିକଙ୍କ କହିବା ଅନୁସାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ଧର୍ମଶାଳା ଓ ବଡ଼ଚଣା ଅଞ୍ଚଳରୁ ଟ୍ରକ୍‌ ଚୋରିକରି କୋଲକାତା ନେଇ ଯାଉଥିଲେ। ସେଠାରେ ଟ୍ରକ୍‌ ଗୁଡ଼ିକୁ କାଟି ସବୁ ସରଞ୍ଜାମ କାଢ଼ି ନେଉଥିଲେ। ପରବର୍ତ୍ତୀ ସମୟରେ ସେହି ସରଞ୍ଜାମକୁ ଚଢ଼ା ଦରରେ ବିକ୍ରି କରିଦେଉଥିଲେ। ଏହି ଗ୍ୟାଙ୍ଗ ଦୀର୍ଘ ଦିନ ଧରି ସକ୍ରିୟ ଥିଲେ। ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି, ତାହା ଉପରେ ତଦନ୍ତ ଚାଲିଛି ବୋଲି ଏସ୍‌ଡିପିଓ କହିଛନ୍ତି।