Advertisment

ଯାଜପୁରରେ ଅପପୁଷ୍ଟିର ଛାତି ଥରା ଚିତ୍ର; ବିଛଣାରୁ ଉଠି ପାରୁନି ୪ ବର୍ଷର କୁନି

ଅପପୁଷ୍ଟିର ଅଞ୍ଚଳ ଭାବ ଅପବାଦ ଅର୍ଜିଥିବା ଯାଜପୁରର ନଗଡ଼ା ଚିତ୍ର ମନରୁ ଲିଭି ନ ଥିବା ବେଳେ ଏଥର ମଧ୍ୟ ସେହି ଜିଲ୍ଲାରୁ ଆସିଛି ସମାନ ଚିତ୍ର । ଏଥର ନଗଡ଼ା ନୁହେଁ, ଏସିଆ ମହାଦେଶରେ ଶିଳ୍ପ ରାଜଧାନୀର ମାନ୍ୟତା ପାଇଥିବା କଳିଙ୍ଗନଗରରୁ ଆସିଛି ଅପପୃଷ୍ଟିର ଚିତ୍ର।

author-image
Niharika Rout
ଅଦ୍ୟତନ ହୋଇଛି
Family

Family

ଅପପୁଷ୍ଟିର ଅଞ୍ଚଳ ଭାବେ ଅପବାଦ ଅର୍ଜିଥିବା ଯାଜପୁରର ନଗଡ଼ା ଚିତ୍ର ମନରୁ ଲିଭି ନ ଥିବା ବେଳେ ଏଥର ମଧ୍ୟ ସେହି ଜିଲ୍ଲାରୁ ଆସିଛି ସମାନ ଚିତ୍ର । ଏଥର ନଗଡ଼ା ନୁହେଁ, ଏସିଆ ମହାଦେଶରେ ଶିଳ୍ପ ରାଜଧାନୀର ମାନ୍ୟତା ପାଇଥିବା କଳିଙ୍ଗନଗରରୁ ଆସିଛି ଅପପୁଷ୍ଟିର ଚିତ୍ର। ଶିଳ୍ପ ବହୁଳ ଏହି ଅଞ୍ଚଳରେ ଖାଇବାକୁ ନ ପାଇ ଅନାହାରରେ ଛଟ ପଟ ହୋଇ ଆଖି ବୁଜି ଦେଉଛନ୍ତି ବହୁ ଶିଶୁ । ଭୋକର ଭୂଗୋଳ ତଥା ଅପପୁଷ୍ଟିର ଇଲାକା ଭାବେ ଏହି ଜିଲ୍ଲା ମୁଣ୍ଡାଇଥିବା ଅପବାଦ ଲିଭିବା ନାଁ ଧରୁ ନଥିବା ବେଳେ ପୁଣି ଥରେ ନଗଡ଼ା ଚିତ୍ର ଆଖି ଆଗରେ ନାଚି ଉଠୁଛି।

Advertisment

ଅପପୁଷ୍ଟିର ଛାତି ଥରା ଚିତ୍ର ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ରାଣାଗୁଣ୍ଡି ପଞ୍ଚାୟତ ଘାଟିସାହି ଗ୍ରାମରେ। ଖେଳିବା, କୁଦିବା ବୟସରେ ୪ ବର୍ଷର ଝିଅ କୁନି ନିଜ ମା’ କୋଳରେ ପଡ଼ି ରହିଛି। ଜଳ ଜଳ କରି ବାହାରକୁ ଚାହୁଁଥିଲେ ବି ଚାଲିବାକୁ ତା’ଠାରେ ବଳ ନାହିଁ। ହାତ, ଗୋଡ଼ ବଙ୍କା ହୋଇ ଯାଇଥିବା ବେଳେ ଜରାଜୀର୍ଣ୍ଣ ଶରୀରରେ କେବଳ ନିଃଶ୍ୱାସ ଚାଲିଛି।

ଘାଟିସାହି ଗ୍ରାମରେ ବାଙ୍କୁ ହେମ୍ବ୍ରମ ନିଜ ପତ୍ନୀ ତୁଳସୀ ହେମ୍ବ୍ରମ ଏବଂ ୯ଟି ପିଲାଙ୍କୁ ନେଇ ବାସ କରନ୍ତି । ବାଙ୍କୁଙ୍କ ଦୁଇ ପୁଅ ମଧ୍ୟରୁ ଜଣେ କିଛି ଦିନ ପୂର୍ବରୁ ଅପପୁଷ୍ଟିର ଶିକାର ହୋଇ ମୃତ୍ୟୁବରଣ କରିଥିବା ବେଳେ ଏବେ ଝିଅ କୁନି ହେମ୍ବ୍ରମ ସମାନ ରୋଗରେ ଆକ୍ରାନ୍ତ ହୋଇଛି। ୪ ବର୍ଷୀୟ କୁନିର ହାତଗୋଡ଼ କଣ୍ଟା ପରି ସରୁ ହୋଇଗଲାଣି । ଛାତିର ପଞ୍ଜରା ହାଡ଼ ଗଣି ହୋଇ ଯାଉଛି। ଚାଲିବାକୁ ତା’ ଶରୀର ବଳ ଯୋଗାଡ଼ କରି ପାରୁ ନ ଥିବା ବେଳେ ମା’ କୋଳ ହିଁ ଏକମାତ୍ର ଭରସା । ଜନ୍ମରୁ ସୁସ୍ଥ ଥିବା କୁନି ଏବେ କିନ୍ତୁ ଆଉ ବିଛଣାରୁ ଉଠୁନି।

Advertisment

ମା’ ଖୋଇଦେଲେ ଖାଉଛି, ଶୁଆଇଦେଲେ ଶୋଉଛି । ଆଖପାଖରେ ଭାଇଭଉଣୀ ଖେଳାଖେଳି କରୁଥିବା ବେଳେ ସେମାନଙ୍କୁ ଜଳ ଜଳ କରି ଦେଖୁଛି କୁନିର ନିରୀହ ଆଖି । କୁନି ପରି ତାର ଅନ୍ୟ ଜଣେ ଭଉଣୀର ମଧ୍ୟ ଧୀରେ ଧୀରେ ସମାନ ଲକ୍ଷଣ ଦେଖାଗଲାଣି। ତେବେ ତୁରନ୍ତ ଏମାନଙ୍କୁ ଚିକିତ୍ସା ସହାୟତା ଯୋଗାଇଦେବାକୁ ଦାବି ହୋଇଛି।

ଗରୀବ ଲୋକଙ୍କ ପାଇଁ ମାଳ ମାଳ ଯୋଜନା ଥିବା ସରକାର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । କୁନିଙ୍କ ବାପା ବାଙ୍କୁଙ୍କୁ ସରକାରୀ ସହାୟତା ଭାବେ ରାସନ କାର୍ଡ ମିଳିଛି ହେଲେ ସେଥିରେ ମିଳୁନି ରାସନ ସାମଗ୍ରୀ। ଫଳରେ ବାଙ୍କୁ ଓ ତାଙ୍କ ପତ୍ନୀ ମୁଲ ଲାଗି ଯାହା ରୋଜଗାର କରି ଆଣୁଛନ୍ତି ସେଥିରେ ୯ ଛୁଆଙ୍କୁ ଦାନା ଯୋଗାଇବା ସମ୍ଭବ ହୋଇ ପାରୁନି। ଫଳରେ ସେମାନେ ଅପପୁଷ୍ଟିର ଶିକାର ହେଉଥିବା ଅଭିଯୋଗ ହେଉଛି। ଛୁଆର ଏଭଳି କଷ୍ଟ ଦେଖି ବାଙ୍କୁ ଏକ ପ୍ରକାରର ଅସହାୟ ହୋଇପଡ଼ିଥିବା ବେଳେ କିଛି କିନ୍ତୁ କରି ପାରୁ ନାହାନ୍ତି ।

ମୋ’ ଛୁଆ ଉଠି ପାରୁନି, ବସି ପାରୁନି। ନିଜ କାମ କିଛି କରି ପାରୁନି। ଅଙ୍ଗନୱାଡି, ଆଶା ଦିଦି କେହି ଯାଉ ନାହାନ୍ତି। ମୋ ଛୁଆକୁ ଭଲ କରି ଦେବାକୁ  ଗୁହାରୀ କରୁଛି ବୋଲି କୋହ ଭରା କଣ୍ଠରେ କହିଛନ୍ତି ତୁଳସୀ ହେମ୍ବ୍ରମ ।

କୁନିର ଏ ଅବସ୍ଥା ସମ୍ପର୍କରେ କାହା ପାଖରେ ଖବର ନାହିଁ। ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ପ୍ରଚେଷ୍ଠାରେ କୁନିଙ୍କୁ ପୃଷ୍ଟି ସାଧନ କେନ୍ଦ୍ରରେ ଭର୍ତ୍ତି କରାଇବା ନିମନ୍ତେ ପ୍ରୟାସ ଆରମ୍ଭ ହୋଇଛି । କୁନିକୁ ସମସ୍ତ ପ୍ରକାରର ଚିକିତ୍ସା ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ସିଡିଏମଓ। ପୂର୍ବରୁ ମଧ୍ୟ କୁନିର ଚିକିତ୍ସା କରାଯାଇଥିବା ବେଳେ ସେ କେନ୍ଦ୍ରରେ ରହୁ ନ  ଥିବାରୁ ଅସୁବିଧା ହେଉଥିବା କହିଛନ୍ତି ସିଡିଏମ୍‌ଓ ।

ଶିଳ୍ପକୁ ନେଇ ସବୁବେଳେ ସୁନେଲି ସ୍ୱପ୍ନ ଦେଖିଥିବା କଳିଙ୍ଗନଗରରେ ଏପରି ଘଟଣା ନିନ୍ଦନୀୟ ଓ ଲଜ୍ଜାଜନକ ବିଷୟ। ଏହି ଅଞ୍ଚଳରେ ଅପପୁଷ୍ଟି ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ବ୍ଳକ ଶିଶୁ ଯୋଜନା ବିଭାଗ କୁମ୍ଭନିଦ୍ରାରେ ଶୋଇଛି । ଫଳରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅପପୁଷ୍ଟିର ଶିକାର ମାମଲା ବଢ଼ିବାରେ ଲାଗିଥିବା କହିଛନ୍ତି ଅରବିନ୍ଦ ମହାରଣା ନାମକ ସ୍ୱେଚ୍ଛାସେବୀ ।

ଦନଗଦି ବ୍ଲକରେ ଏମିତି ବହୁ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି। ସେମାନଙ୍କୁ ଖୋଜି ବାହାର କରି ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଶିଳ୍ପକୁ ନେଇ ସବୁବେଳେ ସୁନେଲି ସ୍ୱପ୍ନ ଦେଖିଥିବା କଳିଙ୍ଗନଗରରୁ ଭୋକର ବିକଳ ଚିତ୍ର ବାରମ୍ବାର ଜନମାନସକୁ ଆନ୍ଦୋଳିତ କରୁଛି । ତେବେ ତୁରନ୍ତ କୁନି ପରି ଅନ୍ୟ ଶିଶୁମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦିଆଯିବା ନିମନ୍ତେ ସାଧାରଣରେ ଦାବି ହୋଇଛି ।

ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାସ

Health Jajpur